ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ଅତିରୁ ଅତି ଭୟଙ୍କର ସ୍ଥିତିକୁ ଯାଉଥିବା ନଜର ଆସୁଛି । ୟୁକ୍ରେନ ଦ୍ୱାରା ରୁଷର ଅଭ୍ୟନ୍ତରୀଣ କ୍ଷେତ୍ରରେ ଆମେରିକାର ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ମାଡ଼ ପରେ ଏବେ ରୁଷ ଆକ୍ରାମକ ହୋଇଛି । ଗୁରୁବାର ରୁଷ ପ୍ରାୟ ୩୩ ମାସ ଧରି ଚାଲିଥିବା ଯୁଦ୍ଧରେ ପ୍ରଥମ ଥର ପାଇଁ ୟୁକ୍ରେନ ଉପରେ ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ୍ ମିସାଇଲ୍ ମାଡ଼ କରିଛି । ହଜାର କିଲୋମିଟର ଦୂରରୁ ଯେକୌଣସି ସହରକୁ ଧ୍ୱଂସ କରିବା ପାଇଁ ଡିଜାଇନ୍ କରାଯାଇଥିବା ମିସାଇସକୁ ପ୍ରଥମ ଥର ପାଇଁ ଏହି ଯୁଦ୍ଧରେ ପ୍ରୟୋଗ କରାଯାଇଛି । ଗୁରୁବାର ୟୁକ୍ରେନ ଏହି ଦାବି କରିଥିବା ବେଳେ ରୁଷ କୌଣସି ଟିପ୍ପଣୀ କରି ନାହିଁ ।
ୟୁକ୍ରେନ ବାୟୁ ସେନା କହିଛି ଯେ ରୁଷ ଆକ୍ରମଣରେ ମଧ୍ୟ-ପୂର୍ବ ସହର ଦନିପ୍ରୋରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ଟାର୍ଗେଟ୍ କରିଛି । ତେବେ ଏହି ଆକ୍ରମଣରେ କ୍ଷୟକ୍ଷତି ନେଇ କୌଣସି ସୂଚନା ଦିଆଯାଇ ନାହିଁ । ଉଲ୍ଲେଖଯୋଗ୍ୟ ଯେ ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ୍ ମିସାଇଲର ମାରକ କ୍ଷମତା ୧୦୦୦ କିଲୋମିଟର ହୋଇଥାଏ । ପରମାଣୁ ହତିଆର ଆକ୍ରମଣ କରିବା ପାଇଁ ଏହାକୁ ଉପଯୋଗ କରାଯାଇଥାଏ । ୟୁକ୍ରେନ ବାୟୁ ସେନା ଆକ୍ରମଣରେ ଛଅ କ୍ରୁଜ ମିସାଇଳକୁ ମାରି ନଷ୍ଟ କରିଛି ।
ଏହା ପୂର୍ବରୁ ରୁଷର ଆଭ୍ୟନ୍ତରୀଣ କ୍ଷେତ୍ରରେ ଆମେରିକା ନିର୍ମିତ ATACMS ଏବଂ ବ୍ରିଟିଶ ନିର୍ମିତ ଷ୍ଟର୍ମ ସେଡୋ ହତିଆର ମାଡ଼ କରିଥିଲା । ଏହାରି ଭିତରେ ବଢୁଥିବା ଉତ୍ତେଜନାକୁ ଦେଖି ଆମେରିକା ଏବଂ ୟୁରୋପୀୟ ସଂଘର କିଛି ଦେଶ ବୁଧବାର କିଭ୍ରେ ନିଜ ଦୂତାବାସ ବନ୍ଦ କରିବା ପାଇଁ ଘୋଷଣା କରିଥିଲେ । ପୁଟିନଙ୍କ କଡ଼ା ଚେତାବନୀ ପରେ ଏହି ଦୂତାବାସଗୁଡିକୁ ଅସ୍ଥାୟୀ ରୂପେ ବନ୍ଦ କରାଯାଇଛି ।