ବିନିକା ୧୦।୦୨ : ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସୋନପୁର ଜିଲ୍ଲା ବିନିକା ପାପକ୍ଷୟ ଲୋକ ମହୋତ୍ସବ । ୪ ଦିନ ଧରି ହେବାକୁ ଥିବା ଏହି ଲୋକକଳା ପର୍ବରେ ସହର ଗ୍ରାମାଞ୍ଚଳ, ବ୍ଲକ, ଜିଲ୍ଲା ତଥା ରାଜ୍ୟର କୋଣଅନୁକୋଣରୁ କଳାକାରଙ୍କ ସମାବେଶ ହେବ । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତରେ ପହଞ୍ଚିଥିବା ବେଳେ ମହୋତ୍ସବ ଅସ୍ଥାୟୀ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ତେବେ ଏଥର ମହୋତ୍ସବ ଷଷ୍ଠ ବର୍ଷରେ ପଦାର୍ପଣ କରିଛି । ବିଗତ ବର୍ଷମାନଙ୍କ ଅପେକ୍ଷା ଚଳିତ ବର୍ଷ ଆହୁରି ଉତ୍ସାହ ଉଦ୍ଦୀପନା ମଧ୍ୟରେ ପାଳନ ହେବ। ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ଏହି ମହୋତ୍ସବର ପ୍ରଥମ ଦିନ ଅର୍ଥାତ ୧୧ ତାରିଖ ସକାଳ ୧୦ଟା ସମୟରେ ପତାକା ଉତ୍ତୋଳନ,ମଞ୍ଚ ପୂଜା ଓ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହେବ । ଶୋଭାଯାତ୍ରାରେ ପ୍ରାୟ ୨୦ ଗୋଟି ସାଂସ୍କୃତିକ ଦଳ ସହ ଅଞ୍ଚଳର ବହୁ କଲା ପ୍ରେମୀ ଭାଗନେବେ । ସେହିପରି ପଲିଶ୍ରୀ ମେଳା, ମୀନାବଜାର ଦର୍ଶକଙ୍କୁ ଆକର୍ଷିତ କରିବା ସାଂସ୍କୃତିକ ମଞ୍ଚର ପ୍ରଥମ ସନ୍ଧ୍ୟାରେ ଅଞ୍ଚଳର କଳାପ୍ରେମୀଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ, ୨ୟ ସନ୍ଧ୍ୟାରେ ଶିଶୁ କଳାକାରଙ୍କ ନାଚ ଗୀତ, ତୃତୀୟ ତଥା ଶେଷ ସନ୍ଧ୍ୟାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୫ ସାଂସ୍କୃତିକ ଦଳ ତରଫରୁ ଲୋକ କଳା, ଲୋକନୃତ୍ୟ ପରିବେଷଣ ହେବ ବୋଲି ସାଂସ୍କୃତିକ ସମ୍ପାଦକ ଶାଶ୍ଵତ ତ୍ରିପାଠୀ ସୂଚନା ଦେଇଥିଲେ। କଳାକାରଙ୍କ ନାଚ, ଗୀତରେ ମଞ୍ଚ ଦୁଲୁକିବ । ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବ ଉପ ସଭାପତି ବିଜୟ ବରାଇ,କୋଷାଧ୍ୟକ୍ଷ ଦେବରାଜ ମେହେର ପ୍ରମୁଖ ଉପସ୍ଥିତ ରହିଥିଲେ।