ଆସୁଛି ଆଉ ଏକ ଲଘୁଚାପ, ୫ ଦିନ ବିଭିନ୍ନ ସ୍ଥାନରେ ବର୍ଷା ନେଇ ଆଲର୍ଟ

Published By : Prameya-News7 Bureau | July 06, 2024 IST

ଭୁବନେଶ୍ୱର ୦୬।୦୭ : ଆସନ୍ତା ୭ ତାରିଖରେ ଦକ୍ଷିଣ ଓଡ଼ିଶା ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ । ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ହେବ ।  କିନ୍ତୁ ଭାରୀ ବର୍ଷା ସମ୍ଭାବନା ନାହିଁ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି । 

ଡ. ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ୭ରେ  ଲଘୁଚାପ ସୃଷ୍ଟି ହେବ । ୮ରେ ଏହା ଆଭ୍ୟନ୍ତରୀଣ  ଓଡ଼ିଶା ଓ ଛତିଶଗଡ଼ ଉପରେ ରହିବ । ସୃଷ୍ଟି ହୋଇଥିବା  ଘୂର୍ଣ୍ଣିବଳୟ ଓ ଲଘୁଚାପ ପ୍ରଭାବରେ ଆସନ୍ତା ୫ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଅଧିକାଂଶ  ସ୍ଥାନରେ ସ୍ୱଳ୍ପ ପରିମାଣର ବର୍ଷା ହେବ। କିଛି ସ୍ଥାନରେ  ମଧ୍ୟମ ଓ ଭାରୀ ବର୍ଷା ହୋଇପାରେ । 

୭ ଓ ୮ ତାରିଖରେ ପୁରୀରେ ବର୍ଷା ଲାଗି ରହିବ ।   ଦୁଇ ଦିନରେ ମୋଟ ୩୦ରୁ ୩୫ ମିମି ପର୍ଯ୍ୟନ୍ତ ବର୍ଷା  ହୋଇପାରେ । ୭ ବା ରଥଯାତ୍ରା ଦିନ ଝିପିଝିପି ବର୍ଷା  ହେବ । ୮ ତାରିଖ ସକାଳୁ ଝିପିଝିପି ବର୍ଷା ହେବ । ସନ୍ଧ୍ୟା ପରେ ପାଗ ଶୁଖିଲା ରହିବ । ରଥଯାତ୍ରା ସମୟରେ ପୁରୀରେ ଗୁଳୁଗୁଳି ରହିବନି ଓ ପାଗ ଥଣ୍ଡା ରହିବ ବୋଲି ସେ ପୂର୍ବାନୁମାନ କରିଛନ୍ତି । 

୧୦ରୁ ମୌସୁମୀ ସକ୍ରିୟ ହେବା ସହ ବର୍ଷା ପରିମାଣ   ବଢ଼ିବ। ୧୦ରୁ ୧୫ ଯାଏ ଦକ୍ଷିଣ ଆଭ୍ୟନ୍ତର ଓ ଉପକୂଳର  ଅନେକ ସ୍ଥାନରେ ମଧ୍ୟମ ପରିମାଣର ବର୍ଷା ହେବ । କିଛି  ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଗଜପତି, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ କଟକରେ ଅଧିକ ବର୍ଷା ହୋଇପାରେ । ବାଲେଶ୍ୱର, ଯାଜପୁର ଓ କେନ୍ଦ୍ରାପଡ଼ାରେ  କମ୍‌ ବର୍ଷା ହେବ । ପଶ୍ଚିମ ଓଡ଼ିଶାରେ ମଧ୍ୟମ ପରିମାଣର  ବର୍ଷା ସମ୍ଭାବନା ଅଛି । ଏବେ ରାଜ୍ୟର ସବୁଠି ମାଟି ଓଦା  ବା ବତର ରହିଛି । ଚାଷୀମାନେ ବୁଣାବୁଣି କାମ ଶୀଘ୍ର  ସାରିବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି । 

ଆସନ୍ତା ୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୬ରେ କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଓ  ମାଲକାନଗିରିରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୭ରେ ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ଖୋର୍ଦ୍ଧା, ନୟାଗଡ଼, କଟକ, ପୁରୀ, ମୟୂରଭଞ୍ଜ, କେନ୍ଦୁଝରରେ ପ୍ରବଳ ବର୍ଷା ହୋଇପାରେ । କୋରାପୁଟ, ମାଲକାନଗିରି, କନ୍ଧମାଳ ଓ ଗଞ୍ଜାମରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ  ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.