ପ୍ୟାରିସ: ଭାରତର ଷ୍ଟାର ଆଥଲେଟ୍ ନୀରଜ ଚୋପ୍ରା ଭାରତୀୟଙ୍କୁ ବଡ଼ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ରୌପ୍ୟ ପଦକ ପାଇଁ କୋର୍ଟରେ ଚାଲିଥିବା ଲଢେଇ ସମୟରେ ପହିଲମାନ ଭିନେଶ ଫୋଗାଟ୍ଙ୍କୁ ଭୁଲନ୍ତୁ ନାହିଁ। ପ୍ୟାରିସ୍ରେ ଗୋଟିଏ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ନୀରଜ କହିଛନ୍ତି, ପ୍ରଶଂସକ ସେହି ଆଥଲେଟ୍ଙ୍କୁ ଭୁଲି ଯିବାର ଅଭ୍ୟାସ୍ ରହିଛି ଯେଉଁମାନେ ଅଲିମ୍ପିକ୍ସରେ ପଦକ ଜିତି ପାରନ୍ତି ନାହିଁ। ଭିନେଶଙ୍କ ସହ ଏପରି ନ କରିବାକୁ ନୀରଜ ଜନତାଙ୍କୁ ଅପିଲ୍ କରିଛନ୍ତି। ଅଗଷ୍ଟ ୧୧ ତାରିଖରେ ଭିନେଶଙ୍କ ଆବେଦନ ଉପରେ ନିଷ୍ପତ୍ତି ଶୁଣାଇବ କ୍ରୀଡ଼ା ସଂପର୍କିତ ମାମଲାର ଶୁଣାଣି କରୁଥିବା ସିଏଏସ। ନିଷ୍ପତ୍ତି ଭିନେଶଙ୍କ ସପକ୍ଷରେ କିମ୍ବା ବିପକ୍ଷରେ ଆସିପାରେ।
ନୀରଜ ଚୋପ୍ରା ଇଣ୍ଡିଆ ଓପନ ହାଉସରେ ଏକ ସାକ୍ଷାତକାରରେ କହିଛନ୍ତି, ଆମେ ସବୁ ଜାଣିଛୁ ଯେ, ଭିନେଶଙ୍କୁ ଯଦି ପଦକ ମିଳେ ତେବେ ବହୁତ ଖୁସିର କଥା ହେବ। ଯଦି ସେ ଅଯୋଗ୍ୟ ଘୋଷିତ ହୋଇ ନ ଥାନ୍ତେ ତେବେ ପଦକ ଜିତି ସାରିଥାନ୍ତେ। ଯଦି ଆମେ ପଦକ ଜିତୁ ତେବେ ଲୋକେ ଆମକୁ କିଛି ସମୟ ପାଇଁ ମନେ ରଖନ୍ତି ଏବଂ ଆମକୁ ଚାମ୍ପିଅନ କୁହନ୍ତି। କିନ୍ତୁ ପଦକ ନ ଜିତିଲେ ଆମକୁ ଲୋକେ ଭୁଲି ଯାଆନ୍ତି। ମୁଁ ଲୋକଙ୍କୁ କେବଳ ଏତିକି ଅନୁରୋଧ କରିବି ଯେ, ଭିନେଶ ଦେଶ ପାଇଁ ଯାହା କରିଛନ୍ତି, ତାହାକୁ କଦାପି ଭୁଲନ୍ତୁ ନାହିଁ।
ନୀରଜଙ୍କ ଏମିତି ବୟାନରୁ ସଙ୍କେତ ମିଳୁଛି ଯେ, ଭିନେଶ ଫୋଗାଟଙ୍କ ବିପକ୍ଷରେ ସିଏଏସର ରାୟ ଯାଇପାରେ। ଏହା ପରେ ଲୋକଙ୍କ ମନ ଉଦାସରେ ଭରି ଯାଇଛି। ଭିନେଶ ଲଗାତାର ୩ଟି ମ୍ୟାଚ୍ ଜିତି ଫାଇନାଲ୍ରେ ପହଞ୍ଚିଥିଲେ। ଅଗଷ୍ଟ ୭ରେ ଫାଇନାଲ୍ ଖେଳା ଯିବାର ଥିଲା। କିନ୍ତୁ ସେହି ଦିନ ସକାଳେ ଓଜନ ମପା ଯିବାରୁ ଭିନେଶ ନିର୍ଦ୍ଧାରିତ ୫୦ କିଲୋଗ୍ରାମଠୁ ୧୦୦ ଗ୍ରାମ ଅଧିକ ଥିଲା। ତେଣୁ ତାଙ୍କୁ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ କରାଯାଇଥିଲା।