ପାକିସ୍ତାନ ରଚିଲା ଇତିହାସ...୨୨ ବର୍ଷ ପରେ ଅଷ୍ଟ୍ରେଲିଆରେ ଜିତିଲା ଦିନିକିଆ ସିରିଜ୍

Published By : Prameya-News7 Bureau | November 10, 2024 IST

ନୂଆଦିଲ୍ଲୀ: ଦ୍ରୁତ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ  ପାକିସ୍ତାନ ଅଷ୍ଟ୍ରେଲିଆରେ ଇତିହାସ ରଚିଛି। ନସୀମ ଶାହ ଓ ଶାହୀନ ଶାହ ଆଫ୍ରିଦିଙ୍କ ଘାତକ ବୋଲିଂ ବଳରେ ପାକିସ୍ତାନ ପର୍ଥରେ ଖେଳା ଯାଇଥିବା ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ୮ ଓ୍ଵିକେଟ୍‌ରେ  ହରାଇଛି। ଏଥିସହ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତି ନେଇଛି। ଅଷ୍ଟ୍ରେଲିଆ ମାଟିରେ ୨୨ ବର୍ଷ ପରେ ପାକିସ୍ତାନ ଦିନିକିଆ ସିରିଜ୍ ଜିତି ପାରିଛି।

ତୃତୀୟ ତଥା ନିର୍ଣ୍ଣାୟକ ମୁକାବିଲାରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୩୧.୫ ଓଭରରେ ମାତ୍ର ୧୪୦ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ସିନ୍ ଆବଟ୍ ସର୍ବାଧିକ ୩୦ ରନ ଓ ମାଥ୍ୟୁ ସର୍ଟ ୨୨ ରନ କରିଥିଲେ। ପାକିସ୍ତାନର ନସୀମ ଶାହ ଓ ଶାହୀନ ଶାହ ଆଫ୍ରିଦି ପ୍ରତ୍ୟେକ ତିନୋଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଏହା ପରେ ପାକିସ୍ତାନ ୨୬.୫ ଓଭରରେ ୨ ଓ୍ଵିକେଟ୍ ହରାଇ ଲକ୍ଷ୍ୟ ପିଛା କରିଥିଲା। ସାମ ଆୟୁବ ୪୨ ରନ, ଅବଦୁଲ୍ଲା ଶଫିକ ୩୭ ରନ, ବାବର ଆଜମ ଅପରାଜିତ ୨୮ ଓ ମହମ୍ମଦ ରିଜଓ୍ଵାନ ଅପରାଜିତ ୩୦ ରନ କରିଥିଲେ।

ପାକିସ୍ତାନ ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆଉ ଅଧିନାୟକ ମହମ୍ମଦ ରିଜଓ୍ଵାନଙ୍କ ଏହି ନିଷ୍ପତ୍ତି ସଠିକ୍ ସାବ୍ୟସ୍ତ ହୋଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଓପନ କରିଥିବା ଜ୍ୟାକ ଫ୍ରେଜର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ସେ ୯ ବଲ୍‌ରୁ ୭ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ତିନି ନମ୍ବରରେ ଆସିଥିବା ଆରୋନ  ହାର୍ଡି ଅଧିକ ସମୟ କ୍ରିଜରେ ତିଷ୍ଠି ପାରି ନ ଥିଲେ। ହାର୍ଡି ୧୩ ବଲ୍‌ରେ ୨ ଚୌକା ସହ ୧୨ ରନ କରି ପାଭିଲିୟନ ଫେରିଥିଲେ। ୩୬ ରନରେ ୨ ଓ୍ଵିକେଟ୍ ହରାଇବା ପରେ ଅଷ୍ଟ୍ରେଲିଆକୁ ଅଧିନାୟକ ଜୋସ ଇଂଗିଲ୍ସଙ୍କଠୁ ବହୁତ ଆଶା ରହିଥିଲା। ମାତ୍ର ସେ ପୁଣି ଥରେ ନିରାଶ କରିଛନ୍ତି। ଇଂଗିଲ୍ସ ୧୯ ବଲ୍‌ରୁ କେବଳ ୭ ରନ କରି ଆଉଟ୍ ହୋଇଥିଲେ। ନସୀମ ଶାହ ତାଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ। ଏହାପରେ କ୍ରିଜରେ ଜମି ଆସିଥିବା ମାଥ୍ୟୁ ସର୍ଟଙ୍କୁ ହାରିସ ରଉଫ ଆଉଟ୍ କରିଥିଲେ। ସେ ୩୦ ବଲ୍‌ରୁ ୨୨ ରନ କରି ଆଉଟ୍ ହୋଇଥିଲେ।

ଟପ୍ ଅର୍ଡର ସଂପୂର୍ଣ୍ଣ ବିଫଳ ହେବା ପରେ ଶେଷ ଆଶା ମାର୍କସ ଷ୍ଟୋଇନିସ୍ ଓ ଗ୍ଲେନ ମ୍ୟାକ୍ସଓ୍ଵେଲଙ୍କଠୁ ରହିଥିଲା। ମାତ୍ର ପାକିସ୍ତାନ ବୋଲରଙ୍କ ସାମ୍ନାରେ ଏହି ଦୁଇ ବ୍ୟାଟର ବି ହାତ ଟେକି ଦେଇଥିଲେ। ଷ୍ଟୋଇନିସ୍ ୨୫ ବଲରୁ ୮ ରନ ଓ ମ୍ୟାକ୍ସଓ୍ଵେଲ୍ ଖାତା ଖୋଲି ପାରି ନ ଥିଲେ। 

ଅଷ୍ଟ୍ରେଲିଆ ପାଇଁ ସିନ ଆବଟ୍ ସର୍ବାଧିକ ୩୦ ରନ କରିଥିଲେ। ନିମ୍ନକ୍ରମରେ ଆଡମ ଜାମ୍ପା ୧୩ ରନ ଓ ସ୍ପେନସର ଜନସନ ଅପରାଜିତ ୧୨ ରନ କରିଥିଲେ।ଏହି ସିରିଜରେ କୌଣସି ବି ଜଣେ ହେଲେ ଅଷ୍ଟ୍ରେଲିଆ ବ୍ୟାଟର ଅର୍ଦ୍ଧଶତକ ହାସଲ କରି ପାରି ନାହାନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.