ଢେଙ୍କାନାଳ: ଗୋଟିଏ କି ଦୁଇଟି ନୁହେଁ, ଅଞ୍ଚଳରେ ବୁଲୁଛନ୍ତି ୧୦୦ରୁ ଅଧିକ ବଣୁଆ ହାତୀ। ଭୟରେ ୫ଟି ପଞ୍ଚାୟତର ଶତାଧିକ ଲୋକ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ କର୍ଣ୍ଣପୁର ସେକ୍ସନ ଅଞ୍ଚଳରେ ରବିବାର ସନ୍ଧ୍ୟାରେ ଏହି ହାତୀ ପଲଙ୍କୁ ଦେଖିବାକୁ ମିଳିଛି। ଏହି ହାତୀ ପଲରେରେ ଦନ୍ତା, ମାଈ ହାତୀ ଓ ଛୋଟ ଛୁଆ ମିଶି ଶହେରୁ ଅଧିକ ହାତୀ ରହିଛନ୍ତି।
ସୂଚନା ଅନୁଯାୟୀ, ରବିବାର ୫୫ ନମ୍ବର ଜାତୀୟ ରାଜପଥ ନିମବାହାଳି ଛକରୁ ପୁରୁଣା କଟକ ସମ୍ବଲପୁର ରାସ୍ତାର ଗୁଲେହି ଛକକୁ ସଂଯୁକ୍ତ ପୂର୍ତ୍ତ ବିଭାଗ ରାସ୍ତାରେ ଏହି ହାତୀ ପଲକୁ ଦେଖିବାକୁ ମିଳିଛି। ସନ୍ଧ୍ୟାପରେ ଏହି ରାସ୍ତାର ପାଇକପୁରୁଣାକୋଟ ଗ୍ରାମ ଠାରୁ କିଛି ଦୂରରେ ରାସ୍ତା ଉପରେ ହାତୀ ପଲ ଘଣ୍ଟାଏ ସମୟ ରହିବାରୁ ଏହି ରାସ୍ତା ଦେଇ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ବିଶେଷ କରି ପାଚିଲା ଧାନ ଯୋଗୁ ଏହି ହାତୀ ପଲ ଅଂଚଳ ଛାଡ଼ି ଯାଉନାହାନ୍ତି । ହାତୀ ପଲ କଙ୍କାଳୁ ପଂଚାୟତ ଆଡ଼କୁ ଯାଉଥିବା ସୂଚନା ମିଳିଛି।
ଏମିତିରେ ପାଇକପୁରୁଣାକୋଟ, କନ୍ତିମିଲି, ପାଟଲା, ନୂଆଗାଁ ଓ କଙ୍କାଳୁ ଆଦି ପାଞ୍ଚଟିରୁ ଉର୍ଦ୍ଧ୍ବ ପଞ୍ଚାୟତ ଲୋକେ ହାତୀଙ୍କୁ ଭୟରେ ରହିଛନ୍ତି। ଗୋଟିଏ ପଟେ ଧାନ ଅମଳ ସମୟ ହୋଇଥିବାବେଳେ, ଏହି ହାତୀଙ୍କ ଯୋଗୁ ଫସଲ ଉଜୁଡିଯିବା ଆଶଙ୍କା କରି ଆତଙ୍କିତ ହୋଇପଡିଛନ୍ତି। ତେବେ ଖବର ପାଇ ବନ ବିଭାଗ କର୍ମଚାରୀମାନେ ପହଁଞ୍ଚ ହାତୀ ପଲଙ୍କ ଉପରେ କଡା ନଜର ରଖିଛନ୍ତି। ଏହା ସହିତ ହାତୀ ମାନଙ୍କର ଗତି ପଥ ଉପରେ ନଜର ରଖିଥିବା ସୂଚନା ମିଳିଛି।