ଖଣ୍ଡପଡ଼ା ୨୬।୦୩ : ବହୁ ଚର୍ଚ୍ଚିତ ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣାକୁ ହାତକୁ ନେଲା କ୍ରାଇମବ୍ରାଞ୍ଚ । ହତ୍ୟାକାରୀ ବାପା ପ୍ରକାଶକୁ ଗିରଫ କରି ସିନ୍ ରିକ୍ରିଏସନ କରୁଛି କ୍ରାଇମବ୍ରାଞ୍ଚ ।
ଖବର ଅନୁଯାୟୀ, ଗତ ୧୦ ତାରିଖରେ ନୟାଗଡ଼ ଫତେଗଡ଼ ଥାନା ଧାନଚେଙ୍ଗଡ଼ା ଗାଁରେ ଘଟିଥିଲା ଅଭାବନୀୟ ଘଟଣା । ୨ୟ ବିବାହକୁ ବିରୋଧ କରିବାକୁ ନିଜର ଜନ୍ମ କଲା ପୁଅକୁ ହତ୍ୟା କରିଥିଲା ଜହ୍ଲାଦ ବାପା । ୧୦ ତାରିଖରେ ଦୁଇ ଭାଇଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ମାମୁଁ ଘର ଲୋକ ହତ୍ୟା ଅଭିଯୋଗ ଆଣିଥିଲା । ପରେ ପୋଲିସ ତଦନ୍ତ କରି ଧାନଚାଙ୍ଗଡ଼ା ଗାଁର ପ୍ରକାଶ ମହାନ୍ତି ଓ ଜେଜେ ମା ସୋରୀ ମହାନ୍ତି ଦୁଇ ନାବାଳକଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିଲେ । ହତ୍ୟାର ୭ ଦିନ ପୂର୍ବରୁ ଜେଜେ ମା ଓ ବାପା ମିଶି ଯୋଜନା କରିଥିଲେ । କିନ୍ତୁ ବାରମ୍ବାର ଫେଲ୍ ହେଉଥିଲେ ।
ରବିବାର ବିଳମ୍ବିତ ରାତିରେ ପ୍ରଥମେ ସାନ ପୁଅ ବିକାଶକୁ ଟେକି ନେଇ ପାଇଖାନା ଭିତରେ ଶୁଆଇ ଦେଇଥିଲେ । ପରେ ବଡ଼ ପୁଅ ଆକାଶର ତଣ୍ଟି ଚିପି ହତ୍ୟା କରିଥିଲେ । ଆକାଶ ପାଟି କରିବାରୁ ଜେଜେ ମା ତା ପାଟିରେ ଲୁଗା ପୁରାଇ ବନ୍ଦ କରିଦେଇଥିଲା । ଯାହାଫଳରେ ପାଟି ଆଉ ଶୁଭିନଥିଲା । ସାନ ପୁଅ ବିକାଶକୁ ତଣ୍ଟି ଚିପି ହତ୍ୟା କରିବା ପରେ ହାତକୁ ବାନ୍ଧି ଦୁଇ ଭାଇଙ୍କୁ ଗୋଟିଏ ରଶିରେ ଝୁଲାଇ ଦେଇଥିଲେ । ଯାହାକୁ ଆତ୍ମହତ୍ୟାର ରୂପ ଦେଇଥିଲେ ପ୍ରକାଶ।
ସେପଟେ ପୋଲିସ ଘଟଣାର ତଦନ୍ତ କରିବା ପରେ ସବୁ ସତ ସାମ୍ନାକୁ ଆସିଥିଲା । ଆଉ ପୋଲିସ ଆଗରେ ଅଭିଯୁକ୍ତମାନେ ନିଜ ନିଜର ଦୋଷ ସ୍ୱୀକାର କରିଥିଲେ । ପ୍ରକାଶ ଓ ଜେଜେ ମାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ ।ପରେ ଘଟଣା ଅଧିକ ତଦନ୍ତ ପାଇଁ କେସ୍କୁ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି । ଏହିକ୍ରମରେ କ୍ରାଇମବ୍ରାଞ୍ଚ ଗାଁରେ ପହଞ୍ଚି ଛାନ୍ଭିନ୍ କରୁଛି । ପ୍ରଥମେ ସିନ୍ ରିକ୍ରିଏସନ୍ କରୁଛି କ୍ରାଇମବ୍ରାଞ୍ଚ ।