ଇଣ୍ଡିଆକୁ ନେଇ ଅସନ୍ତୁଷ୍ଟ ନୀତୀଶ କୁମାର ! କଂଗ୍ରେସ ମେଣ୍ଟ ହାଇଜ୍ୟାକ୍ କରିଥିବା ଅଭିଯୋଗ, ସେପଟେ ବିଜେପି-ଜେଡିୟୁ ମୁହାଁମୁହିଁ

Published By : Prameya-News7 Bureau | July 19, 2023 IST

ପାଟନା: ବିଜେପିକୁ ହରାଇବା ପାଇଁ ସବୁ ଦଳ ଏକ ହେଲେ। ବୈଠକ ବି ହେଲା। ମେଣ୍ଟର ନାଁ ବଦିଲା। ୟୁପିଏ ହେଲା ଇଣ୍ଡିଆ। କିନ୍ତୁ ଏବେ ଏହି ନାଁ ପରିବର୍ତ୍ତନ ନେଇ କେଁ ବାହାରିଛି। ବିରୋଧୀ ମେଣ୍ଟର ମଙ୍ଗ ଧରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ନାଁକୁ ନେଇ ସନ୍ତୁଷ୍ଟ ନାହାନ୍ତି ବୋଲି ସୂଚନା ମିଳିଛି।

ମଙ୍ଗଳବାର ବେଙ୍ଗାଲୁରୁରେ ହୋଇଥିବା ବିରୋଧୀ ବୈଠକରେ ଏହି ନୂଆ ନାମକରଣ କରାଯାଇଥିଲା। ଏବେ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ନୂଆ ନାମାକରଣ ନେଇ ମୁଖ୍ୟ ଦଳ କଂଗ୍ରେସ କୌଣସି ଆଲୋଚନା କରି ନଥିବା ବେଳେ ନାଁ ପ୍ରକାଶ ପରେ ଜେଡିୟୁକୁ ଝଟ୍‌କା ଲାଗିଛି। ଏକ ମେଣ୍ଟର ନାଁ କେମିତି ଇଣ୍ଡିଆ ହେବ ବୋଲି ନୀତୀଶ ପ୍ରଶ୍ନ କରିଛନ୍ତି।

ନାଁ ଗୋପନ ରଖି ଜଣେ କହିଛନ୍ତି “ ସବୁ ବିରୋଧୀ ଦଳକୁ ଏକାଠୀ କରିବାକୁ ନୀତୀଶ କୁମାରଙ୍କର ଭୂମିକାକୁ ଅସ୍ୱୀକାର କରିହେବ ନାହିଁ। କିନ୍ତୁ କଂଗ୍ରେସ ଯେଉଁଭଳି ଭାବରେ ମେଣ୍ଟକୁ ହାଇଜ୍ୟାକ୍ କଲା ସେଥିରେ ଜେଡିୟୁ ଓ ଆର୍‌ଜେଡି ଆଶ୍ଚର୍ଯ୍ୟ।”   

ପଢ଼ନ୍ତୁ-NDA ବୈଠକରେ ପିଏମ ମୋଦୀଙ୍କ ବିରୋଧୀଙ୍କୁ ଟାର୍ଗେଟ୍‌, କହିଲେ-ଦୁର୍ନୀତି ଉଦ୍ଦେଶ୍ୟରେ ହୋଇଥିବା ମେଣ୍ଟ ଦେଶକୁ କ୍ଷତି ପହଞ୍ଚାଏ

କ'ଣ କହିଲା ଜେଡିୟୁ ?

ନୀତୀଶ ନାରାଜ ଥିବା ନେଇ ଖବର ପ୍ରକାଶ ପାଇବା ପରେ ଡେଜିୟୁ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଦଳର ଅଧ୍ୟକ୍ଷ ଲଲନ ସିଂହ କହିଛନ୍ତି ଯେ ନୀତୀଶ କୁମାର ବିରୋଧୀ ମେଣ୍ଟର ସୂତ୍ର ଧର। ସେ ଆଦୌ ଅସନ୍ତୋଷ ନାହାନ୍ତି। ଗୋଦି ମିଡିଆ କେବଳ ଦୁଶପ୍ରଚାର କରୁଛି ବୋଲି ଲଲନ ସିଂହ କହିଛନ୍ତି।

ୟୁପିଏର ନୂଆ ନାଁ ଇଣ୍ଡିଆ କିଏ ଦେଲା ?

୨୦୧୪ ଲୋକସଭା ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ମଙ୍ଗଳବାର(ଜୁଲାଇ ୧୮) ବେଙ୍ଗାଲୁରର ବିରୋଧୀ ବୈଠକ ବସିଥିଲା। ଏଥିରେ ୨୬ ବିରୋଧୀ ଦଳ ଏକାଠି ହୋଇଥିଲେ। ରାହୁଲ ଗାନ୍ଧୀ ଦଳର ନାଁ ପରିବର୍ତ୍ତନ କରି ଇଣ୍ଡିଆ ଦେଇଥିବା କୁହାଯାଉଛି। ୨୦୨୪ ନିର୍ବାଚନରେ ଦଳ ଇଣ୍ଡିଆ ନାଁରେ ଏନ୍‌ଡିଏ ସହିତ ଲଢ଼େଇ କରିବ। ମେଣ୍ଟର ଟ୍ୟାଗ୍ ଲାଇନ୍ ରହିଛି ଜିତିବ ଭାରତ। ନୂଆ ନାଁକୁ ନେଇ କଂଗ୍ରେସ କୌଣସି ଆଲୋଚନା କରିନଥିଲା। ଗୋଟିଏ ଥରକରେ ନାଁ ସ୍ଥିର କରାଯାଇଥିଲା। ଯାହା ସୂତ୍ରଧର ନୀତୀଶ କୁମାରଙ୍କୁ ବାଧିଛି ବୋଲି କୁହାଯାଉଛି।

କ'ଣ କହିଲା ବିଜେପି ?

ଅନ୍ୟପଟେ ବିଜେପି ଇଣ୍ଡିଆକୁ ନେଇ କଂଗ୍ରେସକୁ ଟାର୍ଗେଟ୍ କରିଛି। ଦଳ କହିଛି ନାଁ ପରିବର୍ତ୍ତନ କରିଦେଲି ପ୍ରକୃତି ପରିବର୍ତ୍ତନ ହୁଏନି। ୨୦୨୪ ନିର୍ବାଚନ ଭାରତ ମାତା ବନାମ ଇଣ୍ଡିଆ ହେବ ବୋଲି ବିଜେପି କହିଛି। ଅନ୍ୟପଟେ ଏନ୍‌ଡିଏ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ନକାରାତ୍ମକରେ ମେଣ୍ଟ ଗଠନ ହୋଇଛି। ଏହା କେବେ ସଫଳ ହେବନି। ଏନ୍‌ଡିଏ ତୃତୀୟ ଥର ପାଇଁ ବି ନିର୍ବାଚନ ଜିତିବ ବୋଲି ମୋଦୀ କହିଛନ୍ତି।   

ବିହାର ବିଜେପି ନେତା ସୁଶୀଲ ମୋଦୀ କହିଛନ୍ତି ଯେ ବିରୋଧୀ ମେଣ୍ଟରେ ନୀତୀଶ କୁମାର ସନ୍ତୁଷ୍ଟ ନାହାନ୍ତି। ତାଙ୍କୁ ମେଣ୍ଟର ବିରୋଧୀ ଦଳ ନେତା କରାଗଲା ନାହିଁ ବୋଲି ସେ ରାଗିଥିବା ସୁଶୀଲ ମୋଦୀ କହିଛନ୍ତି।

ପଢ଼ନ୍ତୁ-I.N.D.I.A.କୁ ନେଇ ବିପକ୍ଷଙ୍କୁ ଘେରିଲା ବିଜେପି, ଜାଣନ୍ତୁ ସ୍ପଷ୍ଟୀକରଣରେ କ’ଣ କହିଲା କଂଗ୍ରେସ୍?

ଅନ୍ୟପଟେ ଜେଡିୟୁ ଅଧ୍ୟକ୍ଷ ଲଲନ ସିଂହ କହିଛନ୍ତି ଯେ ସୁଶୀଲ ମୋଦୀ ରୋଗାଗ୍ରସ୍ତ ଅଛନ୍ତି। ତାଙ୍କୁ ତାଙ୍କ ସ୍ଥାନରେ ରହିବାକୁ ଦିଅ। ମୁଁ ଏନ୍‌ଡିଏରେ ୫ ବର୍ଷ ଥିଲି। କିନ୍ତୁ ମୋଦୀ ଏନ୍‌ଡିଏରେ କୌଣସି ବୈଠକ ଡାକିଲେ ନାହିଁ। ଏବେ ବିରୋଧୀ ମେଣ୍ଟକୁ ଦେଖି ଭୟରେ ଏନ୍‌ଡିଏ ବୈଠକ ଡାକିଛି ବୋଲି ଲଲନ ସିଂହ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.