ମଧ୍ୟାହ୍ନ ଭୋଜନରେ ଅନିୟମିତତା: ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

Published By : Prameya-News7 Bureau | November 02, 2024 IST

ଭୁବନେଶ୍ୱର: ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ସ୍ବାଦିଷ୍ଟ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ପାଇଁ ପିଏମ-ପୋଷଣ ଅଭିଯାନ କାର୍ଯ୍ୟ କରିଆସୁଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପୁଷ୍ଟିକର ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଉଛି। ଏଥିରେ ଖିଲାପ୍ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଆସୁଛି ବିଭାଗ। 

ଏହିକ୍ରମରେ ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅଧିନସ୍ଥ ଟୋଲକାନି ଅଞ୍ଚଳର ଝାଡ଼େଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଅନିୟମିତତାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମନ୍ତ କୁମାର ଦେହୁରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । 

ସୂଚନାଯୋଗ୍ୟ, ଗତ କିଛି ଦିନ ହେଲାଣି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ ସହ କେବଳ ଲୁଣ ଲଙ୍କା ଦିଆଯାଉଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ହସ୍ତଗତ ହେବା ପରେ ଏ ସମ୍ବନ୍ଧରେ ବିଭାଗ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଏହି ତଦନ୍ତର ଫଳାଫଳ ଅନୁଯାୟୀ କାର୍ଯ୍ୟରେ ଅବହେଳା ଯୋଗୁଁ କାର୍ଯ୍ୟରତ ପ୍ରଧାନଶିକ୍ଷକଙ୍କୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.