ସନ୍ତୋଷ ଜନକ ଥିଲା ଚଳିତ ବାଲିଯାତ୍ରା, ଆସନ୍ତା ବର୍ଷ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ପୂର୍ତ୍ତ ମନ୍ତ୍ରୀ

Published By : Prameya-News7 Bureau | November 24, 2024 IST

କଟକ 24/11 : ସରିଲା ଐତିହାସିକ କଟକ ବାଲିଯାତ୍ରା। ନଅ ଦିନର ବାଲିଯାତ୍ରାରେ କିଛି ବ୍ୟବସାୟୀ ଆଶାତୀତ ବ୍ୟବସାୟ କରିଥିବା କହିଥିବା ବେଳେ କିଛି ବ୍ୟବସାୟୀ  ନିରାଶ ହୋଇଛନ୍ତି। ବିଶେଷ କରି ଓରମାସ ଭିତରେ ଅଧିକାଂଶ ଷ୍ଟଲ  ଯେଉଁମାନେ ପ୍ରକୃତରେ ପାରମ୍ପରିକ ଜିନିଷ ଆଣି ବିକ୍ରି କରୁଥିଲେ, ସେମାନେ ଭଲ ବ୍ୟବସାୟ କରିପାରିନଥିବା କହିଛନ୍ତି।

ଚଳିତ ବର୍ଷ ବାଲିଯାତ୍ରାରେ ରେକର୍ଡ଼ ଅଢେଇ ଶହ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଓରମାସ୍ ଗତ ବର୍ଷ ୩୫କୋଟି ଟଙ୍କାର ବ୍ୟବସାୟ କରିଥିବା ବେଳେ ଚଳିତ ବର୍ଷ ପ୍ରାୟ ୪୦କୋଟି ଟଙ୍କାର ବ୍ୟବସାୟ କରିଛି। ସେହିପରି ବାଲିଯାତ୍ରା ପରିଚାଳନା ଛୋଟ ମୋଟ ବ୍ୟତିକ୍ରମ ବ୍ୟତୀତ ସମ୍ପୂର୍ଣ୍ଣ  ସନ୍ତୋଷଜନକ ଥିଲା ବୋଲି କହିଛନ୍ତି ଜିଲ୍ଲାପାଳ। ବିଶେଷ କରି ୧୪ଟି ଦେଶରୁ ଆସିଥିବା ରାଷ୍ଟ୍ରଦୂତ ମାନେ ବାଲିଯାତ୍ରାର ଶାନ୍ତିପୂର୍ଣ୍ଣ ପରିଚାଳନାକୁ ପ୍ରଶଂସା କରିଥିଵା ଜିଲ୍ଲାପାଳ କହିଛନ୍ତି। ବାଲିଯାତ୍ରାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ବଡ ଆହ୍ବାନ ଥିଲେ ବି ସମସ୍ତଙ୍କ ସହଯୋଗ ପାଇଁ ପୋଲିସ ପୂରା ବାଲିଯାତ୍ରାକୁ ଶୃଙ୍ଖଳାର ସହ ପରିଚାଳନା କରିବାରେ ସଫଳ ହୋଇଛି ବୋଲି କହିଛନ୍ତି ଡିସିପି। ଚଳିତ ବର୍ଷ ବାଲିଯାତ୍ରାରେ ହଜିଯାଇଥିବା ପ୍ରାୟ ୭୦ଜଣ ଶିଶୁଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରିଛି ପୋଲିସ ସହାୟତା କେନ୍ଦ୍ର । ଏହାସହ ପ୍ରାୟ ୮୦ଟି ମୋବାଇଲ ଉଦ୍ଧାର କରି ଫେରାଇଛି ପୋଲିସ।ସେପଟେ ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଆସନ୍ତାବର୍ଷ ବାଲିଯାତ୍ରାରେ ଦକ୍ଷିଣ ପୂର୍ବ ଏସିଆର ବିଭିନ୍ନ ଦେଶର ପାରମ୍ପରିକ ଜିନିଷକୁ ନେଇ ସ୍ୱତନ୍ତ୍ର ଷ୍ଟଲ ଦେଖିବାକୁ ମିଳିବ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.