ପଶ୍ଚିମବଙ୍ଗରେ ୫୦,୦୦୦ କୋଟି ଟଙ୍କା ନିବେଶ କରିବ RIL, ଘୋଷଣା କଲେ ମୁକେଶ ଅମ୍ବାନୀ

Published By : Prameya-News7 Bureau | February 05, 2025 IST

କୋଲକାତା ୫।୨: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ) ଚେୟାରମ୍ୟାନ ମୁକେଶ ଅମ୍ବାନୀ ବୁଧବାର କହିଛନ୍ତି ଯେ ଏହା ପଶ୍ଚିମବଙ୍ଗରେ ନିବେଶ କରିବାର ଉପଯୁକ୍ତ ସମୟ। ସେ କହିଛନ୍ତି ଯେ ଗତ ଏକ ଦଶନ୍ଧୀ ହେଲା ରାଜ୍ୟରେ ରିଲାଏନ୍ସ ର ନିବେଶ ୨୦ ଗୁଣ ପର୍ଯ୍ୟନ୍ତ ବଢିଛି। ପଶ୍ଚିମବଙ୍ଗ ଇନଭେଷ୍ଟମେଣ୍ଟ ସମ୍ମିଟକୁ ସମ୍ବୋଧିତ କରି ଅମ୍ବାନୀ ରାଜ୍ୟ ନିମନ୍ତେ ତାଙ୍କ ସ୍ୱପ୍ନ ସମ୍ପର୍କରେ କହିଛନ୍ତି। ଚଳିତ ଦଶନ୍ଧୀ ଶେଷ ପର୍ଯ୍ୟନ୍ତ ଆରଆଇଏଲ ପଶ୍ଚିମ ବଙ୍ଗରେ ୫୦ ହଜାର କୋଟି ଟଙ୍କା ନିବେଶ କରିବ ବୋଲି ସେ ଘୋଷଣା କରିଛନ୍ତି। 

ସେ କହିଛନ୍ତି ଯେ ଆରଆଇଏଲର ନିବେଶ ଯୋଗୁ ରାଜ୍ୟରେ ୧ଲକ୍ଷ ନୂଆ ରୋଜଗାର ସୃଷ୍ଟି ହେବ। ରିଲାଏନ୍ସ ଗତ ଦଶକରେ ପଶ୍ଚିମବଙ୍ଗରେ ୫୦ ହଜାର କୋଟି ଟଙ୍କା ନିବେଶ କରି ସାରିଛି। ଏହା ଛଡା ଏହି ଦଶନ୍ଧୀର ଶେଷ ସୁଦ୍ଧା ଆହୁରି ୫୦ ହଜାର କୋଟି ଟଙ୍କା ନିବେଶ ହେବ। ଏହି ନିବେଶ ଅନେକ ସେକ୍ଟର ଯେପରିକି ଡିଜିଟାଲ ସର୍ଭିସେସ, ଗ୍ରିନ ଏନର୍ଜୀ ଓ ରିଟେଲ ଆଦି କ୍ଷେତ୍ରରେ କରାଯିବ। ରାଜ୍ୟର ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ପାଇଁ ରିଲାଏନ୍ସ ପ୍ରସ୍ତୁତ। ଏହି ନିବେଶ ବେଙ୍ଗଲର ବ୍ୟବସାୟୀକ ପରିଦୃଶ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଅମ୍ବାନୀ କହିଛନ୍ତି। 

ମୁକେଶ ଅମ୍ବାନୀ ପଶ୍ଚିମବଙ୍ଗରେ ଜିଓର ଅଗ୍ରଗତିକୁ ନେଇ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ ଜିଓ ନେଟୱାର୍କ ଏବେ ପଶ୍ଚିମବଙ୍ଗର ୧୦୦ ପ୍ରତିଶତ ଜନସଂଖ୍ୟାକୁ କଭର କରୁଛି। କମ୍ପାନୀ ଏବେ ଭାରତରେ ସବୁଠୁ ଉନ୍ନତ ଏଆଇ ଇନଫ୍ରାଷ୍ଟ୍ରକ୍ଟର ନିର୍ମାଣ କରୁଛି। ସେ କହିଛନ୍ତି ଯେ ଏଆଇ ଆଧାରିତ ଡାଟା ସେଣ୍ଟର ୯ ମାସରେ ତିଆରି ହୋଇଯିବ। ଏହି ଅବସରରେ ମୁକେଶ ଅମ୍ବାନୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ମଧ୍ୟ ପ୍ରଶଂସା କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.