ପାକିସ୍ତାନ ବାୟୁସେନା ବେସ୍‌ରେ ଆତଙ୍କବାଦୀ ଆକ୍ରମଣ,୯ ମୃତ

Published By : Prameya-News7 Bureau | November 04, 2023 IST

ନୂଆଦିଲ୍ଲୀ: ପାକିସ୍ତାନରେ ପୁଣି ଆତଙ୍କବାଦୀ ଆକ୍ରମଣ। ଶନିବାର ପାକିସ୍ତାନ ପଞ୍ଜାବର ମିଆୱାଲି ବାୟୁସେନା ବେସ୍‌ରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଜଣେ ଆତଙ୍କବାଦୀ ନିଜ ଦେହର ବିସ୍ଫୋରକ ଖଞ୍ଜି ବାୟୁସେନାକୁ ଆକ୍ରମଣ କରିଛି। ଅନ୍ୟପଟେ ପାକିସ୍ତାନ ବାୟୁ ସେନାର ପାଲଟା ଆକ୍ରମଣରେ ୯ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଶନିବାର ସକାଳେ ଆତଙ୍କବାଦୀଙ୍କର ଏକ ଗ୍ରୁପର୍‌ ପାକିସ୍ତାନ ବାୟୁସେନା ବେସ୍‌ରେ ଆକ୍ରମଣ କରିଥିଲେ। ଏହାପରେ ବାୟୁସେନା ଯବାନମାନେ ମଧ୍ୟ ପ୍ରତି ଆକ୍ରମଣ କରିଥିଲେ। ଫଳରେ ଆତଙ୍କବାଦୀମାନଙ୍କର ବାୟୁସେନା ବେସ୍‌ରେ ପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି ବୋଲି ପାକିସ୍ତାନ ଏୟାର ଫୋର୍ସ ପକ୍ଷରୁ ସୂଚନା ଦିଆଯାଇଛି।

ଆକ୍ରମଣ ସମ୍ପର୍କରେ ପିଏଏଫ୍‌ ସୂଚନା ଦେଇ କହିଛି ଯେ ୨୦୨୩ ନଭେମ୍ବର ୪ ତାରିଖ ଦିନର ଆରମ୍ଭରେ ପାକିସ୍ତାନ ବାୟୁସେନାର ମିଆନୱାଲି ସ୍ଥିତ ଟ୍ରେନିଂ ଏୟାର ବେସ୍‌ ଉପରେ ଆତଙ୍କବାଦୀ ପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ଯବାନଙ୍କର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଯୋଗୁ ଉଦ୍ୟମକୁ ବିଫଳ କରିଦିଆଯାଇଛି। ଏୟାର ବେସ୍‌ରେ ପ୍ରବେଶ କରିବା ପୂର୍ବରୁ ପ୍ରଥମେ ୩ ଆତଙ୍କବାଦୀଙ୍କୁ ଗୁଳି ମରାଯାଇଥିଲା। ବାକି ୩ ଜଣଙ୍କୁ କର୍ଡନ କରାଯାଇଥିଲା। ଗୁଳି ବିନିୟମରେ ୯ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି ବୋଲି ପାକିସ୍ତାନ ବାୟୁସେନା ସୂଚନା ଦେଇଛି।

ପଢ଼ନ୍ତୁ-ନୌସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ,୧ ମୃତ

ତେବେ ଆତଙ୍କବାଦୀ ଆକ୍ରମଣ ଯୋଗୁ ଏୟାର ବେସ୍‌ରେ ଥିବା ୩ଟି ବିମାନ ସହ ଇନ୍ଧନ ଟ୍ୟାଙ୍କର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଉକ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ କ୍ଲିୟର କରିବାକୁ କମ୍ବିଂ ଅପରେସନ ଶେଷ ପର୍ଯ୍ୟାୟରେ ଅଛି ବୋଲି ପାକିସ୍ତାନ ଇଣ୍ଟର ସର୍ଭିସ ପବ୍ଲିକ୍ ରିଲେସନ ସୂଚନା ଦେଇଛି।

ପାକିସ୍ତାନ ପୋଷିତ ଆତଙ୍କବାଦୀ ସଂଗଠନ ତେହେରିକ ଏ ଜିହାଦ ପାକିସ୍ତାନ (ଟିଜେପି) ଏହି ଆକ୍ରମଣ ଘଟାଇଥିବା ସ୍ୱୀକାର କରିଛି। ଏହା ପୂର୍ବରୁ ମଧ୍ୟ ଟିଜେପି ପାକିସ୍ତାନରେ ଏକାଧିକ ଆତଙ୍କବାଦୀ ଆକ୍ରମଣ କରିଛି। ଜୁଲାଇରେ ବଲୋଚିସ୍ତାନର ଦକ୍ଷିଣପଶ୍ଚିମାଞ୍ଚଳରେ ଥିବା ପାକିସ୍ତାନ ସେନା ବେସ୍‌ ଉପରେ ବି ଟିଜେପି ଆକ୍ରମଣ କରିଥିଲା। ଏଥିରେ ୧୨ ଯବାନଙ୍କର ମୃତ୍ୟୁ ହୋଇଥିଲା। ଏହା ପୂର୍ବରୁ ଗ୍ୱାଦର ଜିଲ୍ଲାରେ ମଧ୍ୟ ଏକ ଆକ୍ରମଣ ହୋଇଥିଲା। ଯେଉଁଥିରେ ୧୪ ସେନା ଯବାନଙ୍କର ମୃତ୍ୟୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.