କୋଲକାତା: ଇସ୍ତଫା ଦେଲେ ପଶ୍ଚିମବଙ୍ଗ ଆର୍ଜି କର ମେଡିକାଲ ସେଣ୍ଟରର ୪୫ ଜଣ ବରିଷ୍ଠ ଡାକ୍ତର। ଜୁନିୟର ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ କରି ୪୫ ଜଣ ସିନିୟର ଡାକ୍ତର ଇସ୍ତଫା ଦେଇଛନ୍ତି। ଅଗଷ୍ଟ ମାସରେ ଡାକ୍ତରଖାନାରେ ଜଣେ ଡାକ୍ତରୀ ଛାତ୍ରୀଙ୍କର ଦୁଷ୍କର୍ମ ଓ ହତ୍ୟା ହୋଇଥିଲା। ଏହାକୁ ବିରୋଧ କରି ଜୁନିଅର ଡାକ୍ତର ଆନ୍ଦୋଳନ କରୁଥିବା ବେଳେ ଏବେ ସେମାନଙ୍କୁ ସିନିୟର ଡାକ୍ତରଙ୍କ ସମର୍ଥନ ମିଳିଛି।
ଇସ୍ତଫା ଦେବା ବେଳେ ବରିଷ୍ଠ ଡାକ୍ତରମାନେ କହିଛନ୍ତି ଯେ ଜୁନିଅର ଡାକ୍ତରମାନଙ୍କୁ ଦିଆଯାଇଥିଲା ପ୍ରତିଶ୍ରୁତି ପୂରଣ କରାଯାଇ ନାହିଁ। ଟ୍ରେନୀ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତରେ କୌଣସି ଡେଭଲପ ହୋଇ ନାହିଁ। ନ୍ୟାୟ ପାଇଁ ଆମରଣ ଅନଶନ କରୁଥିବା ଜୁନିଅର ଡାକ୍ତରମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅବନତୀ ଘଟୁଛି। ଏଥିସହିତ ଆନ୍ଦୋଳନରତ ଡାକ୍ତରମାନଙ୍କ ସହିତ ପୁନଃ ଆଲୋଚନା କରାଯାଉ ବୋଲି ବରିଷ୍ଠ ଡାକ୍ତରମାନେ ହସପିଟାଲ କର୍ତ୍ତୃପକ୍ଷଙ୍କ ସାମ୍ନାରେ ଦାବି କରିଛନ୍ତି।
ଏନେଇ ଡାକ୍ତରଙ୍କ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି "ଆମେ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ବରିଷ୍ଠ ଡାକ୍ତରମାନେ ସମୁହ ଇସ୍ତଫା ଦେଉଛି। କାରଣ ଆନ୍ଦୋଳନ କରି ଭୋକ ଉପାସରେ ଡାକ୍ତରଙ୍କ ଅବସ୍ଥା ଖରାପ ହେବାରେ ସରକାର ଅବହେଳା କରୁଥିବା ଜଣାପଡିଛି। ଏବଂ ଯଦି ଆବଶ୍ୟକ ହୁଏ ତେବେ ଆମେ ମଧ୍ୟ ବ୍ୟକ୍ତିଗତ ଇସ୍ତଫା ଦେବୁ।"
ଆର୍ଜି କର ହସ୍ପିଟାଲର ଜୁନିଅର ଡାକ୍ତରଙ୍କ ଆନ୍ଦୋଳନକୁ ଅନ୍ୟ ଡାକ୍ତର ସଂଘ ‘ଜଏଣ୍ଟ ପ୍ଲାଟଫର୍ମ ଅପ୍ ଡକ୍ଟର(ଜେପିଡି)’ ସମର୍ଥନ ଜଣାଇଛନ୍ତି। ଜେପିଡି ଯୁଗ୍ମ ସଂଯୋଜକ ଡ. ପୂଣ୍ୟବ୍ରତ ଗୁନ ଓ ହିରାଲାଲ କୋନାର କହିଛନ୍ତି ବରିଷ୍ଠ ସରକାରୀ ଡାକ୍ତର ହୁଅନ୍ତୁ କିମ୍ବା ଅତିଥୀ ଡାକ୍ତର ଅଭୟାଙ୍କ ପାଇଁ ନ୍ୟାୟ ମାମଲାରେ ସମୁହ ଇସ୍ତଫା ଦେବାକୁ ଇଛା ପ୍ରକାଶ କଲେଣି। ଦୁର୍ନୀତି ଓ ହସ୍ପିଟାଲ ପରିଶରରେ ରୋଗୀ ଉପଯୋଗୀ ସିଷ୍ଟମ ଆରମ୍ଭ କରିବାକୁ ସେମାନେ ମଧ୍ୟ ଦାବି କରୁଛନ୍ତି ବୋଲି ଜେପିଡି କହିଛି। ହେଲେ ସରକାରଙ୍କ ପକ୍ଷରୁ କୌଣସି ଉପଯୁକ୍ତ ପଦକ୍ଷେପ ନିଆଯାଇ ନାହିଁ। ତେଣୁ ଘରୋଇ ସେକ୍ଟରରେ କାର୍ଯ୍ୟରତ ଡାକ୍ତରମାନେ ମଧ୍ୟ ଏ ଦିଗରେ ଚିନ୍ତା କରିବା ଆବଶ୍ୟକତା ରହିଛି ବୋଲି ଜେପିଡି ଆହ୍ୱାନ ଦେଇଛି।