ବିଜେପି ପୂର୍ବ ବିଧାୟକଙ୍କ ଘରେ ଆଇଟି ରେଡ୍, ୧୪କେଜି ସୁନା, ୩କୋଟିର ନଗଦ ଟଙ୍କା ସହ ମିଳିଲା ୪ କୁମ୍ଭୀର

Published By : Prameya-News7 Bureau | January 11, 2025 IST

ମଧ୍ୟପ୍ରଦେଶ ୧୧/୧: ବିଜେପି ନେତା ତଥା ପୂର୍ବତନ ବିଧାୟକଙ୍କୁ ଘରୁ ୪ଟି କୁମ୍ଭୀର ଉଦ୍ଧାର । ମଧ୍ୟପ୍ରଦେଶର ଏହି ପୂର୍ବତନ ବିଧାୟକ ହର୍ଷବଦ୍ଧନ ସିଂହ ରାଠୋରଙ୍କ ଘରେ IT ରେଡ୍‌ ବେଳେ ନଗଦ କୋଟି କୋଟି ଟଙ୍କା,ସୁନା ଓ ଏକାଧିକ ବେନାମୀ ଦାମୀ କାର ଜବତ ହୋଇଛି । ତେବେ ରାଠୋରଙ୍କ ଘର ନିକଟରେ ଥିବା ପୋଖରୀରୁ ୪ ବିରାଟକାୟ କୁମ୍ଭୀର ମିଳିବା ପରେ ଆୟକର ଅଧିକାରୀମାନେ ପୁରା ଚକିତ ହୋଇଯାଇଛନ୍ତି ।

ଏହି କୁମ୍ଭୀର ଗୁଡିକୁ ଖାଇବା ପିଇବାକୁ ଦେଇ ପାଳିଥିଲେ ବିଜେପି ନେତା । କୋଟି କୋଟି ଟଙ୍କାର ଟିକସ ଫାଙ୍କିଥିବା ଅଭିଯୋଗରେ ଆୟକର ବିଭାଗ ତାଙ୍କ ଘରେ ଚଢାଉ କରିଥିଲା । ଅଧିକାରୀମାନେ କହିଛନ୍ତି ପୂର୍ବତନ ବିଧାୟକ ପ୍ରାୟ ୧୫୦ କୋଟି ଟଙ୍କାର ଟିକସ ଫାଙ୍କିଛନ୍ତି ।୧୪ କେଜିର ସୁନା ସହ ୩ କୋଟିର ନଗଦ ଟଙ୍କା ଜବତ ହୋଇଛି ।

ସେଠାରେ ଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି ପୂର୍ବରୁ ମଧ୍ୟ ହର୍ଷବର୍ଦ୍ଧନଙ୍କ ଘରେ କୁମ୍ଭୀର ଥିବା ଆମେ ଜାଣିଛୁ । କେବଳ କୁମ୍ଭୀର ନୁହେଁ ଅଲଗା ଜନ୍ତୁ ଓ ପକ୍ଷୀ ମଧ୍ୟ ଥିଲେ । କେବଳ ଶ୍ରୀ ରାଠୋର ନୁହେଁ ପୂର୍ବତନ କାଉନସିଲର ରାଜେଶ କେଶରୱାନିଙ୍କ ସାଗର ଠାରେ ଥିବା ଠିକଣା ଗୁଡିକରେ ରେଡ୍‌ କରିଛନ୍ତି ଆୟକର ଅଧିକାରୀ । ଶ୍ରୀ ରାଠୋରଙ୍କ ସହ ମିଶି କେରଶୱାନି ବିଡି ବ୍ୟବସାୟ କରନ୍ତି । ସେ ଏକାକୀ ୧୪୦ କୋଟିର ଟିକସ ଫାଙ୍କିଥିବା ଅଭିଯୋଗ ହୋଇଛି । କେଶରୱାନି ବିଭିନ୍ନ ଠିକା କାମ ମଧ୍ୟ କରନ୍ତି ।

ପୋଖରୀରେ କୁମ୍ଭୀର ଥିବା ନେଇ ଜଙ୍ଗଲ ବିଭାଗକୁ ଖବର ପରେ ସେମାନେ ଆସି କୁମ୍ଭୀର ଗୁଡିକୁ ସେଠାରୁ ନେଇଯାଇଛନ୍ତି । ରାଠୋର ୨୦୧୩ରେ ବିଜେପି ଟିକେଟରୁ ବିଧାୟକ ହୋଇଥିଲେ । ସାଗର ଜିଲ୍ଲାରେ ତାଙ୍କର ବେଶ ଦବ୍‌ଦବା ରହିଛି । ତାଙ୍କ ବାପା ହରନାମ ସିଂ ରାଠୋର ମଧ୍ୟ ମଧ୍ୟପ୍ରଦେଶ ସରକାରରେ ମନ୍ତ୍ରୀ ଥିଲେ । 

 

  • Madhya pradesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.