ଚେନ୍ନାଇ: ଗୁଜରାଟ ଟାଇଟନ୍ସକୁ ହରାଇ ଚେନ୍ନାଇ ସୁପର କିଙ୍ଗ୍ସ ୧୦ମ ଥର ଆଇପିଏଲ୍ ଫାଇନାଲ୍ରେ ପ୍ରବେଶ କରିଛି। ପ୍ରଥମ କ୍ଵାଲିଫାୟରରେ ଧୋନୀଙ୍କ ଦଳ ୧୫ ରନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟକୁ ପରାସ୍ତ କରିଛି। ତେବେ ମ୍ୟାଚ୍ ସମୟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବୋଲର ମଥିଶା ପଥିରାନାଙ୍କ ଯୋଗୁଁ ମ୍ୟାଚ୍ ପ୍ରାୟ ୫ ମିନିଟ୍ ବନ୍ଦ ରହିଥିଲା। ଏହି ସମୟରେ ଚେନ୍ନାଇର ଅଧିନାୟକ ଏମଏସ ଧୋନୀ ଏବଂ ଦଳର କିଛି ଖେଳାଳି ଅମ୍ପାୟରଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ଘଟଣା ଥିଲା ଏମିତି। ଗୁଜରାଟ ଟାଇଟନ୍ସର ୧୫ତମ ଓଭର ସରିବା ପରେ ଧୋନୀ ଦ୍ରୁତ ବୋଲର ପଥିରାନାଙ୍କୁ ବୋଲିଂ କରାଇବାକୁ ଚାହୁଁଥିଲେ। ମାତ୍ର ଅମ୍ପାୟର ପଥିରାନାଙ୍କୁ ବୋଲିଂ କରିବାକୁ ମନା କରିଥିଲେ। କାରଣ ସେ ୮ ମିନିଟ୍ରୁ ଅଧିକ ସମୟ ପର୍ଯ୍ୟନ୍ତ ପଡ଼ିଆରୁ ବାହାରେ ଥିଲେ।
{"id":791729,"sizeSlug":"full","linkDestination":"none"}ଆଇପିଏଲର ମ୍ୟାଚ୍ ପ୍ଲେଇଙ୍ଗ କଣ୍ଡିସନ ଅନୁଯାୟୀ, ଜଣେ ଖେଳାଳି ଯଦି ୮ ମିନିଟ୍ରୁ ଅଧିକ ସମୟ ପର୍ଯ୍ୟନ୍ତ ପଡ଼ିଆରୁ ବାହାରେ ରହିବେ ତେବେ ସେତିକି ସମୟ ପର୍ଯ୍ୟନ୍ତ ତାଙ୍କୁ ପଡ଼ିଆରେ ରହିବାକୁ ପଡ଼ିବ। ତା ପରେ ଯାଇ ବୋଲିଂ କରିବାକୁ ଅନୁମତି ମିଳିବ। ପଥିରାନା ପ୍ରାୟ ୯ ମିନିଟ୍ ପର୍ଯ୍ୟନ୍ତ ପଡ଼ିଆରୁ ବାହାରେ ଥିଲେ। ଏହା ପରେ ପଡ଼ିଆକୁ ଆସିଥିଲେ, ହେଲେ ନିୟମ ଅନୁଯାୟୀ ବୋଲିଂ କରିବାକୁ ହେଲେ ପଡ଼ିଆରେ ଆହୁରି ତାଙ୍କୁ କିଛି ସମୟ ରହିବାର ଥିଲା। ଧୋନୀ ମଧ୍ୟ ଏହି ବିଷୟରେ ଜାଣିନଥିଲେ। ଯେତେବେଳେ ଅମ୍ପାୟର ପଥିରାନାଙ୍କୁ ବୋଲିଂ କରିବାକୁ ଅଟକାଇଲେ, ଧୋନୀ ଏବଂ କିଛି ଖେଳାଳି ଅମ୍ପାୟରଙ୍କ ସହ ଆଲୋଚନା କରିଥିଲେ। ପ୍ରାୟ ୪ ମିନିଟ୍ ପର୍ଯ୍ୟନ୍ତ ଖେଳ ବନ୍ଦ ରହିବା ପରେ ପୁଣି ଥରେ ଆରମ୍ଭ ହୋଇଥିଲା ଏବଂ ପଥିରାନା ହିଁ ବୋଲିଂ କରିଥିଲେ।
ଆଇପିଏଲ୍ ୨୦୨୩ର ଫାଇନାଲ୍ରେ ପ୍ରବେଶ କରିଛି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ଵାଧୀନ ଚେନ୍ନାଇ ସୁପର କିଙ୍ଗ୍ସ। ଋତୁରାଜ ଗାଏକଓ୍ଵାଡଙ୍କ ଲଢୁଆ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶାଣିତ ବୋଲିଂ ବଳରେ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳା ଯାଇଥିବା ଆଇପିଏଲ୍ ୨୦୨୩ର ପ୍ରଥମ କ୍ଵାଲିଫାୟର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟନ୍ସକୁ ୧୫ ରନରେ ପରାସ୍ତ କରିଛି। ବିଜୟ ସହ ଚେନ୍ନାଇ ୧୦ମ ଥର ଆଇପିଏଲ୍ ଫାଇନାଲ୍ରେ ପହଞ୍ଚିବାରେ ସଫଳ ହୋଇଛି। ଅନ୍ୟପଟେ ପରାସ୍ତ ହୋଇଥିବା ଗୁଜରାଟ୍ ଟାଇଟନ୍ସ ଏଲିମିନେଟର ମୁକାବିଲାରେ ବିଜୟୀ ଦଳକୁ ଦ୍ଵିତୀୟ ପ୍ଲେ ଅଫରେ ଭେଟିବ।