ଲୋକଙ୍କୁ ଧମକାଇ ଆଦାୟ କରୁଥିଲେ ଟଙ୍କା, ନୂଆପଡା MVIଙ୍କୁ ବାନ୍ଧିଲା ଭିଜିଲାନ୍ସ

Published By : Prameya-News7 Bureau | September 08, 2024 IST

ଭୁବନେଶ୍ବର ୮/୯:  ଭିଜିଲାନ୍ସ ଜାଲରେ ପଡି ବନ୍ଧା ହେଲେ ଆଉ ଜଣେ ଟଙ୍କା ଖିଆ ବାବୁ । ନୂଆପଡା ପରିବହନ ଅଧିକାରୀ ବିଜୟ କୁମାର ବେହୁରିଆ ଗିରଫ । ଧମକ ଚମକ ଦେଇ ଗଣେଶ ପୂଜା ଖର୍ଚ୍ଚ ଆଦାୟ କରି ଗାଡିରେ ବସି ଘରକୁ ଆସୁଥିଲେ ନୂଆପଡା ମୋଟର ଯାନ ନିରୀକ୍ଷକ (MVI) ବିଜୟ କୁମାର ବେହୁରିଆ । ବାଟରେ ଛକିଥିବା ଭିଜିଲାନ୍ସ ତାଙ୍କୁ ମାଡିବସିଥିଲା । ବାବୁଙ୍କ ଗାଡିରୁ ବାହାରିଥିଲା ୧ଲକ୍ଷ ୩୨ ହଜାର  ଟଙ୍କା। ଜବତ ଟଙ୍କାର ହିସାବ ସେ ଦେଇପାରିନଥିଲେ ।

ଶନିବାର ଭିଜିଲାନ୍ସ ଭୁବନେଶ୍ବର ଡିଭିଜନ ଥାନା ତାଙ୍କୁ ଅଟକ ରଖି ପଚରାଉଚରା କରୁଥିଲା । ୩ଦିନ ଭିତରେ  ପ୍ରାୟ ଦେଢ ଲକ୍ଷରୁ ଅଧିକ ଟଙ୍କା ଆଦାୟ କରିଥିଲେ ବିଜୟ । ସେହି ଟଙ୍କାରୁ କିଛି ସପିଂ କରୁଥିଲେ । ବାକି ଲକ୍ଷେ ୩୨ ହଜାର ଟଙ୍କା ନେଇ ଘରକୁ ଫେରୁଥିବାବେଳେ ଭିଜିଲାନ୍ସ ହାବୁଡରେ ପଡିଥିଲେ । 

ପୂର୍ବରୁ ବିଜୟ  ଏମିତି ଲୋକଙ୍କୁ ଡରାଇ ଧମକାଇ  ଟଙ୍କା ଆଦାୟ କରୁଥିବା ଖବର ଭିଜିଲାନ୍ସ ପାଖରେ ଥିଲା । ହେଲେ ସେ ଅତି ଚତୁରତାର ସହ ଟଙ୍କା ମାଗୁଥିବାରୁ ତାଙ୍କୁ ଧରିବାରେ ସମସ୍ୟା ହେଉଥିଲା । ଶନିବାର ଟଙ୍କା ନେଇ ଆସିବା ଖବର ମିଳିବା ପରେ ତାଙ୍କୁ ଧରିବାକୁ ପ୍ରସ୍ତୁତ ହୋଇଥିଲା ଭିଜିଲାନ୍ସ । ଖୋର୍ଦ୍ଧା ହସ୍‌ପିଟାଲ ଛକରେ ଛକି ରହିଥିଲା ଭିଜିଲାନ୍ସର ଏକ ଟିମ୍‌ । ଶନିବାର ତାଙ୍କୁ ଅଟକ ରଖି ପଚରାଉଚରା ପରେ  ରବିବାର ତାଙ୍କୁ ଗିରଫ କରାଯାଇଛି ।  

  • nuapada
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.