ଗହମ ଉପରେ ଷ୍ଟକ୍ ଲିମିଟ୍ ଲଗାଇଲେ କେନ୍ଦ୍ର ସରକାର, ଜାଣନ୍ତୁ କାହା ପାଇଁ କେତେ ନିର୍ଦ୍ଧାରିତ ହୋଇଛି ସୀମା

Published By : Prameya-News7 Bureau | February 11, 2024 IST

ନୂଆଦିଲ୍ଲୀ ୧୧।୨: ଖାଉଟୀ ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ରବିବାର ଏକ ଅଧିସୂଚନା ଜାରି କରି ଗହମର ଷ୍ଟକ ଲିମିଟ ନିର୍ଦ୍ଧାରିତ କରିଛନ୍ତି। ଅଧିସୂଚନା ଅନୁସାରେ ବ୍ୟବସାୟୀ ଅଥବା ପାଇକାରୀ ବିକ୍ରେତାଙ୍କ ନିମନ୍ତେ ଏହି ଷ୍ଟକ୍ ସୀମା ୫୦୦ ମେଟ୍ରିକ ଟନ ନିର୍ଦ୍ଧାରିତ ହୋଇଥିବା ବେଳେ ଖୁଚୁରା ବିକ୍ରେତାଙ୍କ ନିମନ୍ତେ ୫ ମେଟ୍ରିକ ଟନ ଓ ବଡ ରିଟେଲ ଶୃଙ୍ଖଳ (ପ୍ରତ୍ୟେକ ଆଉଟଲେଟ୍)ଙ୍କ ୫ ମେଟ୍ରିକୋ ଟନ ଓ ସେମାନଙ୍କ ସବୁ ଡିପୋରେ ୫୦୦ ମେଟ୍ରିକ ଟନ ଷ୍ଟକ ରଖିପାରିବେ ବୋଲି ସୀମା ନିର୍ଦ୍ଧାରଣ ହୋଇଛି।

ସେହିପରି ଅଧିସୂଚନା ଅନୁସାରେ ଏବେ ମିଲ ମାଲିକମାନେ ମାସ ତମା ପେସାଉଥିବା ଗହମର ୬୦ ପ୍ରତିଶତ ଷ୍ଟକ ରଖିପାରିବେ ବୋଲି କୁହାଯାଇଛି। ଏହି ଷ୍ଟକ୍ ସୀମା ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଲାଗୁ କରାଯାଇଛି। ତେବେ ମନ୍ତ୍ରାଳୟଙ୍କ ଏହି ଘୋଷଣା ଯୋଗୁ ବଜାରରେ ଅଟା ଦର ବଢିବ ବୋଲି ଏବେ ଆଶଙ୍କା କରାଯାଉଛି। କାରଣ ଷ୍ଟକ୍ ସୀମା ନିର୍ଦ୍ଧାରଣ ହୋଇଥିବାରୁ ବଜାରରେ ଉପଲବ୍ଧତା ହ୍ରାସ ହେବ। ଏଣୁ ରିଟେଲର ଉଚ୍ଚା ଦରରେ କିଣି ଅଧିକ ଦରରେ ବିକିବା ଯୋଗୁ ଅଟା ଦର ମହଙ୍ଗା ହେବ ବୋଲି କୁହାଯାଉଛି।

{"id":907758,"sizeSlug":"full","linkDestination":"none"}

ବ୍ୟବସାୟୀ ସଂଘ ଷ୍ଟକ୍ ସୀମା ନିର୍ଦ୍ଧାରଣ କରାଯିବାର ଏହା ଉଚିତ ସମୟ ନୁହେଁ ବୋଲି କହିଛନ୍ତି। ଏଣୁ ସରକାର ଏ ବାବଦେ ଦୃଷ୍ଟି ଦେବେ ବୋଲି ସଂଘ  ଆଶାବ୍ୟକ୍ତ କରିଛନ୍ତି। ରାଜସ୍ଥାନ ଖାଦ୍ୟପଦାର୍ଥ ବ୍ୟବସାୟୀ ସଂଘର ଅଧ୍ୟକ୍ଷ ବାବୁଲାଲ ଗୁପ୍ତା କହିଛନ୍ତି ଯେ ଷ୍ଟକ୍ ସୀମା ଏପରି ଏକ ସମୟରେ ଲାଗୁ କରାଯାଇଛି ଯେତେବେଳେ ମଣ୍ଡିକୁ ନୂଆ ଗହମ ଆସିବା ପ୍ରାରମ୍ଭ ହେଉଛି। ଗହମ ଷ୍ଟକର ସୀମା ନିର୍ଦ୍ଧାରଣ ହୋଇଥିବାରୁ ବ୍ୟବସାୟୀ ଅଧିକ ଗହମ କିଣି ମହଜୁଦ ରଖି ପାରିବେ ନାହିଁ। ଏଣୁ ଏହାର ଦୁଷ୍ପ୍ରଭାବ ଚାଷୀଙ୍କୁ ଭୋଗିବାକୁ ପଡିବ ବୋଲି ସେ କହିଛନ୍ତି।

ଚାଷୀ ଏବେ ଗହମ ଅମଳ କରି ମଣ୍ଡିକୁ ଆଣିବେ। ହେଲେ ଷ୍ଟକ ସୀମା ନିର୍ଦ୍ଧାରିତ ହୋଇଥିବାରୁ ତାଙ୍କୁ କ୍ରେତା ମିଳିବେ ନାହିଁ। ଏଣୁ କ୍ରେତା ନଥିବାରୁ ଚାଷୀଙ୍କୁ ଗହମ ଦର ହ୍ରାସ କରି ବିକ୍ରି କରିବାକୁ ପଡିବ। ତେବେ ସରକାର ଏପରି କିଛି ହଇରାଣ କରିପାରନ୍ତି ବୋଲି ଚାଷୀ ଆଗରୁ ହୁଏତ ଆକଳନ କରି ନେଇଥିଲେ। ଏଣୁ ଗତ ଖରିଫ ଋତୁରେ ଚାଷୀ ଗହମ ଚାଷର ରକବା ଆଗୁଆ ହ୍ରାସ  କରିଦେଇଥିଲେ। ଏଣୁ ହୁଏତ ଚାଷୀଙ୍କୁ ଅଭାବୀ ବିକ୍ରିର ସମ୍ମୁଖୀନ ହେବାକୁ ପଡି ନପାରେ ବୋଲି ମଧ୍ୟ ଆକଳନ କରାଯାଉଛି। କାରଣ ଗହମ କମ ଉତ୍ପାଦନ ହୋଇଥିବାରୁ ଚାଷୀ ତାର ବଳକା ଗହମକୁ ମଣ୍ଡିକୁ ଆଣିବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.