ବ୍ରହ୍ମପୁର ୨୬।୦୨: ମହାଶିବରାତ୍ରୀ ପାଇଁ ମହେନ୍ଦ୍ରଗିରି ଉତ୍ସବ ମୁଖର। ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ତପସ୍ଥଳୀ ମହେନ୍ଦ୍ରଗିରିରେ ଦର୍ଶନ ପାଇଁ ଜମିଛି ଭିଡ଼। ଗଞ୍ଜାମ ଜିଲ୍ଲାରୁ ବୁରୁଖତ ଛକ, ଗଜପତି ଜିଲ୍ଲା ଓ ଆନ୍ଧ୍ର ପ୍ରଦେଶରୁ କଇଁପୁର ଛକ ରାସ୍ତା ଠାରୁ ପାଖାପାଖି ୧୦କିଲୋମିଟର ପାହାଡ଼ ରାସ୍ତାରେ ପାଦରେ ଚାଲିଚାଲି ଅତିକ୍ରମ କରିବା ପରେ ମହେନ୍ଦ୍ରଗିରିରେ ପହଞ୍ଚିଛନ୍ତି ଶ୍ରଦ୍ଧାଳୁ। ମହେନ୍ଦ୍ର ପାହାଡ଼ ଉପରେ ଥଣ୍ଡା, ଶୀତ, କାକରରେ ରାତି ସାରା ଆପେକ୍ଷା କରି ସକାଳୁ ଦର୍ଶନ କରଛନ୍ତି ହରିହର ଭେଟ। ପୂର୍ବ ଆକାଶରେ ସୂର୍ଯ୍ୟ ଉଦୟର ନିଆରା ଦୃଶ୍ୟର ଭରପୁର ଆନନ୍ଦ ଉଠାଇଛନ୍ତି ଭକ୍ତ। ଏହାପରେ ମହେନ୍ଦ୍ରଗିରିର କୁନ୍ତୀ, ଭୀମ, ଯୁଧିଷ୍ଠିର ମନ୍ଦିର, ଅର୍ଜୁନ ଗୁମ୍ଫା ସହ ହନୁମାନ, ପର୍ଶୁରାମ ଠାକୁରଙ୍କୁ ପୂଜାର୍ଚନା କରିଛନ୍ତି। ମହେନ୍ଦ୍ରଗିରି ଭଳି ପବିତ୍ର ସ୍ଥଳୀରେ ମହା ଶିବରାତ୍ରରେ ଏଭଳି ପୂଜାର୍ଚ୍ଚନା କରି ପୁଣ୍ୟ ଅର୍ଜ୍ଜନ କରି ନିଜକୁ ଧନ୍ୟ ମନେ କରୁଥିବା କହିଛନ୍ତି ଭକ୍ତ।
ଲକ୍ଷାଧିକ ଭକ୍ତଙ୍କ ସମାଗମ ଓ ନାମଯଜ୍ଞ କୀର୍ତ୍ତନରେ ପ୍ରକମ୍ପିତ ହୋଇ ପଡିଛି ନିର୍ଜ୍ଜନ ଘଞ୍ଚ ଜଙ୍ଗଲ ପରିବେଷ୍ଠିତ ମହେନ୍ଦ୍ରଗିରି। ଏଭଳି ପବିତ୍ର ଦିବସ ଅବସରରେ ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମତ୍ସ, ପ୍ରାଣୀ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ନେତା, ମନ୍ତ୍ରୀ ମହେନ୍ଦ୍ରଗିରିରେ ପହଂଚି ମହାଦେବ ଠାକୁରଙ୍କୁ ପୂଜାର୍ଚନା କରି ସାନିଧ୍ୟ ଲାଭ କରିଛନ୍ତି। ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ନାମ ସଂକୀର୍ତ୍ତନରେ ସାମିଲ ହୋଇ ଭଜନ ଗାନ କରିବା ଦୃଶ୍ୟ ସମସ୍ତଙ୍କୁ ଭକ୍ତି ଭାବର ସଂଚାରର ଖୋରାକ ଯୋଗାଇଥିଲା। ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ହରିହର ଭେଟ ଦର୍ଶନ କରି ଖୁସି ଜାହିର କରିଛନ୍ତି। ସାଧୁସନ୍ଥ ମଧ୍ୟ ପବିତ୍ର ସ୍ଥାନରେ ଏଭଳି ନିଆରା ଦୃଶ୍ୟ, ପୂଜାର୍ଚ୍ଚନା କରି ଠାକୁରଙ୍କ ସାନିଧ୍ୟ ଲାଭ କରିବା ଅନନ୍ୟ ବୋଲି କହିଛନ୍ତି।