ଭୁବନେଶ୍ୱର,୦୪।୧୦: ବର୍ଷା ନାହିଁ । କାଁ ଭାଁ ଅସରାଏ ବର୍ଷା ହୋଇପାରେ । ବଡ଼ କିମ୍ବା ବିସ୍ତୃତ ବର୍ଷା ସମ୍ଭାବନା ଦେଖାଯାଉନି । ଏଥର ଦଶହରାରେ ପାଗ ଶୁଖିଲା ରହିବ । ହେଲେ ନୟାନ୍ତ କରିପାରେ ଗୁଳୁଗୁଳିଆ ପାଗ ।
କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁସାରେ ରାଜ୍ୟରେ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ପାଗ ପ୍ରାୟତଃ ଶୁଖିଲା ରହିବ । ସମ୍ଭବତଃ ଆସନ୍ତା ୬ କିମ୍ବା ୭ ତାରିଖରେ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ । ୧୧ ଓ ୧୨ ତାରିଖରେ ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ସମଗ୍ର ଉପକୂଳରେ ପାଗ ଶୁଖିଲା ରହିବା ସମ୍ଭାବନା ଅଛି । ତେବେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସଙ୍କେତ ମିଳୁନାହିଁ । ପଶ୍ଚିମବଙ୍ଗ ଉପରେ ଗତକାଲିଠାରୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ମାତ୍ର ଏହା ଓଡ଼ିଶାରୁ ଦୂରରେ ରହିବ । ଏହାର କୌଣସି ପ୍ରଭାବ ରାଜ୍ୟ ଉପରେ ପଡ଼ିବନାହିଁ । ବାଂଲାଦେଶ ଓ ଉତ୍ତର- ପୂର୍ବ ଭାରତରେ ବର୍ଷା ହେବ, ଯାହାକି ଆଗରୁ ଆକଳନ କରାଯାଇଥିଲା । ଆସନ୍ତା ୬ କିମ୍ବା ୭ ତାରିଖବେଳକୁ ଦକ୍ଷିଣ ବଙ୍ଗୋପସାଗର ଓ ଦକ୍ଷିଣ ଆରବ ସାଗରକୁ ମିଶାଇ ଏକ ଲଘୁଚାପ ସମ୍ଭାବନା ଅଛି । ହେଲେ ଏହା ତାମିଲନାଡ଼ୁ ଓ କେରଳରେ ବର୍ଷା କରାଇବ । ଡକ୍ଟର ପଶୁପାଳକ କହିଛନ୍ତି, ବର୍ତ୍ତମାନ ଧାନ ଫସଲ ଲିଙ୍ଗ ସଞ୍ଚାର ଅବସ୍ଥାକୁ ଆସିଯାଇଛି । ଏହି ସମୟରେ ପାଣିର ଆବଶ୍ୟକତା ବେଶି ଥାଏ । ସମ୍ଭବତଃ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ନାହିଁ । ତେଣୁ ଚାଷୀମାନେ ପାଣି ବାନ୍ଧି ରଖନ୍ତୁ । ଅଣଜଳସେଚିତ ଜମିରେ ରବି ଫସଲ ଡେରି ନ କରି ଶୀଘ୍ର ଲଗାନ୍ତୁ । ସୋଆ ପାଣିପାଗ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ଏବେ ବିଶେଷ ବର୍ଷା ନାହିଁ । ତଥାପି କାଁ ଭାଁ ମଝିରେ ମଝିରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୮ ତାରିଖରୁ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ । ୯ରୁ ୧୧ ତାରିଖ ଭିତରେ ଉପକୂଳରେ ହାଲୁକା ବର୍ଷା ହୋଇପାରେ । ମୁଖ୍ୟତଃ ଭୋର ସମୟ କିମ୍ବା ସନ୍ଧ୍ୟାରେ ହାଲୁକା ବର୍ଷା ହୋଇପାରେ । ମାତ୍ର ବଡ଼ ବର୍ଷା ସମ୍ଭାବନା ନାହିଁ । ଦଶହରାବେଳକୁ ରାଜ୍ୟରେ ପାଗ ମେଘୁଆ ରହିପାରେ । ତେଣୁ ଖରା କମ ରହିପାରେ । ମାତ୍ର ଗୁଳୁଗୁଳି ଲାଗି ରହିବା ସମ୍ଭାବନା ଅଛି ।
ପାଣିପାଗ ବିଭାଗର ବିସ୍ତାରିତ ପୂର୍ବାନୁମାନ ଅନୁସାରେ ଉତ୍ତର ବଙ୍ଗୋପସାଗରରେ ୪ ତାରିଖବେଳକୁ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ୬ ତାରିଖବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ହୋଇପାରେ । ତେବେ ଇସିଏମଡବ୍ଲ୍ୟୁଏଫ ମଡେଲ୍ ଅନୁସାରେ ପରବର୍ତ୍ତୀ ସପ୍ତାହରେ (୧୧ରୁ ୧୭ ତାରିଖ ଭିତରେ) ଦକ୍ଷିଣ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହେବାର ୪୦%ରୁ ୬୦% ସମ୍ଭାବନା ଅଛି ।