ଉଦଳା: ହଷ୍ଟେଲରୁ ଉଦ୍ଧାର ହେଲା ନାବାଳିକାର ଝୁଲନ୍ତା ମୃତଦେହ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ସ୍ଥିତ ଅନ୍ବେଷା ହଷ୍ଟେଲରେ। ହଷ୍ଟେଲରେ ରହୁଥିବା ଜଣେ ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ସ୍ଥାନୀୟ ଏକ ଘରୋଇ ବିଦ୍ୟାଳୟରେ ପାଠ ପଢ଼ୁଥିଲେ।
ସୂଚନା ଅନୁଯାୟୀ, ବୁଧବାର ହଷ୍ଟେଲରେ ଅଭିଭାବକଙ୍କ ବୈଠକ ହୋଇଥିଲା। ଏଥିରେ ନାବାଳିକାଙ୍କ ପରିବାର ଲୋକେ ମଧ୍ୟ ଯୋଗଦେଇଥିଲେ। ଅପରାହ୍ନ ୫ଟା ବେଳକୁ ଝିଅ ସହ କଥା ହୋଇ ପରିବାର ଲୋକେ ଘରକୁ ଫେରି ଯାଇଥିଲେ। ହେଲେ ସନ୍ଧ୍ୟାରେ ପ୍ରାର୍ଥନା ଛାତ୍ରୀ ଜଣକ ଅନୁପସ୍ଥିତ ରହିଥିଲେ। ଏମିତିରେ କାହିଁକି ପ୍ରାର୍ଥନାକୁ ଆସିନଥିଲେ ତାହା ଦେଖିବାକୁ ଯାଇ ନାବାଳିକାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ ହଷ୍ଟେଲରେ ରହୁଥିବା ତାଙ୍କ ଅନ୍ୟ ସାଥୀ।
ଏହା ପରେ ସେମାନେ ଘଟଣା ସମ୍ପର୍କରେ ହଷ୍ଟେଲ ମାଟ୍ରନଙ୍କ ଜଣାଇଥିଲେ। ପରେ ଖବର ପାଇ ପୋଲିସ, ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ଛାତ୍ରୀଙ୍କ ପରିବାର ଲୋକେ ମଧ୍ୟ ହଷ୍ଟେଲରେ ପହଞ୍ଚିଥିଲେ।
ତେବେ ଜଣାପଡ଼ିଛି ଅନେକ ସମୟରେ ଝିଅର ଦେହ ଅସୁସ୍ଥ ରହୁଥିଲା ଏମିତିକି ତାଙ୍କୁ ବାତ ମାରୁଥିଲା। ଆଉ ଝିଅକୁ ସୁସ୍ଥ କରିବା ପାଇଁ ପରିବାରଲୋକେ ଡାକ୍ତରୀ ଚିକିତ୍ସା କରାଇବା ସହ ଗୁଣି ଗାରେଡ଼ିର ସାହାଯ୍ୟ ନେଇଥିବା କହିଛନ୍ତି ମୃତ ଛାତ୍ରୀଙ୍କ ପରିବାରଲୋକେ। ଗୁଣି ଗାରେଡି କରି ଚିକିତ୍ସା କରାଇବା ପରେ ଝିଅ ସୁସ୍ଥ ହୋଇଥିବା କହିଛନ୍ତି ପରିବାରଲୋକେ।