ଭାରତୀୟ ଶିଳ୍ପ ସାମ୍ରାଜ୍ୟର ସମ୍ରାଟ ରତନ ଟାଟା; ଦେଶ ଭକ୍ତ, ଦୟାଳୁ ଆତ୍ମାଙ୍କ ଲମ୍ବା କାହାଣୀ, ଆରମ୍ଭରୁ ଶେଷ ଏମିତି ଥିଲା

Published By : Prameya-News7 Bureau | October 10, 2024 IST

ନୂଆଦିଲ୍ଲୀ: ରତନ ଟାଟା, ଏ ନାଁ ଉଦାରତାର ପ୍ରତୀକ । ଅସାଧାରଣ ବ୍ୟକ୍ତିତ୍ବ, ଦୟାଳୁ ଆତ୍ମା । ଦେଶ ଭକ୍ତ, ଭାରତୀୟ ଶିଳ୍ପର ଅମୂଲ୍ୟ ରତ୍ନ । ଆମ ଗହଣରେ ଆଉ ନାହାନ୍ତି ବିଜନେସ୍ ଟାଇକୁନ । ଉଦ୍ୟୋଗ ଜଗତକୁ ଉଦାସୀନ କରି ଇହଧାମରୁ ସବୁ ଦିନ ପାଇଁ ଉଭେଇ ଯାଇଛନ୍ତି ଭାରତୀୟ ଶିଳ୍ପର ଧ୍ରୁବ ତାରା । ୮୬ ବର୍ଷ ବୟସରେ ମୁମ୍ବାଇ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କର ବିୟୋଗ ହୋଇଛି । ରତନ ଟାଟାଙ୍କ ଦେହାନ୍ତରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି ।..

ଶିଳ୍ପ ଜଗତର ଏହି ଚାଣକ୍ୟ ୧୯୩୭ ମସିହା ଡିସେମ୍ବର ୨୮ ତାରିଖରେ ଏକ ପାର୍ସି ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ମୁମ୍ବାଇରେ ନିଜର ସ୍କୁଲ ପାଠପଢ଼ା ସାରିବା ପରେ ସେ ସ୍ନାତକ ଏବଂ ସ୍ନାତକତ୍ତୋର କରିବାକୁ ପ୍ରଥମେ ସିମ୍‌ଲା ପରେ ଆମେରିକାର ନ୍ୟୁୟର୍କ ସିଟିକୁ ଚାଲିଯାଇଥିଲେ । ଏହା ପରେ ୧୯୭୫ରେ ହାର୍ଭାର୍ଡ ବିଜନେସ୍ ସ୍କୁଲରେ ମ୍ୟାନେଜମେଣ୍ଟ ଶିକ୍ଷାଗ୍ରହଣ କରିଥିଲେ । ମାତ୍ର ଏହା ପୂର୍ବରୁ ଟାଟା ଗ୍ରୁପରେ ରତନ ଟାଟାଙ୍କ ଉପସ୍ଥିତିର ମୂଳଦୂଆ ପଡ଼ିସାରିଥିଲା । ୧୯୬୨ରେ ଜେଜେ ଜାମସେଦଜୀ ଟାଟାଙ୍କ  ପ୍ରତିଷ୍ଠିତ କମ୍ପାନିରେ ସାମିଲ୍ ହୋଇଥିଲା । କିଛି ଦିନ କମ୍ପାନି କାର୍ଯ୍ୟ କରିବା ପରେ ୧୯୭୧ରେ ନ୍ୟାସନାଲ୍ ରେଡିଓ ଆଣ୍ଡ୍ ଇଲେକ୍ରୋଟିନିକ୍ସ କମ୍ପାନିର ନିର୍ଦ୍ଦେଶ ଭାବେ ନିଯୁକ୍ତ ହୋଇଥିଲେ । ଏହାପରେ ୧୯୮୧ରେ ସେ ଟାଟା ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ହୋଇଥିଲେ । 

୧୯୯୦ରେ ଟାଟା ଗ୍ରୁଫର ମଙ୍ଗ ସମ୍ଭାଳିଥିଲେ ଶିଳ୍ପ ଗଡଫାଦର ରତନ ଟାଟା । ୧୯୯୧ରୁ ୨୦୧୨ ଯାଏଁ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ଟାଟା ଗ୍ରୁପକୁ କେବଳ ଦେଶରେ ନୁହେଁ ବିଶ୍ବ ମଞ୍ଚରେ ପ୍ରତିଷ୍ଠିତ କରାଇଥିଲେ । ଏହି ସମୟରେ ଟାଟାର ବ୍ୟବସାୟର ବିଶାଳ ସାମ୍ରାଜ୍ୟ ଶିଖରକୁ ଛୁଇଁଥିଲା । ୨୦୧୨ ଡିସେମ୍ବର ୨୮ରେ ବୟସାଧିକ କାରଣରୁ ସେ ଅଧ୍ୟକ୍ଷ ପଦରୁ ଅପସାରି ଯାଇଥିଲେ । ରତନ ଟାଟାଙ୍କ ନେତୃତ୍ବରେ ୨୦୧୧- ୧୨ରେ ଟାଟା ଗ୍ରୁଫ ୧୦ ହଜାର କୋଟି ଡଲାରର କମ୍ପାନିରେ ପରିଣତ ହୋଇଥିଲା । ୧୯୯୬ରେ ଟାଟା ଟେଲି ସର୍ଭିସେସ୍ ଏବଂ ୨୦୦୪ରେ ଆଇଟି କମ୍ପାନି ଟାଟା କନସଲଟାନ୍ସି ସର୍ଭିସେସ୍ ସ୍ଥାପନା କରିଥିଲେ । କେବଳ ଏତିକି ନୁହେଁ, ସ୍ବାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ଅପୂରଣୀୟ । ମୁମ୍ବାଇରେ ଟାଟା ମେମୋରିଆଲ୍ କ୍ୟାନସର ହସ୍ପିଟାଲ ଏବଂ ବେଙ୍ଗାଲୁରୁରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏବଂ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସ ପ୍ରତିଷ୍ଠା କରିଥିଲେ । 

ଭାରତୀୟ ଶିଳ୍ପକୁ ବିଶ୍ବ ମଞ୍ଚରେ ପ୍ରତିଷ୍ଠିତ କରିବାରେ ରତନ ଟାଟାଙ୍କ ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା । ୧୯୯୮ରେ ଭାରତୀୟ ବଜାରରେ ଇଣ୍ଡିକା କାର୍‌କୁ ଆଣିଥିଲେ । ଦୁଇ ବର୍ଷ ମଧ୍ୟରେ ଏହା ଲୋକପ୍ରିୟ ହୋଇଥିଲା । ଅନ୍ୟପଟେ ସ୍ବଳ୍ପ ପଇସାରେ ମଧ୍ୟବିତଙ୍କ ସ୍ବପ୍ନକୁ ବାସ୍ଥବତା ଦେଇଥିଲେ ରତନ ଟାଟା । ମାତ୍ର ଏକ ଲକ୍ଷ ଟଙ୍କାରେ ଭାରତୀୟଙ୍କ ହାତ ମୁଠାରେ ରଖିଥିଲେ ନାନୋ କାର୍ । କେବଳ ଏତିକିରେ ସରିନାହିଁ ତାଙ୍କ ଆବଦାନ। ରତନ ଟାଟଙ୍କ ସମୟରେ ଟାଟା ଗ୍ରୁପ୍ ୟୁରୋପୀୟ ବଜାରରେ ପାଦ ଥାପିଥିଲା । ଖୁବ୍ କମ୍ ଦିନରେ ଆଧ୍ୟପତ୍ୟ ବିସ୍ତାର କରି ଅଟୋମୋବାଇଲ୍ କମ୍ପାନି ଜାଗୁଆର୍ ଏବଂ ଲ୍ୟାଣ୍ଡରୋଭରକୁ ଅଧିଗ୍ରହଣ କରିଥିଲା । ପରେ ୟୁରୋପର ପ୍ରତିଷ୍ଠିତ ଇସ୍ପାତ କମ୍ପାନି ‘କୋରସ୍’କୁ ଟାଟା ସାମ୍ରାଜ୍ୟରେ ମିଶ୍ରଣ କରିଥିଲେ ଶିଳ୍ପ ସମ୍ରାଟ ରତନ ଟାଟା ।  


ଭାରତୀୟ ଶିଳ୍ପରେ ଉଲ୍ଲେଖନୀୟ ଅବଦାନ ପାଇଁ ରତନ ଟାଟା ୨୦୦୦ ମସିହାରେ ପଦ୍ମଭୂଷଣ ଏବଂ ୨୦୦୮ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ବିଦେଶ ମଧ୍ୟରେ ଶୀର୍ଷ ସମ୍ମାନ ପାଇଛନ୍ତି ବିଜନେସ୍ ଟାଇକୁନ୍ । ତାଙ୍କୁ ଅର୍ଡର ଅଫ୍ ଅଷ୍ଟ୍ରେଲିଆ, ବ୍ରିଟିଶ ସରକାରଙ୍କ ନାଇଟ୍ ଗ୍ରାଉଣ୍ଡ୍ କ୍ରସ ସମ୍ମାନ ମଧ୍ୟ ମିଳିଛି । ରତନ ଟାଟାଙ୍କ ଦେହାନ୍ତକୁ ନେଇ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି ।  ଶିଳ୍ପପତିଙ୍କ ବିୟୋଗରେ ଶିଳ୍ପ ଜଗତରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.