ଓଡ଼ିଶାକୁ 'ଦାନା' ବିପଦ, ପାରାଦୀପରେ ରେକର୍ଡ ଭାଙ୍ଗିବ ବର୍ଷା ! ସମ୍ଭାବ୍ୟ ବାତ୍ୟାକୁ ନେଇ ଅଧିକାଂଶ ମଡେଲର ଆକଳନ

Published By : Prameya-News7 Bureau | October 19, 2024 IST

ଭୁବନେଶ୍ୱର: ଓଡ଼ିଶାକୁ ପୁଣି ବାତ୍ୟା ଭୟ। ଡ଼ରାଇଲା ବିଭିନ୍ନ ପାଣିପାଗ ସଂସ୍ଥାର ମଡେଲର ଆକଳନ। କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏହା ପ୍ରଭାବରେ ଆସନ୍ତା ୨୧ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। କ୍ରମେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୂତ ହୋଇ ୨୩ ତାରିଖରେ ନେବ ଅବପାତ ରୂପ। ତେବେ ବାତ୍ୟାର ରୂପ ନେବ କି ନାହିଁ ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିନାହିଁ। କିନ୍ତୁ ବିଭିନ୍ନ ପାଣିପାଗ ସଂସ୍ଥାର ମଡେଲ ବାତ୍ୟା ନେଇ କରିଛନ୍ତି ଆକଳନ। 

ECMWF, NCUM-G, ACCESS କହିଛି ଯେ ସାଇକ୍ଲୋନିକ ସିଷ୍ଟମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଓ ଆସନ୍ତା ୨୩ କିମ୍ବା ୨୪ ତାରିଖରେ ବାତ୍ୟା ଓଡ଼ିଶାରେ ମାଡ଼ ହେବ। ସେପଟେ ବାତ୍ୟା ଓଡ଼ିଶା ଉପକୂଳରେ ଘଷି ହୋଇ ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ୍‌ କରିବ ବୋଲି ପୂର୍ବାନୁମାନ କରିଛି ଆଇଏମ୍‌ଡି-ଜିଏଫ୍‌ଏସ ମଡେଲ। ଏହି ମଡେଲ ଅନୁସାରେ ଏହା କ୍ରମଶଃ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ପରେ ଏହା ଓଡ଼ିଶା ଉପକୂଳ ଅତି ନିକଟତର ହୋଇ ପଶ୍ଚିମବଙ୍ଗ ମୁହାଁ ହେବ। କିନ୍ତୁ ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ବିଶେଷ କରି ଜଗତସିଂହପୁରରେ ୮୦ ସେମିରୁ ଅଧିକ ବର୍ଷା ସମ୍ଭାବନା ରହିଛି। 

ସେହିପରି NOAA NCEP-GFS ମଡେଲ ସମାନ ଆକଳନ କରିଛି କିନ୍ତୁ ବାତ୍ୟା ୨୪ କିମ୍ବା ୨୫ ତାରିଖରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି। ଭେରି ସିଭିୟର ସାଇକ୍ଲୋନ ନେଇ କୌଣସି ମଡେଲ ଆକଳନ କରିନାହାନ୍ତି। ପବନର ବେଗ ଘଣ୍ଟା ପ୍ରତି ୬୫-୮୦ କିମି ରହିପାରେ ବୋଲି ଆକଳନ କରିଛନ୍ତି ବିଭିନ୍ନ ସଂସ୍ଥା।

INCOIS ମଡେଲ ଅନୁସାରେ ସାଇକ୍ଲୋନିକ୍‌ ସିଷ୍ଟମ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଗୋପାଳପୁର-ଛତ୍ରପୁର ମଝିରେ ଲ୍ୟାଣ୍ଡଫଲ କରିବ। ତେବେ ଏହାର ପ୍ରଭାବ ୨୦୧୩ ଫାଇଲିନ ପରି ରହିବ। ସେହିପରି Australiaର model ACCESS କହିଛି ଏହି ସିଷ୍ଟମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଅକ୍ଟୋବର ୨୪ରେ ପାରାଦୀପ-ବାଲେଶ୍ୱର ମଝିରେ ଲ୍ୟାଣ୍ଡଫଲ୍‌ କରିବ। ତେବେ ବାତ୍ୟା ଅଧିକ ଘନୀଭୂତ ହୋଇ ସିଭିୟର ସାଇକ୍ଲୋନରେ ପରିଣତ ହେବ ବୋଲି ମଡେଲ ଆକଳନ କରିଛି।

ତେବେ ଆଇଏମ୍‌ଡି ବାତ୍ୟା ନେଇ ପୂର୍ବାନୁମାନ କରିନଥିଲେ ବି ପ୍ରବଳ ବର୍ଷା ହେବ ବୋଲି କହିଛି। ପ୍ରଭାବରେ ଆସନ୍ତା ୨୩ ତାରିଖରୁ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୨ରୁ ସମୁଦ୍ର ଅଶାନ୍ତ ରହିବ । ୨୧ ସୁଦ୍ଧା ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟରୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ଅକ୍ଟୋବର ମାସ ବାତ୍ୟାକୁ ସୁହାଇଥାଏ । କିନ୍ତୁ ଏଯାଏଁ ବାତ୍ୟା ଉପରେ କୌଣସି ଆକଳନ କରାଯାଇନଥିବାବେଳେ ଲଘୁଚାପ ସୃଷ୍ଟି ହେବା ପରେ ହିଁ ଚିତ୍ର ସ୍ପଷ୍ଟହେବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.