ସାଧାରଣତନ୍ତ୍ର ଦିବସରେ ପ୍ରଦର୍ଶିତ ହେବ ରାଜ୍ୟର ଐତିହ୍ୟ, ଗାନ୍ଧୀ ମାର୍ଗରେ ଗଡ଼ିବ ପ୍ରଜ୍ଞାପନ ମେଢ଼

Published By : Prameya-News7 Bureau | December 16, 2024 IST

News7

ଭୁବନେଶ୍ୱର: ଆସନ୍ତା ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ଭୁବନେଶ୍ୱରସ୍ଥିତ ଗାନ୍ଧୀ ମାର୍ଗରେ ପ୍ରଜ୍ଞାପନ ମେଢ଼ ଗଡ଼ିବ। ଏଥିରେ ରାଜ୍ୟର ଐତିହ୍ୟ, ପରମ୍ପରା, ଅସ୍ମିତା ଏବଂ ବିକାଶକୁ ନେଇ ଏହି ପ୍ରଜ୍ଞାପନ ମେଢ଼ ଗୁଡ଼ିକ ପ୍ରଦର୍ଶିତ ହେବ । ପରେଡ୍ ପ୍ରଦର୍ଶନ ସହ ପ୍ରଜ୍ଞାପନ ମେଢ଼ ଉକ୍ତ ଉତ୍ସବର ସ୍ୱତନ୍ତ୍ର ଆକର୍ଷଣ ହେବ।

ଏଥି ନିମନ୍ତେ ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଏକ ପ୍ରାରମ୍ଭିକ ବୈଠକ ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଏଥିରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ଚଳିତ ବର୍ଷ ବିଭିନ୍ନ ବିଭାଗ ପକ୍ଷରୁ ଏଥି ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ । ରାଜ୍ୟର ଐତିହ୍ୟ ଓ ବିକାଶ ଉପରେ ମୁଖ୍ୟତଃ ଏହି ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତ କରିବାକୁ ଶ୍ରୀ ସିଂହ ବିଭାଗଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ଏହାକୁ ଅଧିକ ଆକର୍ଷଣ ଓ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରିବାକୁ ସେ କହିଛନ୍ତି ।

ଆସନ୍ତା ୨୪ ତାରିଖ ସୁଦ୍ଧା ସଂପୃକ୍ତ ବିଭାଗଗୁଡ଼ିକ ସେମାନଙ୍କ ବିଷୟବସ୍ତୁ ସମ୍ପର୍କିତ ପ୍ରଜ୍ଞାପନ ମେଢ଼ର ସଂରଚନା ପ୍ରଦାନ କରିବେ । ଏହାକୁ ଯାଞ୍ଚ କରାଯାଇ ଶ୍ରେଷ୍ଠ ନମୁନାଗୁଡ଼ିକୁ ଚୟନ କରାଯିବ । ଆଜିର ଏହି ବୈଠକରେ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦେଶକ ସରୋଜ କୁମାର ସାମଲ, ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ ଶୋଭନ କୃଷ୍ଣ ସାହୁଙ୍କ ସମେତ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.