ଲୁପ୍ ଲାଇନ୍‌ରେ ଏଣ୍ଟ୍ରି କରିଥିଲା ବାଗମତୀ ଏକ୍ସପ୍ରେସ; ଦୁର୍ଘଟଣା ମନୁଷ୍ୟକୃତ ନା ଯାନ୍ତ୍ରିକ ତ୍ରୁଟି ?

Published By : Prameya-News7 Bureau | October 12, 2024 IST

ଚେନ୍ନାଇ: ଘଣ୍ଟାପ୍ରତି ୭୫ କିଲୋମିଟର ବେଗ । ମେନ୍ ଲାଇନ୍ ବଦଳରେ ଲୁପ୍ ଲାଇନ୍‌ରେ ଏଣ୍ଟ୍ରି । ମାଲବାହୀକୁ ଧକ୍କା ଦେଲା ବାଗମତୀ ଏକ୍ସପ୍ରେସ । ୧୯ଜଣ ଆହତ, ଆଇସିୟୁରେ ୩ଜଣ । ଟ୍ରେନ୍ ଦୁର୍ଘଟଣାର ଏ ଡ୍ରୋନ୍ ଚିତ୍ର ପୁଣି ଥରେ ବାହାନଗାର ବିଭିଷୀକାକୁ ବୟାନ କରୁଛି । ୨ ଜୁନ୍ ୨୦୨୩ ବାଲେଶ୍ବର ଦୁର୍ଘଟଣା ପରି ଟ୍ରେନ୍ ବଗି ଗୁଡ଼ିକ ଏଣେ ତେଣେ ଖେଳେଇ ହୋଇପଡ଼ିଛି । ଫରକ୍ ଏତିକି ବାହାନଗାରେ ଗଡ଼ିଥିଲା ଶହ ଶହ ଯାତ୍ରୀଙ୍କ ମୁଣ୍ଡ ମାତ୍ର ଏଠି ଏପର୍ଯ୍ୟନ୍ତ ୧୯ଜଣ ଆହତରେ ସୀମିତ ରେଳ ଦୁର୍ଘଟଣା । ବାଲେଶ୍ବରରେ କରମଣ୍ଡଳ ଧକ୍କାର କରାଳ ଚିତ୍ର ଦେଖିବାକୁ ମିଳିଥିଲା, ହେଲେ ତିରୁଭଲ୍ଲୁରରେ ବାଗମତୀ ଏକ୍ସପ୍ରେସ ଏକ ମାଲଗାଡିକୁ ଧକ୍କା ଦେଇଛି । 

ଅକ୍ଟୋବର ୧୧ ତାରିଖ ଶୁକ୍ରବାର ରାତି ପ୍ରାୟ ସାଢ଼େ ୮ଟା ସମୟ ହେବ । ଚେନ୍ନାଇ ରେଳ ଡିଭିଜନର ତିରୁଭଲ୍ଲୁର ଜିଲ୍ଲାରୁ ଟ୍ରେନ୍ ଦୁର୍ଘଟଣାର ଖବର ଆସିଥିଲା । କାଓ୍ବାରାଈପେଟ୍ଟାଈ ରେଳ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା ମହୀଶୂରରୁ ବିହାର ଦରଭଙ୍ଗା ଯାଉଥିବା ବାଗମତୀ ଏକ୍ସପ୍ରେସ । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଯାତ୍ରୀବାହୀ ଟ୍ରେନର ୧୨ଟି ବଗି ଦିଆସିଲି ଖୋଳ ପରି ଖେଳେଇ ହୋଇପଡ଼ିଥିଲେ । ଦୁର୍ଘଟଣା ପରେ ବାଗମତୀ ଏକ୍ସପ୍ରେସର ୨ଟି ଡବା ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି । ହେଲେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ । ଏଥିରେ ୧୯ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।

ଶୁକ୍ରବାର ତିରୁଭଲ୍ଲୁରରେ ବାଗମତୀ ଏକ୍ସପ୍ରେସ ମାଲବାହୀ ଟ୍ରେନକୁ ଧକ୍କା ଦେବା ଘଟଣା ବାଲେଶ୍ବର ଦୁର୍ଘଟଣାର କପି ପେଷ୍ଟ ବୋଲି କୁହାଯାଉଛି । ଚେନ୍ନାଇ ଡିଭିଜନର ଜଣେ ଅଧିକାରୀ କହିଛନ୍ତି, ମହୀଶୂରରୁ ଦରଭଙ୍ଗା ଯାଉଥିବା ବାଗମତୀ ଏକ୍ସପ୍ରେସ ଘଣ୍ଟା ପ୍ରତି ୭୫ ବେଗରେ ଗତି କରୁଥିଲା । କାଓ୍ବାରାଈପେଟ୍ଟାଈ ରେଳ ଷ୍ଟେସନ ନିକଟରେ ଟ୍ରେନକୁ ମେନ୍ ଲାଇନ ବଦଳରେ ଲୁପ୍ ଲାଇନରେ ଯିବାକୁ ସିଗନାଲ୍ ମିଳିଥିଲା । ଫଳରେ ଲୁପ୍ ଲାଇନରେ ଛିଡ଼ା ହୋଇଥିବା ମାଲଗାଡ଼ିକୁ ଧକ୍କା ଦେଇ ଦୁର୍ଘଟଣାର ଶିକାର ହୋଇଛି ବାଗମତୀ ଏକ୍ସପ୍ରେସ୍ ।  


କିପରି ହେଲା ଏକେ ବଡ଼ ଦୁର୍ଘଟଣା ? ଟ୍ରେନ୍ ଧକ୍କା ମନୁଷ୍ୟକୃତ ନା ଯାନ୍ତ୍ରିକ ତୃଟି । ଉକ୍ତ ରେଳ ଲାଇନରେ କବଚ ସିଷ୍ଟମ ଥିଲା କି ନାହିଁ ? ବାଲେଶ୍ବର ବାହନଗା ଟ୍ରେନ୍ ଧକ୍କା ପରେ ଦେଶର କୌଣସି ସ୍ଥାନରେ ରେଳ ଦୁର୍ଘଟଣା ହେଲେ ଏଭଳି କିଛି ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି । ଏହାରି ଭିତରେ ବାଗମତୀ ଏକ୍ସପ୍ରେସ ଦୁର୍ଘଟଣାର ରେଳ ବିଭାଗ ତଦନ୍ତ ନିର୍ଦ୍ଦେଶ ଦେଇଛି  । ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ପାଇଁ ହେଲ୍ପ ଲାଇନ ଜାରି କରାଯାଇଛି ।

RTI ତଥ୍ୟ ଅନୁଯାୟୀ, ୨୦୨୩-୨୪ରେ ଦେଶରେ ୪୦ଟି ରେଳ ଦୁର୍ଘଟଣା ହୋଇଛି । ଏଥିରେ ମୋଟ୍ ୩୧୩ଜଣ ଯାତ୍ରୀଙ୍କ ସମେତ ୪ଜଣ ରେଲଓ୍ବେ କର୍ମଚାରୀ ପ୍ରାଣ ହରାଇଛନ୍ତି । ସେହିପରି ଶତାଧିକ ଲୋକ ଆହତ ହୋଇଛନ୍ତି । ଗତ ୧୦ ବର୍ଷର ରିପୋର୍ଟକୁ ଦେଖିଲେ ମୋଟ୍ ୬୩୮ଟି ଟ୍ରେନ୍ ଆକ୍ସିଡେଣ୍ଟ ହୋଇଛି । ଏଥିରେ ୮୧୯ଜଣଙ୍କ ଜୀବନ ଯାଇଥିବା ସୂଚନା ରହିଛି ।...   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.