ନୂଆଦିଲ୍ଲୀ: ଅମୁଲ ମୂଲ ହେଲାଣି ସୁନା। ଆଉ ଗରିବ ଲୋକଙ୍କ ହାତ ପାଆନ୍ତାରେ ନାହିଁ। ପ୍ରତିଦିନ ଦରବୃଦ୍ଧିରେ ନୂଆ ରେକର୍ଡ କରୁଛି ଗୋଲ୍ଡ। ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୫ରେ ସୁନା ଦର କମ୍ ହେବ ବୋଲି ଆକଳନ କରାଯାଇଥିଲା। ହେଲେ ଏପର୍ଯ୍ୟନ୍ତ ଏହାର ଓଲଟା ଫଳ ଦେଖିବାକୁ ମିଳିଛି। ବଜେଟ୍ ଆସିବା ପରେ ଲଗାତର ୩ ଦିନ ହେଲାଣି ସୁନା ମୂଲ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ବୁଧବାର ଅଲ୍ ଟାଇମ୍ ହାଇରେ ପହଞ୍ଚି ପୁଣି ରେକର୍ଡ ଭାଙ୍ଗିଛି ସୁନା। ଖାଲି ସୁନା କାହିଁକି ରୁପା ବି ସର୍ବୋଚ୍ଚ ସ୍ତରରେ। ତେବେ କାହିଁକି ବେଲଗାମ ହେଉଛି ଏହି ମୂଲ୍ୟବାନ ଧାତୁର ମୂଲ୍ୟ…? କେଉଁଠି ରହୁଛି ପ୍ରକୃତ କାରଣ? ପଢ଼ନ୍ତୁ ରିପୋର୍ଟ।
ସୁନା ଏତେ ମହରଗ ହେଲାଣି ଯେ ସାଧାରଣ ଲୋକେ କିଣିବା କଥା ତ ଦୂରେ ଥାଉ, ଭୁଲ୍ରେ ସ୍ୱପ୍ନ ଦେଖି ଦେଲେ ଭୟରେ ପର୍ସ ଅଣ୍ଡାଳିବାକୁ ପଡ଼ୁଛି। ବୁଧବାର ଦର ବୃଦ୍ଧିର ଆଉ ଏକ ରେକର୍ଡ ଭାଙ୍ଗିଛି ଗୋଲ୍ଡ। ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ ଅନୁଯାୟୀ, ୨୪ କ୍ୟାରେଟ୍ ସୁନା ମୂଲ୍ୟରେ ୧୩୧୩ ଟଙ୍କା ବୃଦ୍ଧି ପାଇଛି। ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୮୪,୩୨୩ ଟଙ୍କା ହୋଇଛି। ଖାଲି ସୁନା କାହିଁକି ରୁପା କିଣିବାକୁ ମଧ୍ୟ ଚିନ୍ତା କରିବାକୁ ପଡ଼ୁଛି। ସୁନା ସହ ତାଳ ଦେଇ ନିତିଦିନ ରେକର୍ଡ ଭାଙ୍ଗୁଛି ରୁପା। ଫେବ୍ରୁଆରୀ ୫ ତାରିଖରେ ରୁପା ୧୬୨୮ ଟଙ୍କା ମହଙ୍ଗା ହୋଇଛି। ଫଳରେ ରୁପା କିଲୋଗ୍ରାମ ପିଛା ୯୫,୪୨୧ ଟଙ୍କା ହୋଇଛି।
୪ ମହାନଗରୀରେ ସୁନା ଭାଉ
ଦିଲ୍ଲୀ: ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୭୯,୨୦୦ ଟଙ୍କା ଏବଂ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୮୬,୩୯୦ ଟଙ୍କା।
ମୁମ୍ବାଇ: ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୭୯,୦୫୦ ଟଙ୍କା ଏବଂ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୮୫,୨୪୦ ଟଙ୍କା।
କୋଲକାତା: ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୭୯,୦୫୦ ଟଙ୍କା ଏବଂ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୮୬,୨୪୦ ଟଙ୍କା।
ଚେନ୍ନାଇ:୧୦ ଗ୍ରାମ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୭୯,୦୫୦ ଟଙ୍କା ଏବଂ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୮୬,୨୪୦ ଟଙ୍କା।
ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ବର୍ତ୍ତମାନ ୮୬, ୨୪୦ ଟଙ୍କା ରହିଛି। ଫେବ୍ରୁଆରୀ ୪ ତାରିଖରେ ଏହା ୮୫,୨୦୦ ଟଙ୍କା ଥିଲା। ଗୋଟି ଦିନରେ ଏଥିରେ ୧୦୪୦ ଟଙ୍କା ବୃଦ୍ଧି ପାଇଛି। ଆଇବିଜେ ରିପୋର୍ଟ ଅନୁସାରେ ସୁନା ୩୬ ଦିନରେ ୮୪୯୫ ଟଙ୍କା ବୃଦ୍ଧି ହୋଇଛି।
ପଢନ୍ତୁ- ରସାତଳକୁ ଗଲାଣି ଭାରତୀୟ ମୁଦ୍ରା: ଖସିଲା ୩୯ ପଇସା, ବିଦେଶରୁ ସାମଗ୍ରୀ କିଣିବା ହେବ ମହଙ୍ଗା
ସୁନା ଓ ରୁପା ବୃଦ୍ଧିର ୫ ଟି ପ୍ରମୁଖ କାରଣ
୧. ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ଭୂରାଜନୈତିକ ଉତ୍ତେଜନା ବୃଦ୍ଧି ପଇବା ସୁନା ମୁଲ୍ୟ ବୃଦ୍ଧିର ଏକ କାରଣ।
୨. ଆମେରିକା ସମ୍ପ୍ରତି ସୁଧ ହାର ହ୍ରାସ କରିଛି ଏବଂ ଆହୁରି ହ୍ରାସ କରିପାରେ, ଏହା ମଧ୍ୟ ଏକ କାରଣ।
୩. ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯୋଗୁ ସୁନା ମହଙ୍ଗା ହେଉଛି।
୪. ମୁଦ୍ରାସ୍ଫୀତି ମଧ୍ୟ ସୁନାର ମୂଲ୍ୟ ବୃଦ୍ଧିରେ ସହାୟକ ହେଉଛି।
୫. ଷ୍ଟକ୍ ବଜାରରେ ବଢ଼ୁଥିବା ଅସ୍ଥିରତା ଯୋଗୁ, ଲୋକମାନେ ଗୋଲ୍ଡ ଇଟିଏଫରେ ନିବେଶ ବୃଦ୍ଧି କରୁଛନ୍ତି। ତେଣୁ ଡିମାଣ୍ଡ ବଢ଼ିବାରୁ ଦାମ ସୁନା ଦାମ ବି ବଢ଼ୁଛି।
ସୁନା କିଣିବା ବେଳେ ସତର୍କ ହୁଅନ୍ତୁ
ସର୍ବଦା ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ୍ (BIS) ଦ୍ୱାରା ସାର୍ଟିଫାଏଡ୍ ହଲମାର୍କ ହୋଇଥିବା ସୁନା କିଣନ୍ତୁ। ସୁନାରେ ଏକ ୬ ଅଙ୍କ ବିଶିଷ୍ଟ ହଲମାର୍କ କୋଡ୍ ଅଛି। ଏହାକୁ ହଲମାର୍କ ୟୁନିକ୍ ଆଇଡେଣ୍ଟିଫିକେସନ୍ ନମ୍ବର ଅର୍ଥାତ୍ HUID କୁହାଯାଏ। ଏହି ସଂଖ୍ୟାଟି ଆଲଫାନ୍ୟୁମେରିକ ଅର୍ଥାତ୍ କିଛି- AZ4524 ଏମିତି ଲେଖା ହୋଇଥାଏ। ଏହି ହଲମାର୍କିଂ ମାଧ୍ୟମରେ କେଉଁ ସୁନା କେତେ କ୍ୟାରେଟ୍ର ତାହା ଜାଣି ହେବ।
ସେପଟେ ଆଉ ଏକ ଖୁସୀ ଖବର ହେଲା ହୀରା ବ୍ୟବସାୟରେ ଭାରତ ଚୀନକୁ ଟପି ଯାଇଛି। ଚୀନରେ ଡିମାଣ୍ଡ ହ୍ରାସ ଯୋଗୁ ଭାରତ ବିଶ୍ୱର ଦ୍ୱିତୀୟ ବଡ଼ ହୀରା ମାର୍କେଟ୍ ଭାବେ ଉଭା ହୋଇଛି। ଇଂଲଣ୍ଡ ସ୍ଥିତ ହୀରା ଫାର୍ମ ଡି ବିୟର୍ସ ଗ୍ରୁପର ସିଇଓ ଅଲ୍ କୁକ୍ ଏହି ସୂଚନା ଦେଇଛନ୍ତି। ଇଂଲଣ୍ଡ ସ୍ଥିତ ହୀରା ଫାର୍ମ ଡି ବିୟର୍ସ ଗ୍ରୁପର ସିଇଓ ଆଲ୍ କୁକ୍ ଅନ୍ତର୍ଜାତୀୟ ଗଣମାଧ୍ୟମ ବ୍ଲୁମବର୍ଗ କହିଛନ୍ତି, ଭାରତ ହୀରା ବ୍ୟବସାୟରେ ଚୀନକୁ ଟପି ଯାଇଛି। ବର୍ତ୍ତମାନ ଇଣ୍ଡିଆ ବିଶ୍ୱର ଦ୍ୱିତୀୟ ବଡ଼ ହୀରା ବଜାର ହୋଇପାରିଛି। ହୀରା ବ୍ୟବସାୟରେ ଦୁଇଗୁଣା ବୃଦ୍ଧି ଯୋଗୁ ଭାରତ ଏହି ସଫଳତା ଲାଭ କରିଛି। ଯାହା ଭାରତ ପାଇଁ ଏକ ଭଲ ଖବର ବୋଲି ଅଲ୍ କୁକ୍ କହିଛନ୍ତି।