ଏନ୍‌ସିଆର୍‌ଟି ମୁଖ୍ୟଙ୍କୁ ପାଲଶିକର ଓ ଯୋଗେନ୍ଦ୍ର ଯାଦବଙ୍କ ଚିଠି: ବହିରୁ ଆମ ନାଁ ହଟାଅ ନ ହେଲେ କେସ୍ କରିବୁ

Published By : Prameya-News7 Bureau | June 17, 2024 IST

indianexpress.com

ନୂଆଦିଲ୍ଲୀ: ଜାତୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି)କୁ ଚେତାବନୀ ଜାରି କରିଛନ୍ତି ସୁହାସ ପାଲଶିକର ଓ ଯୋଗେନ୍ଦ୍ର ଯାଦବ। ପାଠ୍ୟ ପୁସ୍ତକରେ ଆମ ନାଁ ନ ହଟାଇଲେ ଆମେ କେସ୍ କରିବୁ ବୋଲି ଦୁଇ ବିଶିଷ୍ଠ ବ୍ୟକ୍ତି ଧମକ ଦେଇଛନ୍ତି। ଏନ୍‌ସିଇଆର୍‌ଟି ପ୍ରକାଶ କରିଥିବା ନବମରୁ ଦ୍ୱାଦଶ ଶ୍ରେଣୀ ରାଜନୀତି ବିଜ୍ଞାନ ବିଷୟ ପାଇଁ ପାଲଶିକର ଓ ଯୋଗେନ୍ଦ୍ର ଯାଦବ ପୂର୍ବତନ ମୁଖ୍ୟ ପରାମର୍ଶଦାତା ଥିଲେ। ଏମାନଙ୍କ ନାଁ ବହିରେ ଛପାଯାଇଥିବାରୁ ଦୁଇ ଜଣ ବୋର୍ଡ ବିରୋଧରେ କେସ୍ କରିବେ ବୋଲି ଧମକ ଦେଇଛନ୍ତି। 

ଏନେଇ ସୋମବାର ଏନ୍‌ସିଇଆର୍‌ଟି ମୁଖ୍ୟ ଡିପି ସକଲାନିଙ୍କୁ ଲେଖିଥିବା ଚିଠିରେ ପାଲଶିକର ଓ ଯାଦବ ଦର୍ଶାଇଛନ୍ତି ଯେ ଦୁହେଁ ସଂସ୍ଥା ସହିତ ବର୍ଷେରୁ ଅଧିକ ସମୟ ହେବ ଦୂରେଇ ରହିଛନ୍ତି। ଏମିତିକି ଏନ୍‌ସିଇଆର୍‌ଟି ବହିର ବର୍ତ୍ତମାନ ବିଷୟ ସହ ନିଜକୁ ଦୂରେଇ ରଖିବା ଓ ପୁସ୍ତକରୁ ନାଁ ହଟାଇବାକୁ ସେ ସକଲାନିଙ୍କୁ ଅନୁରୋଧ କରିଥିଲେ। ତଥାପି ନୂତନ ସଂସ୍କରଣରେ ତାଙ୍କ ନାଁ ମୁଖ୍ୟ ପରାମର୍ଶଦାତା ଭାବେ ଦର୍ଶାଯାଇଛି। ଏକଥା ଜାଣି ଆମେ ସ୍ତବ୍ଧ ବୋଲି ପାଲଶିକର ଓ ଯାଦବ କହିଛନ୍ତି। 
ଦ୍ୱାଦଶ ଶ୍ରେଣୀ ରାଜନୀତି ବିଜ୍ଞାନ ପାଠ୍ୟପୁସ୍ତକର ସଂଶୋଧିତ ସଂସ୍କରଣରେ ଅଯୋଧ୍ୟା ବିବାଦର କିଛି ଅଂଶ କାଟି ଦିଆଯାଇଥିବା ଅଭିଯୋଗର ଗୋଟିଏ ଦିନ ପରେ ପାଲଶିକର ଓ ଯାଦବ ଏହି ଚିଠି ଲେଖିଛନ୍ତି। 

ସଂଶୋଧିତ ସଂସ୍କରଣରେ ବାବରି ମସଜିଦ ନାଁ ନ ଲେଖି ଏହାକୁ ତିନି ଗମ୍ବୁଜ ଢାଞ୍ଚା(three-domed structure)ବୋଲି ଲେଖାଯାଇଛି। ଏଥିରେ ଗୁଜରାଟ ସୋମନାଥରୁ ଅଯୋଧ୍ୟାକୁ ବିଜେପିର ରଥଯାତ୍ରା, କର ସେବକଙ୍କ ଭୂମିକା, ୧୯୯୨ ଡିସେମ୍ବର ୬ରେ ବାବରି ମସ୍‌ଜିଦ ଭଙ୍ଗାଯିବା ପରେ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ହିଂସା, ବିଜେପି ଶାସିତ ରାଜ୍ୟରେ ରାଷ୍ଟ୍ରପତି ଶାସନ ଏବଂ ଅଯୋଧ୍ୟାରେ ଘଟିଥିବା ଘଟଣା ପାଇଁ ବିଜେପିର ଦୁଃଖ ପ୍ରକାଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ହଟାଇ ଦିଆଯାଇଛି। 

ଏନେଇ ପାଲଶିକର ଓ ଯୋଗେନ୍ଦ୍ର ଯାଦବ କହିଛନ୍ତି ଯେ ଏନ୍‌ସିଇଆର୍‌ଟି ଆମକୁ ନ ପଚାରି ପାଠ୍ୟପୁସ୍ତକକୁ ବିକୃତ କରିବା ଓ ଆମେ ମନା କରିବା ସତ୍ତ୍ୱେ ବି ଏହାକୁ ଆମ ନାଁରେ ପ୍ରକାଶ କରିବାରେ କୌଣସି ନୈତିକ ଓ ଆଇନଗତ ଅଧିକାର ନାହିଁ। ଲେଖକଙ୍କ ଲେଖାକୁ ନେଇ ତର୍କ କରାଯାଇପାରେ ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଲେଖକ ଅନିଚ୍ଛାରେ ତାଙ୍କୁ ସେହି ଲେଖା ସହିତ ଯୋଡ଼ା ଯାଉଛି ଯାହା ସେ ଲେଖି ନାହାନ୍ତି ବୋଲି ଚିଠିରେ ଲେଖାଯାଇଛି। ଯେଉଁ ନୂତନ ପୁସ୍ତକ ସଂସ୍କରଣରେ ଆମ ନାମରେ ପ୍ରକାଶିତ ହୋଇଛି ଏହାକୁ ତୁରନ୍ତ ବଜାରରୁ ପ୍ରତ୍ୟାହାର କରାଯିବା ଉଚିତ୍। ଯଦି ଏନ୍‌ସିଆର୍‌ଟି ଏପରି କରିବାରେ ବିଫଳ ହୁଏ ତେବେ ଆମେ ଆଇନର ସାହାରା ନେବାକୁ ବାଧ୍ୟ ହେବୁ ବୋଲି ପାଲଶିକର ଓ ଯୋଗେନ୍ଦ୍ର ଯାଦବ ଲେଖିଥିବା ଚିଠିରେ ଧମକ ଦିଆଯାଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.