ବରଗଡ଼ରେ ଚାଞ୍ଚଲ୍ୟ : ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ଜଙ୍ଗଲରୁ ମିଳିଲା ମୃତଦେହ

Published By : Prameya-News7 Bureau | March 24, 2025 IST

ବରଗଡ଼ ୨୪।୦୩ : ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ବୁର୍ଲା ନିକଟ ହୀରାକୁଦ ଜଳଭଣ୍ଡାର ଫିସରି ପଏଣ୍ଟ ଜଙ୍ଗଲରୁ ଜଣେ ନାବାଳିକାଙ୍କ କ୍ଷତବିକ୍ଷତ ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ । ନାବାଳିକାକୁ ଘରୁ ଅପହରଣ, ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ହତ୍ୟାରେ ଏକଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି। ଅପହରଣରେ ସମ୍ପୃକ୍ତ ନାବାଳିକାଙ୍କ ପୁରୁଷ ବନ୍ଧୁକୁ ପୋଲିସ୍ ଅଟକ ରଖିଛି । ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଏହା ଗଣଦୁଷ୍କର୍ମ ପରେ ହତ୍ୟା ନା କେବଳ ହତ୍ୟା ତାହା ସ୍ପଷ୍ଟ ହେବ ବୋଲି ପୋଲିସ୍ କହିଛି।

ଖବର ଅନୁଯାୟୀ, ନାବାଳିକାଙ୍କ ଘର ବରଗଡ଼ ଜିଲ୍ଲା ଟାଉନ୍ ଥାନା ଅଞ୍ଚଳରେ। ତାଙ୍କ ବୟସ ୧୭ ବର୍ଷ। ସେ ୧୯ ତାରିଖରୁ ନିଖୋଜ ଥିଲେ। ଏନେଇ ପରିବାର ଲୋକେ ବରଗଡ଼ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ ମାମଲା ରୁଜୁ କରି ତଦନ୍ତ କରୁଥିଲା। ନାବାଳିକା ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ପଳାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ଏହାପରେ ପୁରୁଷ ବନ୍ଧୁଙ୍କୁ ଧରି ନାବାଳିକାଙ୍କ ସମ୍ପର୍କରେ ପଚରାଉଚରା କରିବା ପରେ ସେ ହତ୍ୟା କରିଥିବା ସ୍ୱୀକାର କରିଥିଲା। ନାବାଳିକାଙ୍କ ହତ୍ୟାରେ ଅନ୍ୟ ଜଣେ ଯୁବକଙ୍କ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି। ଘଟଣାସ୍ଥଳରେ ତଦନ୍ତ ସହ ସାଇଣ୍ଟିଫିକ୍ ଟିମ୍ ନମୁନା ସଂଗ୍ରହ କରାଯାଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ଖୁବ୍ ଶୀଘ୍ର ଅନ୍ୟ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ୟୁରୋପର ଦୀର୍ଘମିଆଦି ରଣନୀତି, ପ୍ରସ୍ତୁତ ହେବ ୫-୧୦ ବର୍ଷର ଯୋଜନା

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.