ରେଳ ଦୁର୍ଘଟଣା ଦେଇଛି ମାନସିକ ଆଘାତ; NDRF ଯବାନଙ୍କୁ ପାଣି ଦେଖାଯାଉଛି ରକ୍ତ ଭଳି, ଲାଗୁନି ଭୋକ

Published By : Prameya-News7 Bureau | June 06, 2023 IST

ନୂଆଦିଲ୍ଲୀ: ବାଲେଶ୍ୱର ରେଳ ଦୁର୍ଘଟଣା କେବଳ ଆତ୍ମୀୟଙ୍କୁ ହରାଇଥିବା ପରିଜନଙ୍କୁ ନୁହେଁ ବରଂ ଆହତଙ୍କୁ ମଧ୍ୟ ଅଲିଭା ଆଘାତ ଦେଇଛି । ଅନ୍ୟପଟେ ଏହି ବିଭୀଷିକା ଉଦ୍ଧାର କାର୍ଯ୍ୟରେ ସାମିଲ ଲୋକଙ୍କୁ ମଧ୍ୟ ମାନସିକ ରୂପେ ପ୍ରଭାବିତ କରିଛି । ଏନଡିଆରଏଫ ଡିଜି ଅତୁଲ କରୱାଲ କହିଛନ୍ତି ଯେ ଟ୍ରେନ ଦୁର୍ଘଟଣାସ୍ଥଳରେ ଉଦ୍ଧାର ଅଭିଯାନରେ ସାମିଲ ଜଣେ ଯବାନ ଯେତେବେଳେ ବି ପାଣିକୁ ଦେଖନ୍ତି ତାହା ତାଙ୍କୁ ରକ୍ତ ପରି ଲାଗୁଛି । ସେହିପରି ଅନ୍ୟ ଜଣେ ଯବାନଙ୍କୁ ଏବେ ଭୋକ ଲାଗୁ ନାହିଁ ।

ଟ୍ରେନ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫର ନଅଟି ଦଳ ମୁତୟନ କରାଯାଇଥିଲା । ଦେଶର ସବୁଠୁ ଭୟଙ୍କର ରେଳ ଦୁର୍ଘଟଣାରେ ୨୮୮ ଜଣ ପ୍ରାଣ ହରାଇଥିବା ବେଳେ ୧୦୦୦ରୁ ଅଧିକ ଆହତ ହୋଇଥିଲେ । ଉଦ୍ଧାରକାର୍ଯ୍ୟ ଶେଷ ହେବା ପରେ ଟ୍ରାକ୍ ମରାମତି କରାଯାଇ ସେହି ରାସ୍ତାରେ ଟ୍ରେନ ମଧ୍ୟ ଗଡ଼ି ସାରିଛି । ଏପଟେ ଏବେ ବି ଅନେକ ନିଜ ସମ୍ପର୍କୀୟଙ୍କ କୌଣସି ସନ୍ଧାନ ପାଇପାରୁ ନାହାନ୍ତି ।

{"id":799255,"sizeSlug":"full","linkDestination":"none"}

ଏକ ସମ୍ମିଳନୀକୁ ସମ୍ୱୋଧନ କରି ଏନଡିଆରଏଫ ଡିଜି କହିଛନ୍ତି, 'ବାଲେଶ୍ୱର ଟ୍ରେନ ଦୁର୍ଘଟଣା ପରେ ଉଦ୍ଧାର ଅଭିଯାନରେ ସାମିଲ ନିଜ ଯବାନଙ୍କୁ ଭେଟିଥିଲି । ଜଣେ କର୍ମୀ କହିଥିଲେ ଯେ ସେ ଯେତେବେଳେ ବି ପାଣିକୁ ଦେଖୁଛନ୍ତି ତାହା ତାଙ୍କୁ ରକ୍ତ ପରି ନଜର ଆସୁଛି । ଅନ୍ୟଜଣେ କହିଛନ୍ତି ଯେ ଏହି ଉଦ୍ଧାର କାର୍ଯ୍ୟ ପରେ ଏବେ ତାଙ୍କୁ ଆଉ ଭୋକ ଲାଗୁ ନାହିଁ'।

ଏନଡିଆରଏଫ ମହାନିର୍ଦ୍ଦେଶକ କହିଛନ୍ତି ଯେ ସଂସ୍ଥା ପକ୍ଷରୁ ଉଦ୍ଧାର କାର୍ଯ୍ୟାରୁ ଫେରିଥିବା ଯବାନଙ୍କ ପାଇଁ କାଉନସିଂ ଏବଂ ମାନସିକ ସ୍ଥିରତା ପାଠ୍ୟକ୍ରମ ଆରମ୍ଭ କରାଯାଇଛି । କରୱାଲ କହିଛନ୍ତି ଯେ ଗତ ବର୍ଷରୁ ଆଜି ଯାଏ କରାଯାଇଥିବା ସ୍ୱତନ୍ତ୍ର ରେସକ୍ୟୁ ଅଭିଯାନ ପରେ ପ୍ରାୟ ୧୮,୦୦୦ କର୍ମଚାରୀଙ୍କ ମଧ୍ୟରୁ ୯୫ ପ୍ରତିଶତ ଫିଟ୍ ଅଛନ୍ତି ।

Also Read: ୨୦୫ ମୃତଦେହ ଚିହ୍ନଟ ପରେ ପରିବାରକୁ ହସ୍ତାନ୍ତର, ୮୩ ମୃତଦେହ ହୋଇନି ଚିହ୍ନଟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.