ଦୋକାନ ବନ୍ଦ କରି ଯାଉଥିଲେ, ବନ୍ଧୁକ ଦେଖାଇ ନେଇଗଲେ ସୁନା-ରୂପା ସହ ନଗଦ ଟଙ୍କା

Published By : Prameya-News7 Bureau | October 03, 2024 IST

ଜଳେଶ୍ୱର ୦୩।୧୦ : ବନ୍ଧୁକ ମୁନରେ ଲୁଟ୍‌ । ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଲୁଟିନେଲେ ତିନି ଲୁଟେରା । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଡେମୁରିଆ ନିକଟରେ ଘଟିଛି ଘଟଣା । 

ଖବର ଅନୁଯାୟୀ, ସମ୍ପତିଆ ଗାଁର ଘନଶ୍ୟାମ କାମିଳାଙ୍କର ଡେମୁରିଆ ମାର୍କେଟରେ ମିନତୀ ଜୁଏଲାର୍ସ ନାଁର ଏକ ଗହଣା ଦୋକାନ ରହିଛି । ସବୁଦିନ ପରି ବୁଧବାର ବିଳମ୍ବିତ ରାତିରେ ଦୋକାନ ବନ୍ଦ କରି ବାଇକ ଯୋଗ ଘରକୁ ଫେରୁଥିଲେ ଘନଶ୍ୟାମ। ନିଛାଟିଆ ରାସ୍ତାରେ ତିନି ଜଣ ଦୁର୍ବୃତ୍ତ ଗାଡିକୁ ଅଟକାଇବା ସହ ବିଭିନ୍ନ ମାରଣାସ୍ତ୍ରରେ ଘନଶ୍ୟାମଙ୍କୁ ଆକ୍ରମଣ କରିଥିଲେ । ଏପିରିକି ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଘନଶ୍ୟାମଙ୍କ ପାଖରେ ଥିବା ଗହଣା ଏବଂ ଟଙ୍କା ଭର୍ତ୍ତି ବ୍ୟାଗ ଛଡାଇ ନେଇଥିଲେ । ଏହାପରେ ଏକ କଳାରଙ୍ଗର ଆପାଚି ବାଇକ୍‌ରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । 

ସେପଟେ ଲୁଟ୍‌ ସଂପର୍କରେ ଖବର ପାଇଁ ଜଳେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଏହାସହିତ ଲୁଟେରାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଆଉ ସନ୍ଦେହରେ ଜଣଙ୍କୁ ଅଟକ ରଖି ଜେରା କରୁଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.