ଭୁବନେଶ୍ବର ୯।୧୧: ରାଜଧାନୀରେ ଲଭ ଜିହାଦ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମୀର ମନସୁର ଗିରଫ । ମନସୁରର ମୋବାଇଲ୍ ଖୋଲିବ ସତ । ଅଭିଯୁକ୍ତକୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବ ପୋଲିସ । ଭୁବନେଶ୍ବର ଡିସିପି ପୀନାକ ମିଶ୍ର କହିଛନ୍ତି ଯେ, ଅଭିଯୁକ୍ତ ସମୀର ମନସୁରର ଘର ବିହାର ଚମ୍ପାରଣରେ । ସେ କାଶ୍ମୀରରେ ଜଣେ ଇଲେକ୍ଟ୍ରିସିଆନ୍ ଭାବେ କାମ କରୁଥିଲା । ଅନ୍ ଲାଇନ୍ ଗେମ୍ ଜରିଆରେ ପୀଡ଼ିତାଙ୍କ ସହ ମନସୁରର ପରିଚୟ ହୋଇଥିଲା । ଅଭିଯୁକ୍ତ ବିରୋଧରେ ବଳିଷ୍ଠ ପ୍ରମାଣ ଯୋଗାଡ଼ କରିବାକୁ ପୋଲିସ ତା’ର ଦୁଇଟି ମୋବାଇଲ, ଆଧାର କାର୍ଡ଼, ପ୍ୟାନ୍ କାର୍ଡ଼ ଆଦି ଜବତ କରିଛି । ମୋବାଇଲ୍ ଦୁଇଟିକୁ ଫରେନସିକ୍ ଲ୍ୟାବ୍କୁ ପଠାଯାଇଥିବା ବେଳେ ସେଥିରୁ ଠୋସ୍ ପ୍ରମାଣ ମିଳିପାରେ ବୋଲି କହିଛନ୍ତି ଡିସିପି ।
ଅଭିଯୁକ୍ତ ସମୀର ମନସୁର ନିଜ ପରିଚୟ ଗୋପନ ରଖି ପୀଡ଼ିତାଙ୍କ ସହ ସମ୍ପର୍କ ବଢ଼ାଇଥିଲା । ଗତ ମାର୍ଚ୍ଚ ମାସରେ ସମୀର ଓଡ଼ିଶା ଆସିଥିବା ବେଳେ ପୁରୀରେ ଯୁବତୀଙ୍କ ସହ ଏକ ହୋଟେଲରେ ରହିଥିଲା । ସେଠାରେ ସମୀରର ପ୍ରକୃତ ନାଁ ସମୀର ମନସୁର ବୋଲି ଜାଣିବାକୁ ପାଇଥିଲେ ଯୁବତୀ ଜଣକ । ପୀଡ଼ିତା ହୋଟେଲ ରୁମରୁ ଖସିବାକୁ ଚେଷ୍ଟା କରୁଥିବା ବେଳେ ସମୀର ବଳ ପୂର୍ବକ ତାଙ୍କୁ ଧମକ ଚମକ୍ ଦେଇ ଧର୍ମ ପରିବର୍ତ୍ତନ କରି ତାକୁ ବିବାହ କରିବାକୁ ବାଧ୍ୟ କରିଥିଲା । ବଳପୂର୍ବକ ସମୀର ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି । ଏହା ପରେ ଯୁବତୀ ଜଣକ କୌଶଳ କରି ହୋଟେଲରୁ ଖସି ଘରକୁ ପଳାଇ ଆସିଥିଲେ । ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଥିବା କହିଛନ୍ତି ଡିସିପି । ତେବେ ପୀଡ଼ିତା ଏନେଇ ଭୁବନେଶ୍ବର ମହିଳା ଥାନାରେ ଅଭିଯୋଗ କରିବା ପରେ ସମୀର ମନସୁରକୁ ଧରିବା ପାଇଁ ଜାଲ ବିଛାଇଥିଲା ପୋଲିସ । ପୀଡ଼ିତା ବିବାହ ପାଇଁ ରାଜି ଥିବା କଥା କହିବା ପରେ ଓଡ଼ିଶା ଆସିଥିଲା ସମୀର । ଆଉ ସେ ଓଡ଼ିଶା ଆସିବା ପରେ ତାକୁ ମାଡ଼ି ବସିଥିଲା ପୋଲିସ ।
ଯଦି ସମୀର ମନସୁର ଦ୍ବାରା ଅନ୍ୟ କେହି ଯୁବତୀ ଶୋଷଣର ଶିକାର ହୋଇଛନ୍ତି ତାହେଲେ ତୁରନ୍ତ ପୋଲିସ ପାଖରେ ଅଭିଯୋଗ କରିବାକୁ ଅନୁରୋଧ କରିଛନ୍ତି ଡିସିପି । ଅଭିଯୋଗକାରୀଙ୍କ ପରିଚୟ ଗୋପନ ରଖାଯିବ ବୋଲି ଡିସିପି ଭରସା ଦେଇଛନ୍ତି ।
You Can Read: