ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର କନ୍ନୌଜରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି । ରେଲୱେ ଷ୍ଟେସନର ନିର୍ମାଣଧୀନ ବିଲ୍ଡିଂ ଭୁଶୁଡି ପଡ଼ିବାରୁ ଅନେକ ଶ୍ରମିକ ଚାପି ହୋଇଛନ୍ତି । ଦୁର୍ଘଟଣା ବେଳେ ରେଲୱେ ଷ୍ଟେସନରେ କାମ କରୁଥିବା ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇଛନ୍ତି । ତତ୍କାଳରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଭଗ୍ନାବଶେଷ ତଳେ ଚାପି ହୋଇଥିବା ଶ୍ରମିକଙ୍କୁ ଉଦ୍ଧାର କରିବା କାମ ଆରମ୍ଭ ହୋଇଛି । କିଛି ଶ୍ରମିକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ନିର୍ମାଣଧୀନ ବିଲ୍ଡିଂ ତଳେ କାମ କରୁଥିବା ପ୍ରାୟ ୨୦ଜଣ ଶ୍ରମିକ ଭଗ୍ନାବଶେଷ ଚାପି ହୋଇଥିଲେ । ଏଥିରୁ ୬ଜଣଙ୍କ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଶନିବାର ଅପରାହ୍ଣ ପ୍ରାୟ ୩ଟା ବେଳେ ଏହି ଦୁର୍ଘଟଣା ଘଟିଛି । ରେଲୱେ ଷ୍ଟେସନ ପରିସରରେ ଅମୃତ ଯୋଜନା ଅଧିନରେ ନିର୍ମାଣ କାର୍ଯ୍ୟ ଚାଲିଥିଲା । ତେବେ ହଠାତ୍ ନିର୍ମାଣଧୀନ ବିଲ୍ଡିଂର ଲିଣ୍ଟଲ ଭୁଶୁଡ଼ି ପଡ଼ିଥିଲା ।
ପୋଲିସ, ପ୍ରଶାସନ ଏବଂ ରେଲୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହା ବ୍ୟତୀତ ଜିଆରପି ଏବଂ ଆରପିଏଫ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଏସଡିଆରଏଫ ଟିମକୁ ମୁତୟନ କରାଯାଇଛି ।