ନୂଆଦିଲ୍ଲୀ ୨୪।୧: ସୈନ୍ୟ କ୍ଷମତା ରାଙ୍କିଙ୍ଗକୁ ନେଇ ‘ଗ୍ଲୋବାଲ ଫାୟାର ପାୱାର’ ୨୦୨୫ ବର୍ଷ ନିମନ୍ତେ ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶଙ୍କ ନୂଆ ତାଲିକା ଜାରି କରିଛି। ଏଥର ସୂଚୀରେ ମୋଟ ୧୪୫ ଦେଶଙ୍କୁ ସାମିଲ କରାଯାଇଛି। ସୈନ୍ୟ କ୍ଷମତାର ଏହି ରାଙ୍କିଙ୍ଗ ବୈଶ୍ୱିକ ସ୍ତରରେ ଦେଶମାନଙ୍କ ସୈନ୍ୟ କ୍ଷମତାର ମୂଲ୍ୟାୟନ କରିଥାଏ, ଯେଉଁଥିରେ ବିଭିନ୍ନ ଦିଗକୁ ଧ୍ୟାନରେ ରଖାଯାଇଥାଏ ଯେପରିକି ସୈନ୍ୟ ୟୁନିଟ୍ ସଂଖ୍ୟା, ଆର୍ଥିକ ସ୍ଥିତି, ଲଜିଷ୍ଟିକ୍ ଇଫିସେନ୍ସି ଓ ଭୂଗୋଳ ଆଦି ଶ୍ରେଣୀକୁ ଧ୍ୟାନ ଦିଆଯାଇଥାଏ।
ସୈନ୍ୟ କ୍ଷମତାରେ ଟପ-୩
ଏହି ରାଙ୍କିଙ୍ଗରେ ସେପରି କୌଣସି ବଡ଼ ଧରଣର ପରିବର୍ତ୍ତନ ହୋଇ ନାହିଁ। ଆମେରିକା, ଋଷିଆ ଓ ଚୀନ୍ ଲାଗାତାର ଶୀର୍ଷ ସ୍ଥାନରେ ରହିଛନ୍ତି। ଏଥିରେ ଆମେରିକା ପ୍ରଥମ ସ୍ଥାନରେ ଥିବା ବେଳେ ଋଷିଆ ଦ୍ୱିତୀୟ ଓ ଚୀନ୍ ତୃତୀୟ ସ୍ଥାନରେ ରହିଛି। ଏହି ଦେଶଙ୍କ ମଧ୍ୟରେ ସୈନ୍ୟ ତାକତକୁ ନେଇ ସେପରି କୌଣସି ପରିବର୍ତ୍ତନ ହୋଇ ନାହିଁ, ଯାହା ଏହା ଦର୍ଶାଉଛି ଏହି ଦେଶମାନେ ବୈଶ୍ୱିକ ସୈନ୍ୟ କ୍ଷମତାରେ ନିଜର ସ୍ଥିତିକୁ କାୟମ ରଖିବାରେ ସକ୍ଷମ ଅଟନ୍ତି।
ଭାରତ ଓ ଦକ୍ଷିଣ କୋରିଆକୁ ମିଳିଛି ସ୍ଥାନ
ଏଥର ଭାରତ ଗ୍ଲୋବାଲ ଫାୟାର ପାୱାର ତାଲିକାର ଚତୁର୍ଥ ସ୍ଥାନକୁ ପହଞ୍ଚିଛି, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ମନେ କରାଯାଉଛି। ଭାରତ ପଛକୁ ଏହି ସୂଚୀରେ ଦକ୍ଷିଣ କୋରିଆ ପଞ୍ଚମ ସ୍ଥାନରେ ରହିଛି। ୨୦୨୪ ରାଙ୍କିଙ୍ଗ ଭଳି ଚଳିତବର୍ଷ ମଧ୍ୟ ଏହି ଦୁଇ ଦେଶଙ୍କ ସ୍ଥାନରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଯେଉଁଥିରୁ ସଂକେତ ମିଳୁଛି ଭାରତ ଓ ଦକ୍ଷିଣ କୋରିଆ ସୈନ୍ୟ କ୍ଷେତ୍ରରେ ନିଜର ସ୍ଥିତିରେ ଦୃଢତାର ସହିତ କାୟମ ଅଛନ୍ତି।
ରାଙ୍କିଙ୍ଗରେ ଅନ୍ୟ ପ୍ରମୁଖ ଦେଶ
ସୈନ୍ୟ କ୍ଷମତା ରାଙ୍କିଙ୍ଗରେ ବ୍ରିଟେନ, ଫ୍ରାନ୍ସ, ଜାପାନ, ତୁର୍କିୟେ ଓ ଇଟାଲୀର ନାମ ରହିଛି। ଯେଉଁମାନେ କ୍ରମଶଃ ଷଷ୍ଠରୁ ୧୦ ସ୍ଥାନ ମଧ୍ୟରେ ରହିଛନ୍ତି। ବ୍ରିଟେନ ଏଥିରେ ଷଷ୍ଠ ସ୍ଥାନରେ ଥିବା ବେଳେ ଫ୍ରାନ୍ସ ସପ୍ତମ ସ୍ଥାନରେ ରହିଛି। ଜାପାନ ଅଷ୍ଟମ ସ୍ଥାନରେ ଥିବା ବେଳେ ତୁର୍କିୟେ ନବମ ସ୍ଥାନରେ ରହିଛି ଓ ଏହି ସୂଚୀର ୧୦ମ ସ୍ଥାନରେ ରହିଛି ଇଟାଲୀ। ଏହି ଦେଶମାନଙ୍କ ସୈନ୍ୟ କ୍ଷମତା ବୈଶ୍ୱିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ ଓ ଏହି ରାଙ୍କିଙ୍ଗ ସେହି ଦେଶମାନଙ୍କ ସୈନ୍ୟ କ୍ଷମତାକୁ ଉପଯୁକ୍ତ ରୂପେ ପ୍ରଦର୍ଶିତ କରୁଛି।
ପାକିସ୍ତାନର ସ୍ଥିତି
ଚଳିତବର୍ଷ ପାକିସ୍ତାନ ତାଲିକାର ପ୍ରଥମ ୧୦ ସ୍ଥାନରୁ ବାହାର ହୋଇଯାଇଛି। ତାଲିକାରେ ପାକିସ୍ତାନକୁ ସୈନ୍ୟ ଶକ୍ତି ମାମଲାରେ ଦ୍ୱାଦଶତମ (୧୨) ସ୍ଥାନ ମିଳିଛି। ଗତବର୍ଷ ସୂଚୀରେ ପାକିସ୍ତାନ ନବମ ସ୍ଥାନରେ ଥିଲା। ହେଲେ ଚଳିତ ବର୍ଷ ପାକିସ୍ତାନ ୩ ପାହାଚ ତଳକୁ ଖସିଛି। ଏହି ହ୍ରାସ କାରଣରୁ ପାକିସ୍ତାନର ସୈନ୍ୟ ସଂଶାଧନ ଓ କ୍ଷମତାରେ କିଛି ପରିବର୍ତ୍ତନର ସଂକେତ ମିଳୁଛି। ଏହା ଛଡା ଅଷ୍ଟ୍ରେଲିଆ ଓ ୟୁକ୍ରେନର ରାଙ୍କିଙ୍ଗରେ ମଧ୍ୟ ହ୍ରାସ ଦେଖାଯାଇଛି।