ଶ୍ରୀମନ୍ଦିରରେ ରୁକ୍ମିଣୀହରଣ ଏକାଦଶୀ, ୩ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

Published By : Prameya-News7 Bureau | June 18, 2024 IST

ପୁରୀ ୧୮।୦୬ : ଶ୍ରୀମନ୍ଦିରରେ ରୁକ୍ମିଣୀହରଣ ଏକାଦଶୀ । ଏଥିପାଇଁ ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ । ମହାପ୍ରଭୁଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ନୀତିକାନ୍ତି ପାଇଁ ବନ୍ଦ ରହିବ ଦର୍ଶନ ।  ଆପାତତଃ ୨ଟାରୁ ୫ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ।

ଖବର ଅନୁଯାୟୀ, ମଙ୍ଗଳବାର ଶ୍ରୀମନ୍ଦିରରେ ରୁକ୍ମିଣୀହରଣ ଏକାଦଶୀ । ସୋମବାର ରାଜେନ୍ଦ୍ରାଭିଷେକ ପରେ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ।‌ ଶ୍ରୀମନ୍ଦିରରେ ସକାଳଧୂପ ପୂଜା ବସିବା ସମୟରେ ଦକ୍ଷିଣୀ ଘରେ ମଦନମୋହନଙ୍କ ବେଶ ହେବ।‌ ଏହାପରେ ମଦନମୋହନ ରତ୍ନ ସିଂହାସନକୁ ବିଜେ ହେବେ। ଭୋଗ ମଣ୍ଡପ ଶେଷ ପରେ ମଦନମୋହନ ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ଜୟବିଜୟ ଦ୍ୱାରକୁ ବିଜେ କରିବେ‌। ସକାଳ ଧୂପ ପୂଜା ବଢିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଶ୍ରୀଦେବୀ ରୁକ୍ମିଣୀଙ୍କୁ ଦେବା ପରେ ମହାଜନ ସେବକ ରୁକ୍ମିଣୀଙ୍କୁ ସାତ ପାହାଚରେ ଥିବା ପାଲିଙ୍କିରେ ବିଜେ କରାଇବେ। ପରେ ବିମାନବଡୁ ସେବକ ପାଲିଙ୍କିକୁ ମହାଲକ୍ଷ୍ମୀ ମନ୍ଦିରକୁ ବିଜେ କରାଇ ଅନ୍ୟାନ୍ୟ ନୀତି ବଢିବା ପରେ ବେଶ ସମ୍ପର୍ଣ୍ଣ ହୋଇଥାଏ।‌ ପୁନର୍ବାର ଅନ୍ୟାନ୍ୟ ନୀତି ବଢ଼ି ଶ୍ରୀବିଗ୍ରହ ମାନଙ୍କ ମହାସ୍ନାନ ହୋଇ ନୂଆ ଲୁଗା ଲାଗି କରାଯିବ। ସନ୍ଧ୍ୟାଧୂପ ନୀତି ବଢ଼ି ସାରିବା ପରେ ମହାପ୍ରଭୁଙ୍କ  ବିବାହ ଉତ୍ସଵ ଅନୁଷ୍ଠିତ ହେବ। ଏପଟେ ଆଉ ତିନିଦିନ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ। ଏଥିପାଇଁ ତିନି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସ୍ନାନ ପୂର୍ଣ୍ଣମୀ ଅବସରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ମାର୍କେଟ ଛକ କିମ୍ବା ମର୍ଚ୍ଚିକୋଟ ଛକ ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡ଼ କରାଯିବ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.