ଭୁବନେଶ୍ଵର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପାଇଁ ନିୟୋଜିତ ସୁରକ୍ଷା କର୍ମୀ ହଟିବା ପରେ ଏହାକୁ ନେଇ ଜୋର ଧରିଛି ରାଜନୀତି। ୨୪ ନିର୍ବାଚନରେ ବିଜେଡି ଗାଦିଚ୍ୟୁତ ହେବାର ୪ ମାସ ପରେ ଦୁଇଜଣ ବ୍ୟକ୍ତିଗତ ସୁରକ୍ଷା କର୍ମୀ ରଖି ବାକି ସିକ୍ୟୁରିଟି ହଟାଇ ଦେଇଛନ୍ତି ସରକାର । ଯାହାକୁ ନେଇ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ନିଜର ଉଦାହରଣ ଦେଇଥିବା ବେଳେ ବିରୋଧୀ ଦଳ ନେତାଙ୍କ ସୁରକ୍ଷା ଦାୟିତ୍ଵ ସରକାରଙ୍କର ବୋଲି କହିଛି ବିଜେଡି ।
ହଟିଲେ ନବୀନଙ୍କ ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷାକର୍ମୀ । ୨୨ଜଣ ସୁରକ୍ଷା କର୍ମୀଙ୍କୁ ନବୀନ ନିବାସରୁ ହଟାଇଛନ୍ତି ରାଜ୍ୟ ସରକାର । ୨୪ ନିର୍ବାଚନରେ ବିଜେଡି ଗାଦିଚ୍ୟୁତ ହେବା ପରେ ସରକାର ୨୬୮ ସୁରକ୍ଷା କର୍ମୀଙ୍କୁ ହଟାଇ ୨୨ଜଣ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରିଥିଲେ । ଏବେ ୪ ମାସ ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସୁରକ୍ଷା ପାଇଁ କେବଳ ଦୁଇ ଜଣ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଦିଆଯାଇଛି। ପ୍ରୋଟକଲ ଅନୁସାରେ ବିରୋଧୀ ଦଳ ନେତାଙ୍କୁ ଓ୍ବାଇ ପ୍ଲସ ସିକ୍ୟୁରିଟି ଦିଆଯାଇଥାଏ । ଓ୍ବାଇ ପ୍ଲସ ଅନୁସାରେ ବିରୋଧୀ ଦଳ ନେତାଙ୍କୁ ୨ଜଣ ପିଏସଓ, ପ୍ରବେଶ ଓ ପ୍ରସ୍ଥାନରେ ସୁରକ୍ଷା କର୍ମୀ , ସହ ଜିଲ୍ଲା ଗସ୍ତ ସମୟରେ କ୍ୟାବିନେଟ ମନ୍ତ୍ରୀ ଭଳି ସିକ୍ୟୁରିଟି ଦିଆଯାଏ। ପାଇଲଟ ସହିତ ଜିଲ୍ଲା ପୋଲିସ ସୁରକ୍ଷା ବ୍ୟବସ୍ଥା କରିଥାଏ ।
Also read: ଭରତପୁର ଥାନା ଘଟଣାର ସମୀକ୍ଷା କଲେ ପୋଲିସ ଡିଜି, କ୍ରାଇମବ୍ରାଞ୍ଚ ଏଡିଜି ଓ ୨ ତଦନ୍ତକାରୀ ଅଧିକାରୀ ଉପସ୍ଥିତ
ଏବେ ନିବୀନଙ୍କ ପାଖରୁ ସୁରକ୍ଷାକର୍ମୀ ହଟାଇବାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ସେ ବିରୋଧୀ ଦଳ ନେତା ଥିବା ବେଳେ ସୁରକ୍ଷା କର୍ମୀ ନେଇନଥିଲେ । ଏବେ ବି ବିଧାୟକ ହିସାବରେ ସୁରକ୍ଷା କର୍ମୀ ନେଇ ନାହାନ୍ତି । ଯେଉଁମାନଙ୍କ ଭୟ ଅଛି ସେମାନେ ସିକ୍ୟୁରିଟି ନେଇଛନ୍ତି । ବିରୋଧୀ ଦଳ ନେତାଙ୍କ ପାଇଁ ସୁରକ୍ଷା କର୍ମୀ ନିୟୋଜିତକୁ ନେଇ ଯେଉଁ ନିୟମ ଅଛି ସରକାର ତାହା ପାଳନ କରିଛନ୍ତି ବୋଲି କହିଛନ୍ତି ବିଜେପି ବିଧାୟକ ତଥା ପୂର୍ବତନ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।
ସେପଟେ ବିଜେଡି କହିଛି ନବୀନ ପଟ୍ଟନାୟକ ଦୁଇ ଦଶନ୍ଧି ଧରି ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ଭାବେ ସେବା ଯୋଗାଇଛନ୍ତି। ଆଞ୍ଚଳିକ ଦଳର ନେତା ଭାବେ ଆଜି ବି ତାଙ୍କ ବ୍ୟକ୍ତିତ୍ବ ଓ ନେତୃତ୍ବକୁ ସମସ୍ତେ ଗ୍ରହଣ କରୁଛନ୍ତି । ଗଣତନ୍ତ୍ରରେ ଉଭୟ ସରକାରୀ ଓ ବିରୋଧୀ ଦଳର ଭୂମିକା ରହିଛି । ନବୀନ ପଟ୍ଟନାୟକ ଲୋକଙ୍କ ସର୍ବମାନ୍ୟ ନେତା । ନବୀନ ପଟ୍ଟନାୟକଙ୍କ ସୁରକ୍ଷାରେ ଆଗାମୀ ଦିନରେ ଯେପରି ତ୍ରୁଟି ନ ରହେ, ତାହାର ଉତ୍ତର ଦାୟିତ୍ବ ରାଜ୍ୟ ସରକାର ନେବା ଦରକାର । ରାଜ୍ୟ ସରକାର ତାଙ୍କର ତ୍ରୁଟି ସୁଧାରିବେ ବୋଲି କହିଛନ୍ତି ବିଜେଡି ନେତା ସଞ୍ଜୟ ଦାସବର୍ମା । ଭିଆଇପି ସଂସ୍କୃତିକୁ ହଟାଇବା ପାଇଁ ନିବୀନ ମୁଖ୍ୟମନ୍ତ୍ରୀ ଥିବାବେଳେ ପ୍ରଥମେ ତାଙ୍କ ଗାଡିରୁ ନାଲିବତୀ କାଢ଼ିଥିଲେ । ଏବେ ତାଙ୍କ ସୁରକ୍ଷା ହଟିବା ପରେ ରାଜନୀତି ଜୋର ଧରିଛି ।