ଯାଜପୁର: ଯାଜପୁର ବିରଜା ପରିକ୍ରମା ପ୍ରକଳ୍ପ ନେଇ ମୁହଁ ଖୋଲିଲେ ପ୍ରଣବ ପ୍ରକାଶ ଦାସ। ପ୍ରଣବ କହିଛନ୍ତି ‘‘ପ୍ରକଳ୍ପ ପାଇଁ ଆନ୍ଦୋଳନ କରି ଜେଲ ଯାଇଛନ୍ତି ଭବ ପ୍ରସାଦ ଦାସ। ଯାଜପୁରିଆଙ୍କୁ ପୋଲିସର ଫ୍ଲାଗ ମାର୍ଚ୍ଚ ମାଧ୍ୟମରେ ଦମ୍ଭ ଦେଖାଉଛନ୍ତି ସରକାର। ପ୍ରଥମେ ମୂଳ ପରିକ୍ରମା ପ୍ରକଳ୍ପ ସମ୍ପୂର୍ଣ୍ଣ ହେଉ। ଚାଷୀଙ୍କ ହାଟ ପାଇଁ ଜମି ଆବଶ୍ୟକ ହେଲେ ଅଧିଗ୍ରହଣ କରୁ ସରକାର। ହାଟ ଯେଉଁଠି ହେଉ ଆମର କିଛି ଅସୁବିଧା ନାହିଁ କିନ୍ତୁ ବିରଜା ପରିକ୍ରମା ପ୍ରକଳ୍ପ ତିଆରି ହୋଇଥିବା ନୀଳ ନକ୍ସା ଅନୁସାରେ କରାଯାଉ। ଯେଉଁଟା ପ୍ରକୃତ ପ୍ରକଳ୍ପ କରାଯାଇଛି ସେହି ନକ୍ସା ଅନୁସାରେ ମା’ଙ୍କ ପ୍ରକଳ୍ପ କରାଯାଉ। ଚାଷୀ ଭାଇମାନେ ଓ ବ୍ୟବସାୟୀମାନେ ଯାହା ଚାହୁଁଛନ୍ତି ସେଇଟା ହେଉ। ଏମିତି କି ଭବ ପ୍ରସାଦ ମା ଙ୍କ ପାଇଁ ଲଢି ଛନ୍ତି ତେଣୁ ସେ ଜେଲ ଯାଇଛନ୍ତି ।’’
ସୂଚନାଥାଉକି, ନୂଆ ହାଟ ଓ ପୁରୁଣା ହାଟକୁ ନେଇ ଯାଜପୁରରେ ବିବାଦ ଉଗ୍ର ରୂପ ଧାରଣ କରିଛି । ବିରଜା ହାଟ ପୁରୁଣା ସ୍ଥାନରେ ପୁନଃ ସ୍ଥାପନ ଲାଗି ପ୍ରକ୍ରିୟା ଆରମ୍ଭ କରିଥିଲା ଜିଲ୍ଲା ପ୍ରଶାସନ। ଯାହାକୁ ବିରୋଧ କରିଥିଲେ କିଛି ଗୋଷ୍ଠୀ। ତେଣୁ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁ ମୁହିଁ ହୋଇଥିଲେ। ଫଳରେ ପ୍ରଶାସନ ବିରଜା ହାଟ ଖୋଲିବାକୁ ସାମୟିକ ସ୍ଥଗିତ ରଖିଛି ।
ସେପଟେ ଭବ ଦାସ ଗିରଫ ପରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ନୂଆ ହାଟରେ ପୋଲିସ ମୁତୟନ ହୋଇଛନ୍ତି। କେଉଁ ସ୍ଥାନରେ ହାଟ ବସିବ ସେନେଇ ଦୋକାନି ଚିନ୍ତାରେ ପଡ଼ିଛନ୍ତି । ବିରଜା ମନ୍ଦିର ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଦାବି କରିଛନ୍ତି ସେବାୟତ। ପ୍ରକଳ୍ପ କାର୍ଯ୍ୟ ପାଇଁ ଅଧିଗ୍ରହଣ ହୋଇଥିବା ସଂପୂର୍ଣ୍ଣ ଜମିକୁ ଚିହ୍ନଟ କରିବା ସହ ସଂପୂର୍ଣ୍ଣ କାର୍ଯ୍ୟ ସାର୍ବଜନୀନ କରିବାକୁ ଦାବି କରିଛନ୍ତି। ପ୍ରକଳ୍ପ କାର୍ଯ୍ୟ ସଠିକ ଢ଼ଙ୍ଗରେ ହେଉ ନଥିବାରୁ ଅଧିଗ୍ରହଣ ଜମି ଏବେ ପୁନର୍ବାର ଜବରଦଖଲ ହେବା ଆରମ୍ଭ ହେଲାଣି। ୭ ଦିନ ଭିତରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନ ନେଲେ ଧାରଣା ଦେବେ ବୋଲି ସେବାୟତମାନେ ଧମକ ଦେଇଛନ୍ତି।
ଏମିତିରେ ହାଟ କେଉଁଠି ହେବ, ପ୍ରକଳ୍ପ କାର୍ଯ୍ୟ ଆଗେଇବ କି ନାହିଁ, ସପକ୍ଷବାଦୀ ବିପକ୍ଷବାଦୀ ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ଏଣେ ରାଜଧାନୀରେ ଜୋର ଧରିଛି ରାଜନୀତି।