ମାଥିଲି୧୩/୧୧: ରାସ୍ତା ନାହିଁ । ଅଧାପନ୍ତରିଆ ହୋଇ ପଡିଛି ପୋଲ । ଆମ୍ବୁଲାନ୍ସ ଆସିବାକୁ ବାଟ ନାହିଁ । ଲୋକଙ୍କ ଯାତାୟତରେ ବାଧକ ସାଜିଛି ସପ୍ତଧରା ନଦୀ । ବାଧ୍ୟ ହୋଇ ରୋଗୀଣା ମାଆକୁ ଭାରରେ ବୋହି ଭରା ନଦୀ ପାର୍ ହୋଇଛନ୍ତି ୱାର୍ଡମେମ୍ବର ପୁଅ ଓ ଗାଁ ଲୋକ । ମାଲକାନଗିରି ଖଇରପୁଟ ବ୍ଲକ ଗୋବିନ୍ଦପାଲ୍ଲୀ ପଞ୍ଚାୟତ ଗୋଜିଆଗୁଡା ଗାଁରୁ ଆସିଛି ଅଭାବନୀୟ ଖବର । ଗାଁର ବୃଦ୍ଧା ପ୍ରତିମା ଖିଲ କିଛି ଦିନ ଧରି ଜ୍ବର ଓ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଥିଲେ ।
ବୁଧବାର ହଠାତ ତାଙ୍କର ସ୍ବାସ୍ଥ୍ୟ ଅଧିକ ଖରାପ ହୋଇଥିଲା । ଉପାୟଶୂନ୍ୟ ହୋଇ ଗୋଜିଆଗୁଡା ଗାଁର ୱାର୍ଡମେମ୍ବର ଥିବା ପ୍ରତିମାଙ୍କ ପୁଅ ଓ କିଛି ଗାଁ ଲୋକ ମିଶି ଭାରରେ ବୋହି ପ୍ରତିମାଙ୍କୁ ନଦୀ ପାର୍ କରିଥିଲେ । ବହୁ କଷ୍ଟରେ ପ୍ରତିମା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ବର୍ଷ ବର୍ଷ ଧରି ଏଠି ପୋଲ ଓ ରାସ୍ତା ନିର୍ମାଣ ହେଉନଥିବାରୁ ଲୋକେ ଅସୁବିଧା ଭୋଗୁଛନ୍ତି । ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ଦୃଷ୍ଟି ଦେଉନି । ଆମ ସମସ୍ୟା କେବେ ଦୂର ହେବ ବୋଲି ପ୍ରଶ୍ନ କରିଛନ୍ତି ଗୋଜିଆଗୁଡା ଗାଁ ଲୋକ ।