ଖୋଲୁଛି ରଙ୍ଗିଲା ବାବାର ମୁଖା,ଡବଲ ଆଧାର କାର୍ଡ ଥିବା ଖୁଲାସା

Published By : Prameya-News7 Bureau | October 14, 2024 IST

ଢେଙ୍କାନାଳ ୧୪/୧୦: ଭାପୁର ଅଞ୍ଚଳରୁ ଯୁବତୀଙ୍କୁ ଅପହରଣ ମାମଲା । ଧିରେ ଧିରେ ଖୋଲୁଛି ରଙ୍ଗିଲା ବାବା କୈବଲ୍ୟ ଯାନୀର ମୁଖା । ଆପତ୍ତିଜନକ ଫଟୋ, ଡ୍ୟାନ୍ସ ଭିଡିଓ ଭାଇରାଲ ପରେ ଏବେ ବାବାର ଆଉ ଏକ ଗୁମର ଖୋଲିଛି । ଯେଉଁଥିରେ ବାବାର ୨ଟି ଆଧାର କାର୍ଡ ଥିବା ଖୁଲାସା ହୋଇଛି । ରଙ୍ଗିଲା ବାବାର ପ୍ରକୃତ ନାଁ ଗୁରୁଦତ୍ତ ପଟ୍ଟନାୟକ । ଘର ଖୋର୍ଦ୍ଧା କେରଙ୍ଗ । ପୋଲିସ ୨ଟି ଆଧାର କାର୍ଡ ଜବତ କରିବା ସହ ବାବା ନାଁରେ ଆଉ ଏକ ମାମଲା ରୁଜୁ ହୋଇଛି । 

କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ବାହାରବିଲାରେ ରହିଛି ବାବାର ଆଶ୍ରମ। ବାବା ସେଠାରେ ନିଜ ସମର୍ଥକଙ୍କ ସହ ରହୁଥିଲା । ପ୍ରତିଦିନ ବାବା ପାଖରେ ଲାଗେ ଗହଳି ଚହଳି । ବାବା ନାଲି ଓ ହଳଦିଆ ଧୋତି ପିନ୍ଧି ଭକ୍ତଙ୍କୁ ଦର୍ଶନ ଦେବା ସହ ମନୋସ୍କାମନା ପୂରଣ କରୁଥିଲା । 

ଢେଙ୍କାନାଳ ଜିଲ୍ଲାର ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ସେ ଅପହରଣ କରିଥିବା ଅଭିଯୋଗ ପରେ ବିବାଦରେ ଫସିଥିଲା ବାବା କୈବଲ୍ୟ ଜାନୀ । ଯୁବତୀଙ୍କ ବାପାଙ୍କ ଅଭିଯୋଗ କ୍ରମେ ଶନିବାର ଅପରାହ୍ନରେ ଆଶ୍ରମରେ ପୂଜା କରୁଥିବା ବେଳେ ବାବାକୁ ଢେଙ୍କାନାଳ ପୁଲିସ୍‌ ଉଠାଇ ପଚରାଉଚରା କରୁଛି। ହେଲେ ଆଶ୍ରମରୁ ଯୁବତୀଙ୍କୁ ପାଇନଥିଲା। 

ଶେଷରେ ସେହିଦିନ ବିଳମ୍ୱିତ ରାତିରେ ଢେଙ୍କାନାଳ ପୁଲିସ ଖୋର୍ଦ୍ଧା ଅଞ୍ଚଳରେ ଚଢ଼ଉ କରି ଯୁବତୀଙ୍କୁ ଉଦ୍ଧାର କରିଛି। ଯୁବତୀ ଜଣକ ପ୍ରକୃତରେ ଅପହରଣ ହୋଇଥିଲେ ନା ସେ ନିଜ ଇଚ୍ଛାରେ ଚାଲି ଯାଇଥିଲେ ତାହା ଜଣାପଡିନି । ପୋଲିସ ସେ ବିଷୟରେ ତଦନ୍ତ ଜାରି ରଖିଛି। ସେହିପରି ଆଶ୍ରମ ପରିସରରେ ବନ୍ଦୀ ଥିବା ଶୁଆମାନଙ୍କୁ ଉଦ୍ଧାର କରି ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଛାଡିଛି ଆଠଗଡ଼ ବନ ବିଭାଗ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.