ଷ୍ଟେସନାରୀ ଦୋକାନରୁ ପୁଳା ପୁଳା ବାଣ ଜବତ କଲା ପୋଲିସ, ପାଣି ମାଡ କରାଯାଇ କରାଗଲା ନଷ୍ଟ

Published By : Prameya-News7 Bureau | March 20, 2025 IST

ପୁରୀ ୨୦: ଷ୍ଟେସନାରୀ ଦୋକାନ ଭିତରେ ଚାଲିଥିଲା ବାଣ ଗୋଦାମ । ଲକ୍ଷ ଲକ୍ଷ ଟଙ୍କାର ବାଣ ଜବତ କଲା କୁମ୍ଭାରପଡ଼ା ଥାନା ପୋଲିସ । ପୁରୀ ନବକଳେବର ରୋଡରେ ଥିବା ଗୋଦାମ ଭିତରେ ବେଆଇନ ଭାବେ ଥିବା ପୁଳା ପୁଳା ବାଣ ପୋଲିସ ଜବତ କରିଛି । କେବଳ ସେତିକି ନୁହେଁ ବାଣ ଗୁଡ଼ିକୁ ନଷ୍ଟ କରିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ମଧ୍ୟ ପାଣି ମାଡ କରାଯାଇ ବାଣ ଗୁଡ଼ିକୁ ନଷ୍ଟ କରାଯାଇଛି । ଚାରୋଟି ଟାଟା ଏସିଇ ଗାଡିରେ ଲକ୍ଷ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ କରାଯାଇ ଥାନାକୁ ନିଆଯାଇଛି । 

ସୂଚନାଯୋଗ୍ୟ ଯେ, ପୁରୀ ନବକଳେବର ରୋଡରେ ଥିବା ଷ୍ଟେସନାରୀ ଦୋକାନ ଭିତରେ ବେଆଇନ ବାଣ ଗୋଦାମ ଓ ବାଣ ତିଆରି ଚାଲିଥିବା ପୋଲିସ ପାଖରେ ଖବର ପହଞ୍ଚିଥିଲା । ଖବର ପାଇ କୁମ୍ଭାରପଡ଼ା ଥାନା ପୋଲିସ ସମ୍ପୃକ୍ତ ଗୋଦାମ ଉପରେ ଚଢ଼ାଉ କରି ଲକ୍ଷ ଲକ୍ଷ ଟଙ୍କାର ବାଣ ଜବତ କରିବା ସହିତ ସେଗୁଡ଼ିକ ନଷ୍ଟ କରିଥିଲା । ଦୀର୍ଘ ବର୍ଷ ଧରି ଏହି ଗୋଦାମରେ ଏଭଳି ବେଆଇନ ବାଣ କାରବାର ଚାଲିଥିବା ବେଳେ ପୋଲିସ ପୂର୍ବରୁ କିଭଳି ଭାବେ ଜାଣିପାରିନଥିଲା ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ସେପଟେ ବେଆଇନ ବାଣ ଗୋଦାମ କରିଥିବା ବ୍ୟକ୍ତି ଜଣକ କହିଛନ୍ତି, ଦୀପାବଳୀ ସମୟରେ ସେ ବାଣ ଗୁଡ଼ିକୁ ବିକ୍ରି ପାଇଁ ଆଣିଥିଲେ । ତେବେ କିଛି ବାଣ ବଳି ଯାଇଥିବାରୁ ସେଗୁଡ଼ିକ ଗୋଦାମ ଭିତରେ ରଖିଥିଲେ । 

ବେଆଇନ ବାଣ ଗୋଦାମ କରି ବ୍ୟବସାୟ କରୁଥିବା ଗୋଦାମ ମାଲିକ ଅଜିତ କୁମାର ସେନାପତିକୁ କୁମ୍ଭାରପଡ଼ା ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି । କେବେ ଠାରୁ ଏବଂ କାହା ଠାରୁ ଅଜିତ ଏତେ ପରିମାଣର ବାଣ ଆଣି ଏଠାରେ ରଖିଥିଲା ସେନେଇ ପଚରାଉଚରା କରାଯାଉଛି । ବାଣ ଗୋଦାମରୁ ମଧ୍ୟ ବାଣ ପ୍ରସ୍ତୁତି ପାଇଁ ଆବଶ୍ୟକ ବିପୁଳ ପରିମାଣର ସାମଗ୍ରୀ ପୋଲିସ ଜବତ କରିଛି ବୋଲି ସିଟି ଡିଏସପି କହିଛନ୍ତି । ସେପଟେ ସ୍ଥାନୀୟ ଲୋକେ ଏତେ ପରିମାଣର ବାଣ ଦେଖି ଆଶ୍ଚର୍ଯ୍ୟ ଓ ଭୟଭୀତ ହୋଇ ପଡିଛନ୍ତି । ବାଣ ଗୋଦାମକୁ ଲାଗି ଏକ ସ୍କୁଲ ଥିବାବେଳେ ହଜାର ହଜାର ପରିବାର ମଧ୍ୟ ଏଠାରେ ବାସ କରୁଛନ୍ତି। ତେଣୁ ଯଦି କୌଣସି ଅଘଟଣ ଘଟିଥାନ୍ତା ଏଥିପାଇଁ କିଏ ଦାୟୀ ରହିଥାନ୍ତା ସେନେଇ ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି । ଖବର ପାଇ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ବେଆଇନ ବାଣ ଗୋଦାମକୁ ସିଲ୍ କରିଛନ୍ତି ।

ଗତ ବର୍ଷ ଶ୍ରୀକ୍ଷେତ୍ର ଭଉଁରୀ ଦିନ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣରେ ୧୭ ଜଣଙ୍କ ଜୀବନ ଯାଇଥିଲା । ଏଣୁ ବାଣ ନାଁ ଶୁଣିଲେ ପୁରୀ ଲୋକଙ୍କ ମନରେ ଭୟ ଓ ଛନକା ପଶୁଛି । 

You Can Read:

କନଷ୍ଟେବଳ ନିଯୁକ୍ତି ସମ୍ପର୍କିତ ମାମଲାର ଶୁଣାଣି ଅସମାପ୍ତ, ମାର୍ଚ୍ଚ ୨୪ରେ ଚୂଡାନ୍ତ ଶୁଣାଣି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.