ଉଦଯାପିତ ହେଲା ୬୯ ତମ ପୋଲିସ ବୃତ୍ତିଗତ ପ୍ରତିଯୋଗିତା, କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | December 16, 2024 IST

କଟକ: ଉଦଯାପିତ ହେଲା ୬୯ ତମ ପୋଲିସ ବୃତ୍ତିଗତ ପ୍ରତିଯୋଗିତା। ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ମୋହନ ଚରଣ ମାଝୀ। ଡିସେମ୍ବର ୧୩ ରୁ ୧୬ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୪ ଦିନ ଧରି ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ଓଡ଼ିଶାର ମୋଟ ୩୭ଟି ପୋଲିସ ଜିଲ୍ଲାରୁ ୩୧୭ ପ୍ରତିଯୋଗୀ ଏବଂ ବିଭିନ୍ନ ଜିଲ୍ଲାରୁ ୩୭ଟି ସନ୍ଧାନୀ କୁକୁର ଭାଗ ନେଇଥିଲେ। 

ପୋଲିସ ବୃତ୍ତିଗତ ପ୍ରତିଯୋଗିତାରେ ଭାଗ ନେଇ କୃତକାର୍ଯ୍ୟ ହୋଇଥିବା ବିଭିନ୍ନ କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ। ଆସନ୍ତା ଜାନୁଆରୀ ମାସ ୮, ୯ ,୧୦ରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ପାଳନ ରାଜ୍ୟପାଇଁ ଓ ବିଶେଷ କରି ପୋଲିସ ବିଭାଗ ପାଇଁ ଏକ ବଡ଼ ଗୁରୁ ଦାୟିତ୍ବ ରହିଛି। ତେଣୁ ଏହା ପୂର୍ବରୁ ସର୍ବ ଭାରତୀୟ ଡିଜି ସମ୍ମିଳନୀ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ରାଜ୍ୟ ପୋଲିସ ସୁରୁଖୁରୁରେ ସମ୍ପନ୍ନ କରିଛନ୍ତି। 

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ୨୬ ମାର୍ଚ୍ଚ ସୁଦ୍ଧା ରାଜ୍ୟକୁ ମାଓବାଦ ମୁକ୍ତ କରିବା ଲକ୍ଷ୍ୟ ରଖାଯାଇଛି। ବଣାଇ ଓ କନ୍ଦରପୁର ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ ଓଡ଼ିଶା ପୋଲିସ୍ ପାଇଁ ବଡ଼ ସଫଳତା। ପୋଲିସକୁ ସଶକ୍ତ କରିବା ପାଇଁ ୯ ହଜାର ବାଇକ୍ ଯୋଗାଇ ଦିଆଯିବ। ଯେଉଁଥିରେ ପ୍ରତ୍ୟେକ ଥାନାକୁ ୯ ଟି ବାଇକ୍ ଯୋଗାଇ ଦିଆଯିବ। ପ୍ରତ୍ୟେକ ଜିଲ୍ଲାରେ ସାଇବର ଥାନା ପ୍ରତିଷ୍ଠା କରାଯିବ। ଗୃହ ବିଭାଗରେ ଦଶ ହଜାର ନୂଆ ପଦବୀ ସୃଷ୍ଟି କରାଯିବ। ତନ୍ମଧ୍ୟରୁ ପାଞ୍ଚ ହଜାରରୁ ଉର୍ଦ୍ଧ ଗୃହରକ୍ଷୀ ପଦବୀ ପୂରଣ କରାଯିବ। ରାଜ୍ୟରେ ଅପରାଧ କିମ୍ବା ଅପରାଧୀ ମାନଙ୍କ ପାଇଁ କୌଣସି ସ୍ଥାନ ନାହିଁ। ଯିଏ ଅପରାଧ କରିବ ତାକୁ ଆଇନ୍ କେବେ କ୍ଷମା କରିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.