ଭୁବନେଶ୍ବର ୨।୧୧: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପାଇଁ ନିୟୋଜିତ ସୁରକ୍ଷା କର୍ମୀ ହଟିବା ପରେ ଏହାକୁ ନେଇ ଜୋର ଧରିଛି ରାଜନୀତି । ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ସେ ବିରୋଧୀ ଦଳ ନେତା ଥିବାବେଳେ ସୁରକ୍ଷା କର୍ମୀ ନେଇନଥିଲେ । ଏବେ ବି ବିଧାୟକ ହିସାବରେ ସୁରକ୍ଷା କର୍ମୀ ନେଇ ନାହାନ୍ତି । ଯେଉଁମାନଙ୍କ ଭୟ ଅଛି ସେମାନେ ସିକ୍ୟୁରିଟି ନେଇଛନ୍ତି । ବିରୋଧୀ ଦଳ ନେତାଙ୍କ ପାଇଁ ସୁରକ୍ଷା କର୍ମୀ ନିୟୋଜିତକୁ ନେଇ ଯେଉଁ ନିୟମ ଅଛି ସରକାର ତାହା ପାଳନ କରିଛନ୍ତି ବୋଲି କହିଛନ୍ତି ଜୟ ନାରାୟଣ ।
ସେପଟେ ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି, ନବୀନ ପଟ୍ଟନାୟକ ଦୁଇ ଦଶନ୍ଧି ଧରି ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ଭାବେ ସେବା ଯୋଗାଇଛନ୍ତି । ଆଞ୍ଚଳିକ ଦଳର ନେତା ଭାବେ ଆଜି ବି ତାଙ୍କ ବ୍ୟକ୍ତିତ୍ବ ଓ ନେତୃତ୍ବକୁ ସମସ୍ତେ ଗ୍ରହଣ କରୁଛନ୍ତି । ଗଣତନ୍ତ୍ରରେ ଉଭୟ ସରକାରୀ ଓ ବିରୋଧୀ ଦଳର ଭୂମିକା ରହିଛି । ନବୀନ ପଟ୍ଟନାୟକ ଲୋକଙ୍କ ସର୍ବମାନ୍ୟ ନେତା । ନବୀନ ପଟ୍ଟନାୟକଙ୍କ ସୁରକ୍ଷାରେ ଆଗାମୀ ଦିନରେ ଯେପରି ତ୍ରୁଟି ନ ରହେ, ତାହାର ଉତ୍ତର ଦାୟିତ୍ବ ରାଜ୍ୟ ସରକାର ନେବା ଦରକାର । ରାଜ୍ୟ ସରକାର ତାଙ୍କର ତ୍ରୁଟି ସୁଧାରିବେ ବୋଲି କହିଛନ୍ତି ସଞ୍ଜୟ ।
୨୪ ନିର୍ବାଚନରେ ବିଜେଡି ଗାଦିଚ୍ୟୁତ ହେବା ପରେ ସରକାର ୨୬୮ ସୁରକ୍ଷା କର୍ମୀଙ୍କୁ ହଟାଇ ୨୨ ଜଣ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରିଥିଲେ । ଏବେ ୪ ମାସ ପରେ ବିରୋଧୀ ଦଳ ନେତାଙ୍କ ସୁରକ୍ଷା ପାଇଁ କେବଳ ଦୁଇ ଜଣ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଦିଆଯାଇଛି । ପ୍ରୋଟକଲ ଅନୁସାରେ ବିରୋଧୀ ଦଳ ନେତାଙ୍କୁ ଓ୍ବାଇ ପ୍ଲସ ସିକ୍ୟୁରିଟି ଦିଆଯାଇଥାଏ । ଓ୍ବାଇ ପ୍ଲସ ଅନୁସାରେ ବିରୋଧୀ ଦଳ ନେତାଙ୍କୁ ୨ ଜଣ ପିଏସଓ, ପ୍ରବେଶ ଓ ପ୍ରସ୍ଥାନରେ ସୁରକ୍ଷା କର୍ମୀ ସହ ଜିଲ୍ଲା ଗସ୍ତ ସମୟରେ କ୍ୟାବିନେଟ ମନ୍ତ୍ରୀ ଭଳି ସିକ୍ୟୁରିଟି ଦିଆଯାଏ । ପାଇଲଟ ସହିତ ଜିଲ୍ଲା ପୋଲିସ ସୁରକ୍ଷା ବ୍ୟବସ୍ଥା କରିଥାଏ ।
You Can Read:
ଆମ୍ବ ଟାକୁଆ ଟ୍ରାଜେଡି: MKCGରେ ଅସୁସ୍ଥଙ୍କୁ ପୃଥକ ପୃଥକ ଭେଟିଲେ କଂଗ୍ରେସ ଓ ବାମ ଦଳ