ରାତି ଅଧରେ ଟ୍ରାକ୍‌ରେ ଚାଲିଲେ ଗଜରାଜ, ୯ ଘଣ୍ଟା ବନ୍ଦ ରହିଲା ଟ୍ରେନ ଚଳାଚଳ

Published By : Prameya-News7 Bureau | October 21, 2024 IST

ରାଉରକେଲା ୨୧/୧୦: ହାତୀ ପାଇଁ ଟ୍ରେନ ଚଳାଚଳ ବନ୍ଦ । ପାଖାପାଖି ୯ ଘଂଟା ଧରି ଟ୍ରେନ ଚଳାଚଳ ରହିଲା ବନ୍ଦ । ରାଉରକେଲାରୁ ୧୦ କିଲୋମିଟର ଦୂର ବିଶ୍ରା ଷ୍ଟେସନରୁ ରାଉରକେଲା ଷ୍ଟେସନ ମଧ୍ୟରେ ହାତୀ ପଲ ରେଳ ଧାରଣା ପାର ହେବା ସହ ରେଳ ଧାରଣା କଡ଼ରେ ଥିବାରୁ ଟାଟା ରାଉରକେଲା ସହ ହାଟିଆ ରାଉରକେଲା ମଧ୍ୟରେ ଟ୍ରେନ ଚଳାଚଳ ବନ୍ଦ କରି ଦିଆଯାଇଥିଲା । 

ଗତ କିଛି ଦିନ ହେଲା ଏହି ଅଚଂଳରେ ହାତୀ ପଲ ଲଗାତାର ଭାବରେ ରେଳ ଧାରଣା ପାର ହେବା ସହ ରେଳ ଧାରଣା କଡ଼ରେ ଚଳ ପ୍ରଚଳ କରୁଥିବାରୁ ନିୟମ ଅନୁସାରେ ରେଳ ବିଭାଗ ଏହି ପଦକ୍ଷେପ ନେଇଥିଲା । ଗତ ୧୪ ତାରିଖ ରାତି ପାଖାପାଖି ୯.୪୫ ସମୟରେ ବନ୍ଦମୁଣ୍ଡା ଆର. କ୍ୟାବିନ ରେଳ ଧାରଣା ପାର ହେବା ବେଳେ ମାଲଗାଡ଼ି ଧକ୍କାରେ ଛୁଆ ହାତୀର ମୃତ୍ୟୁ ହୋଇଥିବା ସହ ଦୁଇ ହାତୀ ଗୁରୁତର ହୋଇଥିଲେ । 

ବନବିଭାଗ ରେଳବିଭାଗକୁ ପୁର୍ବରୁ ସୁଚନା ଦେବା ସହ ସର୍ତକତା ଅବଲମ୍ବନ କରିବା ପାଇଁ କହିବା ସତ୍ତ୍ୱେ ରେଳ ବିଭାଗର ଅବହେଳା ଯୋଗୁଁ ହାତୀ ଛୁଆ ମାଲଗାଡ଼ି ଧକ୍କାରେ ମୃତ୍ୟୁ ହେବା ସହ ଦୁଇ ହାତୀ ଗୁରୁତର ହୋଇଥିଲେ । ତାପରେ ଚେତା ପଶିଥିଲା ରେଳବିଭାଗର । ଆଉ ରବିବାର ରାତିରେ ହାତୀ ଚଳପ୍ରଚଳକୁ ନେଇ ଟ୍ରେନ ଚଳାଚଳ ବନ୍ଦ ରହିଥିଲା । 

ଦରଭଙ୍ଗା ଏକ୍ସପ୍ରେସ ରାଜଗାଙ୍ଗପୁର ଷ୍ଟେସନରେ, ଜାନେଶ୍ୱରି  ଏକ୍ସପ୍ରେସ ବାମରା ଷ୍ଟେସନରେ , ସମଲେଶ୍ୱରୀ ଏକ୍ସପ୍ରେସ ବାଗଡ଼ିହି ଷ୍ଟେସନରେ, ଆଜାଦହିନ୍ଦ ଝାରସୁଗୁଡ଼ା ଷ୍ଟେସନରେ, ଗୀତାଂଜଳୀ ଏକ୍ସପ୍ରେସ ଭାଲୁଲତା ଷ୍ଟେସନରେ ଏବଂ ଧାନବାଦ ଏଲଏପି ଏକ୍ସପ୍ରେସ ଝାରଖଣ୍ଡର ବାଙ୍ଗୁରକେଲା ଷ୍ଟେସନରେ ଅଟକି ରହିଥିବା ବେଳେ ବିଭିନ୍ନ ଷ୍ଟେସନରେ ମାଲଗାଡ଼ି ଅଟକି ରହିଥିଲା । ସୋମବାର ଭୋର ହେବା ପରେ ସମସ୍ତ ଟ୍ରେନ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିଲେ । ଏହାରି ଭିତରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.