କଟକ ୧୬/୨: ୟୁଟ୍ୟୁବ ମାଧ୍ୟମରେ ଅଷ୍ଟମରୁ ଦଶମ ଶ୍ରେଣୀ ଯାଏ ପ୍ରଶ୍ନପତ୍ର ଭାଇରାଲ କରୁଥିବା ଏକ ବଡ ରାକେଟ୍ ଧରାପଡିଛି । ରାକେଟ୍ରେ ସଂପୃକ୍ତ ୪ ଜଣ ୟୁଟ୍ୟୁବର ଓ ଜଣେ ସରକାରୀ ସ୍କୁଲ ଶିକ୍ଷକଙ୍କୁ ଗିରଫ କରିଛି କଟକ ସାଇବର ଥାନା ପୋଲିସ ।
ଗିରଫ ଅଭିଯୁକ୍ତମାନେ ହେଲେ ଭଦ୍ରକ ଜିଲ୍ଲା ଧାମନଗରଥାନା ଅଞ୍ଚଳର ଜ୍ୟୋତିରଞ୍ଜନ ବାରିକ(୨୬)ବରଗଡ଼ ଅତାବିରାର ସାହିଲ କୁମାର ମିଶ୍ର(୨୪)ଟିଟଲାଗଡ଼ର ସୁଶାନ୍ତ କୁମାର ବିଶି(୨୮) ଓ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ସାଇଶଙ୍କର ପାତ୍ର(୧୮) । ଗିରଫ ସହକାରୀ ଶିକ୍ଷକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଘନଶ୍ୟାମବେଉରା।
ଅଭିଯୁକ୍ତଙ୍କ ଠାରୁ ୬ଟି ମୋବାଇଲ୍ ଫୋନ୍ ଓ ଗୋଟିଏ ଟାବଲେଟ୍ ଜବତ ହୋଇଛି। ସୂଚନା ଅନୁଯାୟୀ ଗତବର୍ଷ ନଭେମ୍ବର୧ରେ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଆସୋସିଏସନ ବା ‘ଓଷ୍ଟାର ସଂପାଦକ ରଞ୍ଜନ କୁମାର ଦାଶ ସାଇବର ଥାନାରେ ଏକଏତଲା ଦେଇଥିଲେ। ଗତ ଅକ୍ଟୋବର ୨୮ରୁ ନଭେମ୍ବର ୪ ମଧ୍ୟରେ ସ୍କୁଲସ୍ତରରେ ଅଷ୍ଟମରୁଦଶମ ଶ୍ରେଣୀ ମଧ୍ୟରେ ଚାଲିଥିବା ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ସେ ଏତଲାରେ ଉଲ୍ଲେଖ କରିଥିଲେ। ଏପରିକ ପୂର୍ବ ବର୍ଷର ପ୍ରି ବୋର୍ଡ' ପରୀକ୍ଷାର ପ୍ରଶ୍ନପତ୍ର ମଧ୍ୟ ବିଭିନ୍ନ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଭାଇରାଲ୍ କରାଯାଇଥିଲା ।
ଅଭିଯୋଗ ପାଇବା ପରେ ଥାନା ପକ୍ଷରୁ ଗୁଗଲ୍ ଓ ଅନ୍ୟ ସଂସ୍ଥାଠାରୁ ଏକାଧିକ ବୈଷୟିକ ତଥ୍ୟ ମଗାଯାଇଥିଲା। ଏହି ତଥ୍ୟ ଯାଞ୍ଚ ପରେ ଘଟଣା ପଛରେ ଏକ ବଡ଼ ରାକେଟ୍ କାମ କରୁଥିବା ଜଣାପଡ଼ିଥିଲା। ସେହିଭଳି ଅଧିକ ଭିୟୁ ପାଇଁ ଏହିଭଳି ୟୁଟୁବ ଚ୍ୟାନେଲ ମାନେ କରିଥିବା ବେଳେ ସହକାରୀ ଶିକ୍ଷକ ମୋଟା ଅଙ୍କରେ ପ୍ରଶ୍ନ ବିକ୍ରି କରିଥିବା କଥା କହିଛନ୍ତି କଟକ ଡିସିପି ଜଗମୋହନ ମୀନା।