ବିଦାୟ ଅମ୍ଳାନ ‘ରତନ’...ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେଲା ଅନ୍ତିମ ସଂସ୍କାର

Published By : Prameya-News7 Bureau | October 10, 2024 IST

aaj tak

ମୁମ୍ୱାଇ: ଦେଶର ଅମ୍ଳାନ ରତ୍ନ ‘ରତନ ଟାଟା’ଙ୍କ ଅନ୍ତିମ ସଂସ୍କାର ମୁମ୍ୱାଇର ୱର୍ଲି ସ୍ଥିତି ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି ।ପାର୍ସି ରୀତିନୀତିରେ ତାଙ୍କର ସଂସ୍କାର କରାଯାଇଛି । ଆଜି ସାରା ଦେଶ ଏହି ମହାନ ଆତ୍ମାକୁ ଅଶ୍ରୁଳ ବିଦାୟ ଜଣାଇଛି । ସାମନାକୁ ଆସିଥିବା ଫଟୋ ଏବଂ ଭିଡିଓ ପ୍ରମାଣ ଦେଉଛି ଯେ ରତନ ଟାଟାଙ୍କ ଶେଷ ଦର୍ଶନ ପାଇଁ ଦେଶର ଆର୍ଥିକ ରାଜଧାନୀ ମୁମ୍ୱାଇ ସତେ ଯେମିତି ସ୍ଥିର ହୋଇଯାଇଥିଲା । କୋଲାବା ସ୍ଥିତ ଟାଟାଙ୍କ ବାସଭବନରୁ ଆରମ୍ଭ କରି ଏନସପିଏ ଯାଏ ଲୋକଙ୍କ ଭିଡ଼ ହିଁ କହୁଥିଲା ରତନ ଟାଟାଙ୍କ ଲୋକପ୍ରିୟତା । 

ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ୮୬ ବର୍ଷ ବୟସରେ ବୁଧବାର ରାତିରେ ନିଧନ ହୋଇଥିଲା । ମୁମ୍ୱାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ସେ ନିଃଶ୍ୱାସ ତ୍ୟାଗ କରିଥିଲେ । ଗୁରୁବାର ଶେଷ ଦର୍ଶନ ପାଇଁ ତାଙ୍କ ପାର୍ଥିବ ଶରୀରକୁ ମୁମ୍ୱାଇର NCPA ଗ୍ରାଉଣ୍ଡରେ ରଖାଯାଇଥିଲା । ଏଠାରେ ହଜାର ହଜାର ସଂଖ୍ୟାରେ ଲୋକେ ତାଙ୍କର ଶେଷ ଦର୍ଶନ କରିଥିଲେ ।

ଏହାପରେ ଅପରାହ୍ଣ ୪ଟାରେ NCPA ଗ୍ରାଉଣ୍ଡରୁ ରତନ ଟାଟାଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହୋଇଥିଲା । ଶେଷ ଯାତ୍ରା ଆରମ୍ଭ ପୂର୍ବରୁ ତ୍ରିରଙ୍ଗାରେ ତାଙ୍କ ପାର୍ଥିବ ଶରୀରକୁ ଘୋଡାଇ ଦିଆଯାଇଥିଲା । ରତନ ଟାଟାଙ୍କ ପାର୍ଥିବ ଶରୀର ୱର୍ଲି ଶ୍ମଶାନରେ ପହଞ୍ଚିବା ପରେ ସେଠାରେ ଗନ୍ ସ୍ୟାଲୁଟ୍ ସହ ବିଦାୟ ଦିଆଯାଇଥିଲା । ରତନ ଟାଟାଙ୍କ ଅନ୍ତିମ ସଂସ୍କାରରେ ଉଦ୍ୟୋଗ, ରାଜନୀତି, ସିନେମା, କ୍ରୀଡ଼ା ସହ ସବୁ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ଗୃହମନ୍ତ୍ରୀ ଅମିତ୍ ଶାହ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସନ୍ଦେ, ଗୁଜାରଟ ସିଏମ୍ ଭୂପେନ୍ଦ୍ର ପଟେଲ, ଦେବେନ୍ଦ୍ର ଫଡଣଭିସ, କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ ମଧ୍ୟ ଉପସ୍ଥିତ ରହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.