ବ୍ରିଟିଶ ଶାସନର ବର୍ବରତା ବଖାଣିଲେ ୯୮ ବର୍ଷୀୟ ସ୍ୱାଧୀନତା ସଂଗ୍ରାମୀ କେଶବ ପାଣିଗ୍ରାହୀ

Published By : Prameya-News7 Bureau | August 15, 2024 IST

ନୀଳଗିରି ୧୫: ଦେଶ ଆଜି ସ୍ୱାଧୀନ ହୋଇଛି ସତ, ହେଲେ ଯେଉଁ ମହାପୁରୁଷ ମାନେ ଦେଶବାସୀଙ୍କୁ ଏକତ୍ରିତ କରି ଆଜି ସ୍ୱାଧୀନତା ଆଣିଦେଇଛନ୍ତି ତାଙ୍କୁ ମନେ ପକାଇବାର ବେଳ ଆସିଛି । ମୋର ମନେ ଅଛି ବ୍ରିଟିଶ ମାନଙ୍କର ବର୍ବରତା କଥା । ସେକଥା ମନେ ପଡିଗଲେ ଆଜି ବି ମୋତେ ଭୟ ଲାଗି ଛାତି ଥରି ଉଠେ । ଏଭଳି କିଛି ସ୍ମୃତି ବଖାଣିଛନ୍ତି ନୀଳଗିରି ଅଞ୍ଚଳର ୯୮ ବର୍ଷୀୟ ସ୍ୱାଧୀନତା ସଂଗ୍ରାମୀ କେଶବ ପାଣିଗ୍ରାହୀ ।

ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଦକ୍ଷିଣ  ନରସିଂହପୁର ଗ୍ରାମର ବାସିନ୍ଦା ତଥା ସ୍ୱାଧୀନତା ସଂଗ୍ରାମୀ  କେଶବ ପାଣିଗ୍ରାହୀ । ସହଧର୍ମିଣୀ ସବୁ କ୍ଷେତ୍ରରେ ତାଙ୍କୁ  ପ୍ରେରଣା ଦିଅନ୍ତି । ହେଲେ ୩ ବର୍ଷ ପୂର୍ବେ ସେ ଆରପାରିକୁ  ଚାଲିଯାଇଛନ୍ତି । ୪ ପୁତ୍ର, ପୁତ୍ରବଧୂ, ୮ ନାତିନାତୁଣୀ ଅଛନ୍ତି ।  କେଶବଙ୍କ ଛାତ୍ର ଜୀବନରେ ସଂଗ୍ରାମୀ ମନୋଭାବ ଦେଖା  ଦେଇଥିଲା । ବାମପନ୍ଥୀ ନେତା ବନମାଳୀ ଦାସଙ୍କ ସହିତ  ପ୍ରାଣବନ୍ଧୁ ଅଗସ୍ତି, ବଳରାମ ରାଜ, କରୁଣାକର ପାଣିଗ୍ରାହୀ,  ଶୈଳେନ୍‌ ମହାରଣା, ବୈଷ୍ଣବ ପଟ୍ଟନାୟକ ଇଂରେଜ ଓ  ରାଜାଙ୍କ ବିରୋଧରେ ମେଳି ବାନ୍ଧିଥିଲେ । ସେମାନଙ୍କ  ନେତୃତ୍ୱରୁ ପ୍ରେରଣା ପାଇ କେଶବ ଦେଶ ମାତୃକା ପାଇଁ  ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ । ସେହି  ସମୟରେ ତାଙ୍କର ବୟସ ମାତ୍ର ୧୭ ବର୍ଷ । ମହାତ୍ମା ଗାନ୍ଧୀ  ଯେତେବେଳେ ଷ୍ଟେସନରେ ପହଞ୍ଚି ଯାଉଥିଲେ ସେ ତାଙ୍କୁ  ଦେଖା କରିବା ପାଇଁ ଦୌଡ଼ି ଯାଉଥିଲେ । ତାଙ୍କଠାରୁ ମଧ୍ୟ  ପ୍ରେରଣା ପାଇଥିଲେ । ଏପରିକି ଇଂରେଜଙ୍କ ବିରୋଧରେ  ମେଳି ବାନ୍ଧି ଜେଲ ମଧ୍ୟ ଭୋଗିବାକୁ ପଡ଼ିଥିଲା । ଜେଲରେ  ସଶ୍ରମ କାରାଦଣ୍ଡ ଭୋଗିବା ବେଳେ ଇଂରେଜମାନଙ୍କର  ନିର୍ମମ ମାଡ଼ ଓ ଅକଥନୀୟ ନିର୍ଯାତନା ସହିବାକୁ ପଡ଼ିଥିଲା ।  

ଯାହା ଆଜି ବି ତାଙ୍କର ମନେ ରହିଛି । ସେତେବେଳେ  ଇଂରେଜ ଶାସନର ବର୍ବରତା  ଏତେ ଥିଲା ଯେ ଘରେ ଝିଅ  ବୋହୂ ରହିବାକୁ ଉଚିତ୍‌ ମଣୁନଥିଲେ । ଗୋଟିଏ  ପଟେ ଇଂରେଜ, ଅନ୍ୟପଟେ  ନୀଳଗିରି ରାଜାଙ୍କ ଶୋଷଣରେ ନୀଳଗିରିବାସୀ ତ୍ରାହି ତ୍ରାହି  ଡାକୁଥିଲେ । ୧୯୪୭ ମସିହାରେ ଦେଶ ସ୍ୱାଧୀନ ହେଲା  ସତ, ହେଲେ ନୀଳଗିରି ରାଜ୍ୟ ଗଣତନ୍ତ୍ରରେ ମିଶିନଥିଲା ।  ନୀଳଗିରିର ଯୁବ ଗୋଷ୍ଠୀ ରାଜାଙ୍କ ବିରୋଧରେ ମେଳି ବାନ୍ଧି  ବିଦ୍ରୋହ କରିଥିଲେ । ସେଥିରେ ମଧ୍ୟ ଶ୍ରୀ ପାଣିଗ୍ରାହୀ ସାମିଲ  ହୋଇଥିଲେ । ଶେଷରେ ପ୍ରଜା ମେଳି ଆନ୍ଦୋଳନ ପରେ  ସରକାର ଚାପର ବଶବର୍ତ୍ତୀ ହୋଇ ନୀଳଗିରିକୁ ଗଣତନ୍ତ୍ରରେ  ମିଶାଇବା ପୂର୍ବରୁ ତତ୍କାଳୀନ ନୀଳଗିରି ରାଜା ନୀଳଗିରି  ଗଡ଼ଜାତକୁ କିଛି ସର୍ତ୍ତମୂଳକ ଭାବେ ଗଣତନ୍ତ୍ରରେ ସାମିଲ  ହେବାକୁ ବାଧ୍ୟ ହୋଇଥିଲେ । ପରେ ପରେ ଦେଶରେ ଥିବା  ସମସ୍ତ ରାଜାଙ୍କ ଅଧୀନସ୍ଥ ରାଜ୍ୟ ଗଣତନ୍ତ୍ରରେ ସାମିଲ  ହୋଇଥିଲା ।

ଶ୍ରୀ ପାଣିଗ୍ରାହୀଙ୍କ କହିବା ଅନୁସାରେ ଏକତା  ହିଁ ସଫଳତାର ଶ୍ରେୟ । ଆଜିର ଯୁବପିଢିଙ୍କ ଠାରେ ସେଭଳି  କିଛି ଦେଖିବାକୁ ମିଳୁନି । ସମସ୍ତେ ଯେପରି ପାଠ ପଢି ଟଙ୍କା  ରୋଜଗାର ପାଇଁ ଏକ ମିଶନରେ ବାହାରିଛନ୍ତି । ହେଲେ  ଭୁଲିଯାଉଛନ୍ତି ଭାରତ ଆମର ମାଆ । ମା’କୁ ଯେପରି ଭୁଲି  ହୁଏନା, ସେହିଭଳି ମାଟି ମାଆ କଥା ଭୁଲିଯିବା କିପରି?  ସୀମାରେ ସେନାବାହିନୀ ଦେଶକୁ ସୁରକ୍ଷା ଦେଉଛନ୍ତି । ତେଣୁ ଆମେ ଅଚିନ୍ତାରେ ରହୁଛୁ । ଏ ମାଟି ପାଇଁ ମଧ୍ୟ  ସାଧାରଣ ଜନତାଙ୍କର କିଛି ଭୂମିକା ରହିଛି । ଯେଉଁଦିନ  ଏ ମାଟିର ସୁରକ୍ଷା ପାଇଁ ଘରେ ଘରେ ଯୁବପିଢି ଆଗକୁ  ଆସିବେ । ସେଇଦିନ ଆମର ଭାରତ ମାଟିକୁ କେହି  ବିଦେଶୀ  ନାଲି ଆଖି ଦେଖାଇ ପାରିବ ନାହିଁ ବୋଲି ଶ୍ରୀ ପାଣିଗ୍ରାହୀ  କହିଛନ୍ତି । 

ସେହିପରି ଦେଶ ମାତୃକା ପାଇଁ ବଳିଦାନ  ଦେଇଥିବା ସେହି ମହାନ ବ୍ୟକ୍ତିତ୍ୱଙ୍କୁ ସର୍ବଦା ମନେ ରଖିବା  ଉଚିତ୍‌ । ସରକାର ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର କଥା  ଚିନ୍ତା କରିଛନ୍ତି ସତ ହେଲେ ସମାଜରେ ସମ୍ମାନ ମିଳିବାର  ଆବଶ୍ୟକତା ରହିଛି । ଯାହା ଯୁବପିଢ଼ିଙ୍କ ପାଇଁ ଏକ ଶିକ୍ଷଣୀୟ ହୋଇ ରହିବ । ସରକାର ସଂଗ୍ରାମୀଙ୍କ ପରିବାର  ପାଇଁ ଯେଉଁ କୁଟୁମ୍ବ ଯୋଜନା ଆଣିଛନ୍ତି ତା’କୁ ନିଶ୍ଚିତ   ସ୍ୱାଗତ କରିବି । କାରଣ ଏହା ହେବ ସଂଗ୍ରାମୀ ପରିବାର  ପାଇଁ ଏକ ପୁରସ୍କାର । ଆସନ୍ତୁ ମୋ ଭାରତ ମାଟିର ସନ୍ତାନ  ସ୍ୱାଧୀନତା ଦିବସକୁ ଆନନ୍ଦ ଉଲ୍ଲାସରେ ପାଳନ କରିବା ।

You Can Read:

କର୍ମଜୀବୀ ମହିଳାଙ୍କ ପାଇଁ ଉପ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହି ଦିନ ମିଳିବ ଛୁଟି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.