ବଙ୍ଗୋପସାଗରରେ ଘନଉଛି ଅବପାତ : ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ବନ୍ଦରକୁ ୩ ନମ୍ବର ବିପଦ ସଂକେତ ଜାରି

Published By : Prameya-News7 Bureau | September 08, 2024 IST

ଭୁବନେଶ୍ବର ୮।୯: ଅବପାତରେ ପରିଣତ ହେଲା ସୂଦୃଶ ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଅବପାତ କେନ୍ଦ୍ରୀଭୂତ । ବର୍ତ୍ତମାନ ଅବପାତଟି ଗୋପାଳପୁର ଠାରୁ ୨୬୦ କି.ମି. ପୂର୍ବ-ଦକ୍ଷିଣ-ପୂର୍ବରେ ରହିଛି । ପାରାଦୀପ ଠାରୁ ୨୯୦ କି.ମି. ଦୂର ଦକ୍ଷିଣ-ଦକ୍ଷିଣ-ପୂର୍ବରେ ଅବପାତ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତିକରି ଗଭୀର ଅବପାତରେ ପରିଣତ ହେବ । ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଗଭୀର ଅବପାତ ହେବ । ପରବର୍ତ୍ତୀ ଦୁଇ ଦିନ ମଧ୍ୟରେ ଗଭୀର ଅବପାତଟି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଗାଙ୍ଗେଟିକ୍ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା, ଝାଡଖଣ୍ଡ ଦେଇ ଛତିଶଗଡ଼ ମୁହାଁ ହେବ । ଏହା ପ୍ରଭାବରେ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ନିର୍ଧୁମ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । 

ସେପେଟ ଭୀଷଣ ବର୍ଷା ନେଇ ୭ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ପୁରୀ, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, ଅନୁଗୁଳ ଜିଲ୍ଲାରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ସମ୍ଭାବନା ରହିଛି । ବର୍ଷା ସମେତ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ । ଝଟକା ପବନ ଘଣ୍ଟାପ୍ରତି ୬୦ କିଲୋମିଟର ରହିପାରେ । ପ୍ରଭାବରେ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ରହିଛି । ତଳିଆ ଅଞ୍ଚଳରେ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । କଚ୍ଚା ଘର କଚ୍ଚା ରାସ୍ତା ପ୍ରଭାବିତ ହେବା ସହ ଗଛ ଡାଳ ଭାଙ୍ଗିବାର ସମ୍ଭାବନା ରହିଛି । ଅବପାତ ପ୍ରଭାବରେ ଅଶାନ୍ତ ହେବ ସମୁଦ୍ର । ଏଥିପାଇଁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା । ଧାମରା, ପାରାଦୀପ, ପୁରୀ ଏବଂ ଗୋପାଳପୁରକୁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।

ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୧୧ ତାରିଖ ଯାଏ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । ୮ ତାରିଖରେ ଗଞ୍ଜାମ, ଗଜପତି, ମାଲକାନଗିରି,  କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏ ସବୁ ସ୍ଥାନରେ ୭୦ରୁ ୨୦୦ମିମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଅଛି । ସେହିଭଳି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ୭୦ରୁ ୧୧୦ମିମି ଯାଏ ବର୍ଷା  ସମ୍ଭାବନା ଅଛି ।

୯ ତାରିଖରେ କନ୍ଧମାଳ, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ବୌଦ୍ଧ ଓ କଳାହାଣ୍ଡିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ବୌଦ୍ଧ, ନୂଆପଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର, ସୋନପୁର, ବଲାଙ୍ଗିର, ବରଗଡ଼, ଅନୁଗୁଳ, ସମ୍ବଲପୁର ଓ ଦେବଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।

୧୦ ତାରିଖରେ କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ଢେଙ୍କାନାଳ, ବଲାଙ୍ଗିର, ଅନୁଗୁଳ, ସୋନପୁର, ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ  ବୋଲି ପୂର୍ବାନୁମାନ କରାଯାଇଛି । ୧୧ ତାରିଖରେ ବି  ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି ।

You Can Read:

ନଦୀକୁ ଡେଇଁଲେ ଅବସରପ୍ରାପ୍ତ ଶିକ୍ଷକ, ପାରିବାରିକ କଳହରୁ ଏଭଳି କରିଥିବା ସୂଚନା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.