ଭାରତ ଏକ ମହାନ ଦେଶ, ବିଶ୍ୱ ମହାଶକ୍ତିରେ ଏହାକୁ ସାମିଲ କରାଯିବା ଦରକାର: ପୁଟିନ

Published By : Prameya-News7 Bureau | November 08, 2024 IST

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣି ଥରେ ଭାରତକୁ ହୃଦୟ ଖୋଲି ପ୍ରଶଂସା କରିଛନ୍ତି । ରାଷ୍ଟ୍ରପତି ପୁଟିନ ଭାରତକୁ ଏକ ମହାନ ଶକ୍ତି ବୋଲି ମଧ୍ୟ କହିଛନ୍ତି । ଏହାସହ ଭାରତୀୟ ଅର୍ଥବ୍ୟବସ୍ଥା, ସଂସ୍କୃତି ଏବଂ ଭବିଷ୍ୟତର ସମ୍ଭାବନାକୁ ଜୋରଦାର ପ୍ରଶଂସା କରିଛନ୍ତି । ଭାରତର ଆର୍ଥିକ ଅଭିବୃଦ୍ଧି ଏବଂ ଏହାର ବିଶାଳକା ଦୃଷ୍ଟିରେ ରଖି ଏହାକୁ ବୈଶ୍ୱିକ ମହାଶକ୍ତି ସୂଚୀରେ ସାମିଲ କରାଯିବା ଦରକାର । ରୁଷର ସୋଚି ସହରରେ ବାଲଦାଇ ଡିକ୍ସସନ କ୍ଲବରେ ଏକ କାର୍ଯ୍ୟକ୍ରମକୁ ସମ୍ୱୋଧନ କରି ପୁଟିନ ଏହି କଥା କହିଛନ୍ତି ।

ପୁଟିନ ନିଜ ସମ୍ୱୋଧନରେ କହିଛନ୍ତି, 'ଆମେ ଭାରତ ସହ ନିଜ ସମ୍ପର୍କକୁ ବିଭିନ୍ନ କ୍ଷେତ୍ରରେ ମଜଭୁତ କରୁଛୁ । ଭାରତ ଏକ ମହାନ ଦେଶ । ଏହା ଆର୍ଥିକ ବିକାଶ ମାମଲାରେ ବଡ଼ ଅର୍ଥବ୍ୟବସ୍ଥା ମଧ୍ୟରେ ପ୍ରମୁଖ । ଏହାର ଜିଡିପି ୭.୪ ପ୍ରତିଶତ ହାରରେ ବୃଦ୍ଧି ପାଉଛି । ରୁଷ ଏବଂ ଭାରତ ମଧ୍ୟରେ ସହଯୋଗ ପ୍ରତିବର୍ଷ ବଢୁଛି ।' ପୁଟିନ ସୋଭିଏତ୍ ସଂଘ କାଳରୁ ଭାରତ ସହ ରୁଷର ସମ୍ୱନ୍ଧକୁ ଉଲ୍ଲେଖ କରି ଦୁଇ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ସ୍ୱତନ୍ତ୍ର ବୋଲି କହିଛନ୍ତି । ପୁଟିନ ଏହା ବି କହିଛନ୍ତି ଯେ ସୋଭିଏତ୍ ସଂଘ ଭାରତର ସ୍ୱାଧୀନତାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।

ରୁଷ ରାଷ୍ଟ୍ରପତି କହିଛନ୍ତି, 'ଭାରତକୁ ବୈଶ୍ୱିକ ମହାଶକ୍ତି ସୂଚୀରେ ସାମିଲ କରାଯିବା ଦରକାର । ଏହା ଦେଢ ବିଲିୟନ ଲୋକଙ୍କ ଦେଶ ଏବଂ ଦୁନିଆରେ ସବୁଠୁ ଦ୍ରୁତ ବେଗରେ ବୁଢିଥିବା ଅର୍ଥନୀତି ମଧ୍ୟରୁ ଗୋଟିଏ । ଏହାର ସଂସ୍କୃତି ଅତି ପ୍ରାଚୀନ ଏବଂ ଏହା ପାଖରେ ଭବିଷ୍ୟତରେ ବିକାଶର ଅପାର ସମ୍ଭାବନା ରହିଛି ।'

ରୁଷ ରାଷ୍ଟ୍ରପତି କହିଛନ୍ତି ଯେ ଭାରତ ଏବଂ ରୁଷ ପ୍ରତିରକ୍ଷା କ୍ଷେତ୍ରରେ ବି ସହଯୋଗ ବଢାଉଛନ୍ତି । ଭାରତୀୟ ସେନା ପାଖରେ ଅନେକ ପ୍ରକାର ରୁଷ ହତିଆର ଅଛି । ଏହା ଦୁଇ ଦେଶ ମଧ୍ୟରେ ଥିବା ବିଶ୍ୱାସକୁ ଦର୍ଶାଉଛି । ଆମେ କେବଳ ନିଜ ହତିଆର ଭାରତକୁ ବିକ୍ରି କରୁ ନାହୁଁ ବରଂ ମିଳିତ ଭାବେ ଆମେ ଏହାକୁ ଡିଜାଇନ ମଧ୍ୟ କରୁଛୁ । ଉଲ୍ଲେଖଯୋଗ୍ୟ ଯେ ଭାରତ ଏବଂ ରୁଷ ମିଳିତ ଭାବେ ବ୍ରହ୍ମୋସ ମିସାଇଲ୍ ବିକଶିତ କରିଛନ୍ତି । ଭାରତ ବ୍ରହ୍ମପୁତ୍ର ଏବଂ ରୁଷର ମୋସ୍କାଭା ନଦୀର ନାଁକୁ ଯୋଡ଼ି ବ୍ରହ୍ମୋସ ନାଁ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.