ଗୋ ଫାଷ୍ଟର ଆବେଦନ ସ୍ୱୀକାର କଲା ଏନସିଏଲଟି, ସସପେଣ୍ଡ୍‌ ହେଲା ବୋର୍ଡ

Published By : Prameya-News7 Bureau | May 10, 2023 IST

ନୂଆଦିଲ୍ଲୀ, ୧୦/୦୫: ଗୋ ଫାଷ୍ଟର ଦେବାଳିଆ ମାମଲାରେ ନିଷ୍ପତ୍ତି ଶୁଣାଇଛି ନାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ (ଏନସିଏଲଟି)। ମାମଲାରେ ଶୁଣାଣି କରି ଏନସିଏଲଟି କମ୍ପାନିକୁ ଆଶ୍ବସ୍ତି ଆଣିଦେଇଛି। ଏନସିଏଲଟି ଗୋ ଫାଷ୍ଟର ଆବେଦନକୁ ସ୍ବୀକାର କରି ପରିଚାଳନା ଏବଂ ବୋର୍ଡ ଅଫ୍‌ ଡାଇରେକ୍ଟରଙ୍କୁ ମଧ୍ୟ ସସପେଣ୍ଡ୍‌ କରିଛନ୍ତି। ଏହି ଆଶ୍ବସ୍ତି ପରେ ଏବେ ଏୟାରଲାଇନକୁ ପୁନଃରୁଦ୍ଧାର ସୁଯୋଗ ମିଳିପାରିବ।

କମ୍ପାନୀ ଉପରେ ଆର୍ଥିକ ସଙ୍କଟ ଘନେଇବା ପରେ ଗୋ ଫାଷ୍ଟ ଏନସିଏଲଟି ନିକଟରେ ସ୍ବେଚ୍ଛାକୃତ ଦେବାଳିଆ ସମାଧାନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ କହିଥିଲା। ଗତ ସପ୍ତାହରେ ଏନସିଏଲଟି ଗୋ ଫାଷ୍ଟର ଯାଚିକା ଉପରେ ଶୁଣାଣି କରିବା ପରେ ନିଷ୍ପତ୍ତି ସୁରକ୍ଷିତ ରଖିଥିଲେ। ତେବେ ବୁଧବାର ଶୁଣାଣି କରି ଏନସିଏଲଟି, ଗୋ ଫାଷ୍ଟ ପରିଚାଳନା ପାଇଁ ଅଭିଳାଷ ଲାଲଙ୍କୁ ଅନ୍ତରୀଣ ରେଜୋଲ୍ୟୁସନ ପ୍ରୋଫେସନାଲ ଅର୍ଥାତ୍‌ ଆଇଆରପି ଭାବରେ ନିଯୁକ୍ତ କରିଛନ୍ତି। ଏନସିଏଲଟି ଗୋ ଫାଷ୍ଟକୁ କାମ ସଂପୂର୍ଣ୍ଣ କରିବା, ଆର୍ଥିକ ବାଧାକୁ ସାମାଧାନ କରିବା ସହ କୌଣସି କର୍ମଚାରୀଙ୍କ ଛଟେଇ ନକରିବାକୁ ମଧ୍ୟ କହିଛି।

ଏୟାରଲାଇନ୍‌ ପ୍ରଥମେ ଏହାର ବିମାନ ମେ ୩,୪,୫ରେ ରଦ୍ଧ କରିଥିଲା। ଏହାପରେ ୯, ପୁଣି ୧୨ ଏବଂ ପରେ ୧୯ ତାରିଖ ପର୍ଯ୍ୟନ୍ତ ବଢ଼ାଇଥିଲେ। ବିମାନ ପାଖରେ ଇନ୍ଧନ ପାଇଁ ମଧ୍ୟ ଟଙ୍କା ନାହିଁ। ଓ୍ବାଡିଆ ଗ୍ରୁପ୍‌ର ଗୋ ଫାଷ୍ଟ, ଏୟାରଲାଇନ ବିମାନର ଇଞ୍ଜନ ଯୋଗାଣ ସମ୍ବନ୍ଧୀୟ ସମସ୍ୟା ଦର୍ଶାଇ ଆର୍ଥିକ ସଙ୍କଟ କାରଣରୁ କମ୍ପାନୀ ବିମାନ ପରିଚାଳନା ଚାଲୁ ରଖିବାରେ ଅସମର୍ଥ ଥିବା ଦର୍ଶାଇଥିଲା।

ଗୋ ଫାଷ୍ଟ ଆର୍ଥିକ ସଙ୍କଟ ଘନେଇବା ପରେ ଏନସିଏଲଟି ନିକଟରେ ସ୍ବେଚ୍ଛାକୃତ ଦେବାଳିଆ ସମାଧାନ ପ୍ରକ୍ରିୟା ଆରମ୍ଭ କରିବା ଅପିଲ୍‌ କରିଥିଲା। ଗୋ ଫାଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କୌଶିକ ଖୋନା କହିଛନ୍ତି ଏୟାରଲାଇନର ଦେବାଳିଆ ସମାଧାନ ପ୍ରକ୍ରିୟା ଆବେଦନ ସ୍ବୀକାର କରିବା ନିର୍ଣ୍ଣୟ ଐତିହାସିକ ନିଷ୍ପତ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.