ଉମର ଅବଦୁଲ୍ଲା ହେଲେ ନ୍ୟାସନାଲ କନଫରେନ୍ସ ବିଧାୟକ ଦଳ ନେତା

Published By : Prameya-News7 Bureau | October 10, 2024 IST

ଶ୍ରୀନଗର ୧୦।୧୦: ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଗୁରୁବାର ନ୍ୟାସନାଲ କନଫରେନ୍ସ (ଏନସି) ଉମର ଅବଦୁଲ୍ଲାଙ୍କୁ ସର୍ବ ସମ୍ମତ ବିଧାୟକ ଦଳ ନେତା ମନୋନୟନ କରିଛି। ସେ ଖୁବ୍ ଶୀଘ୍ର ରାଜଭବନ ଯାଇ ସରକାର ଗଠନ ନିମନ୍ତେ ଦାବି ଉପସ୍ଥାପନ କରିବେ। ୯୫ ସଦସୀୟ ବିଧାନ ସଭାରେ ଏନସି ୪୨ଟି ଆସନ ହାତେଇଛି। ଏହା ଛଡା ୪ ଜଣ ସ୍ୱାଧୀନ ବିଧାୟକ ସମର୍ଥନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। 

କଂଗ୍ରେସ ଓ ଏନସି ମେଣ୍ଟ କରି ଏହି ନିର୍ବାଚନ ଲଢିଥିଲେ। ଏହି ନିର୍ବାଚନରେ କଂଗ୍ରେସକୁ ୬ଟି ଆସନ ମିଳିଥିବା ବେଳେ ଅନ୍ୟ ସହଯୋଗୀ ଦଳ ସିପିଆଇ(ଏମ) ଗୋଟିଏ ଆସନ ଜିତିଛି। ତେବେ ନ୍ୟାସନାଲ କନଫରେନ୍ସ ବିଧାନସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିଛି।  ହେଲେ  ଉମର ଅବଦୁଲ୍ଲା କହିଛନ୍ତି ଯେ ସେମାନେ ଏବେ କଂଗ୍ରେସର ସମର୍ଥନପତ୍ରକୁ ଅପେକ୍ଷା କରିଛନ୍ତି। କଂଗ୍ରେସର ସମର୍ଥନପତ୍ର ମିଳିବା ପରେ ଉମର ଅବଦୁଲ୍ଲା ରାଜଭବନ ଯାଇ ସରକାର ଗଢିବାକୁ ଦାବି ଉପସ୍ଥାପନ କରିବେ। 

ଗୁରୁବାର ନ୍ୟାସନାଲ କନଫରେନ୍ସ ବିଧାୟକ ଦଳ ବୈଠକରେ ଫାରୁକ ଅବଦୁଲ୍ଲା ଓ ଉମର ଅବଦୁଲ୍ଲା ଉପସ୍ଥିତ ଥିଲେ। ବୈଠକ ପରେ ଫାରୁକ ଅବଦୁଲ୍ଲା  ଗଣମାଧ୍ୟମକୁ ସୂଚନା ଦେଇ ଉମର ଅବଦୁଲ୍ଲାଙ୍କୁ ବିଧାୟକ ଦଳ ନେତା ଚୟନ କରାଯାଇଥିବା ସୂଚିତ କରିଛନ୍ତି। ତେବେ ସରକାର ଗଠନ ପ୍ରକ୍ରିୟା ଆଗକୁ ବଢାଇବା ପାଇଁ ଶୁକ୍ରବାର ନିର୍ବାଚନ ପୂର୍ବର ମେଣ୍ଟ ସହଯୋଗୀଙ୍କ ବୈଠକ ହେବ। ଏହି ବୈଠକ ପରେ ସରକାର ଗଠନ ନିମନ୍ତେ ଦାବି ଉପସ୍ଥାପନ କରାଯିବ। 

ବୈଠକ ପରେ ଉମର ଅବଦୁଲ୍ଲା କହିଛନ୍ତି ଯେ କଂଗ୍ରେସଠାରୁ ସମର୍ଥନପତ୍ର ଆଣିବା ପାଇଁ ଆଲୋଚନା ଚାଲିଛି। ୪ ସ୍ୱାଧୀନ ବିଧାୟକ ମଧ୍ୟ ଏନସିକୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି। ତେବେ କଂଗ୍ରେସର ସମର୍ଥନପତ୍ର ମିଳିବା ପରେ ସରକାର ଗଠନ ନିମନ୍ତେ ଦାବି ଉପସ୍ଥାପନ କରାଯିବ ବୋଲି ଏନସି ବିଧାୟକ ଦଳ ନେତା ଉମର ଅବଦୁଲ୍ଲା କହିଛନ୍ତି।   ଉଲ୍ଲେଖଯୋଗ୍ୟ ଯେ ଏନସି ନିର୍ବାଚନ ପ୍ରଚାର କାଳରେ ଧାରା ୩୭୦ ହଟାଇବା ଓ ଜମ୍ମୁ-କାଶ୍ମୀରକୁ କେନ୍ଦ୍ର ଶାସିତ ପ୍ରଦେଶ ଗଠନକୁ ବିରୋଧ କରିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.