ମୁମ୍ବାଇ,୧୦/୧୧: ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଦ୍ବିତୀୟ ଟି-୨୦ । ସୁପର ସନଡେ’ରେ ହେବ ସୁପର ଫାଇଟ୍ । ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବା ଟିମ୍ ଇଣ୍ଡିଆ ଏବେ ଦ୍ବିତୀୟ ମ୍ୟାଚ୍ ଜିତିବା ଲକ୍ଷ୍ୟରେ ରହିଛି । ଡର୍ବାନ ଭଳି ସେଣ୍ଟ ଜର୍ଜ ପାର୍କ ଗ୍ରାଉଣ୍ଡ୍ରେ ଆଧିପତ୍ୟ ବିସ୍ତାର ଲାଗି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ସୂର୍ଯ୍ୟ ସେନା । ଘରୋଇ ଦଳ ମଧ୍ୟ ୪ଟି ମ୍ୟତ୍ ବିଶିଷ୍ଟ ସିରିଜକୁ ଫେରିବାକୁ ପ୍ରୟାସ କରିବ । ଫଳରେ ରବିବାର ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ହେବା ବୋଲି ଆଶା କରାଯାଉଛି ।
ଡର୍ବାନରେ ସଞ୍ଜୁ ସାମସନ ଓ ସ୍ପିନରମାନେ ଟିମ୍ ଇଣ୍ଡିଆକୁ ଏକତରଫା ଭାବେ ବିଜୟୀ କରାଇଥିଲେ । ରବିବାର ମଧ୍ୟ ସଞ୍ଜୁ ସାମସନଙ୍କ ଉପରେ ରହିବ ସମସ୍ତଙ୍କ ନଜର ରହିବ । ଅନ୍ୟ ବ୍ୟାଟରମାନେ ମଧ୍ୟ ବିଧ୍ୱଂସୀ ବ୍ୟାଟିଂ କରିବାକୁ ପ୍ରସ୍ତୁତ ରହିଛନ୍ତି । ମାତ୍ର ଏଥର ଘରୋଇ ଦଳକୁ ହରାଇବା ସହଜ ହେବ ନାହିଁ । କାରଣ ସେଣ୍ଟ ଜର୍ଜ ପିଚ୍ରେ ଘାସ ରହିଛି । ଏହା ପେସ୍ ବୋଲରଙ୍କୁ ସୁହାଇବ । ଦକ୍ଷିଣ ଆଫ୍ରିକା ଦଳରେ ଦକ୍ଷ ପେସ୍ ବୋଲର ରହିଛନ୍ତି ।
ଭାରତକୁ ହରାଇବାର ଯଥେଷ୍ଟ କ୍ଷମତା ଦକ୍ଷିଣ ଆଫ୍ରିକା ନିକଟରେ ରହିଛି । ବିଶେଷ କରି ଡେଭିଡ୍ ମିଲର, ହେନରିକ କ୍ଲାସେନ ଓ ଆଡେନ ମାରକ୍ରମଙ୍କ ଭଳି ଦୁର୍ଦ୍ଧର୍ଷ ବ୍ୟାଟର ଯେକୌଣସି ବୋଲିଂ ବିଭାଗକୁ ଧ୍ୱଂସ କରିପାରିବେ । ଅବଶ୍ୟ ପ୍ରଥମ ମ୍ୟାଚ୍ରେ ଭାରତୀୟ ସ୍ପିନରମାନେ ମିଲର ଓ କ୍ଲାସେନଙ୍କୁ ସହଳ ପାଭିଲିୟନ ପଠାଇବାରେ ସଫଳ ହୋଇଥିଲେ ।
ଆଜିର ମ୍ୟାଚ୍ରେ ସୂର୍ଯ୍ୟସେନାରେ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ । ଘରୋଇ ଦଳ ସାମାନ୍ୟ ପରିବର୍ତ୍ତନ କରିପାରେ । ଫର୍ମରେ ରହିଥିବା ରିଜା ହେଣ୍ଡରିକ୍ସ ଏକାଦଶକୁ ଫେରିପାରନ୍ତି । ବ୍ୟାଟିଂ ପାଇଁ ଅନୁକୂଳ ପିଚ୍: ସେଣ୍ଟ ଜର୍ଜ ପାର୍କର ପିଚ୍ ପେସ୍ ବୋଲରଙ୍କୁ ବେଶ ସହାୟକ ହେବ ।