ମନୋଜ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବାଲୁକା ଶିଳ୍ପୀ ମାନସ ସାହୁ

Published By : Prameya-News7 Bureau | April 05, 2025 IST

ପୁରୀ ୦୫।୦୪ :  ମନୋଜ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି । ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବରିଷ୍ଠ ଅଭିନେତା ମନୋଜ କୁମାରଙ୍କୁ ବାଲୁକା କଳା ଜରିଆରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ବାଲୁକା ଆନିମେସନରେ ମନୋଜ କୁମାରଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଯାହାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ପ୍ରାୟ ୨ ଘଣ୍ଟା ସମୟ ଲାଗିଥିଲା । ମନୋଜ କୁମାର ଏକାଧାରାରେ ଜଣେ ଅଭିନେତା, ନିର୍ଦ୍ଦେଶକ, ସ୍କ୍ରିନ୍‌ ରାଇଟର୍‌ ଏବଂ ଏଡିଟର୍‌ ଥିଲେ। ତାଙ୍କର ଦେଶଭକ୍ତି ଫିଲ୍ମ ଗୁଡିକ ବହୁତ ଉଚ୍ଚକୋଟୀର ଥିଲା । ଦର୍ଶକଙ୍କ ପାଖରେ ସେ ଭାରତ କୁମାର ନାଁରେ ପ୍ରସିଦ୍ଧ ଥିଲେ। ତାଙ୍କୁ ହୃଦୟର ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମାନସ ସାହୁ ।

ସୂଚନାଯୋଗ୍ୟ ଯେ, ବାର୍ଦ୍ଧକ୍ୟଜନିତ ସ୍ୱାସ୍ଥ୍ୟ ସମସ୍ୟା ସହ ଲିଭର୍‌ ସିରୋସିସ ରୋଗରେ ପୀଡ଼ିତ ଥିଲେ ମନୋଜ କୁମାର । ଗତ ଏକ ସପ୍ତାହ ହେବ ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଶୁକ୍ରବାର ପ୍ରାତଃ ସମୟରେ ମନୋଜ କୁମାରଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ଶନିବାର ମୁମ୍ବାଇର ପାର୍ଲେରେ ମନୋଜ କୁମାରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । 

୨୪ ଜୁଲାଇ ୧୯୩୭ରେ ହରିକୃଷ୍ଣ ଗିରି ଗୋସ୍ୱାମୀ ଭାବେ ଜନ୍ମଗ୍ରହଣ କରିଥିବା ମନୋଜ କୁମାର ସମସ୍ତ କଳାକାରଙ୍କ ପାଇଁ ଥିଲେ ପ୍ରେରଣା । ଏହି ଅଭିନେତା ଜଣକ ୧୯୫୭ ମସିହାରେ ଫିଲ୍ମ ଫ୍ୟାଶନ୍ ମାଧ୍ୟମରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ୧୯୬୫ ତାଙ୍କ କ୍ୟାରିୟର ପାଇଁ ଏକ ବଡ଼ ପରିବର୍ତ୍ତନ ଆଣିଥିଲା । ଏହି ବର୍ଷ ମୁକ୍ତିଲାଭ କରିଥିବା ଶହୀଦ ଚଳଚ୍ଚିତ୍ର ତାଙ୍କ କ୍ୟାରିଅରକୁ ଏକ ବଡ଼ ସଫଳତା ଦେଇଥିଲା। ମନୋଜ କୁମାରଙ୍କ ଫିଲ୍ମଗୁଡ଼ିକ କେବଳ ହିଟ୍ ହୋଇନଥିଲା, ବରଂ ତାଙ୍କ ଗୀତଗୁଡ଼ିକ ମଧ୍ୟ ଲୋକଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ ହୋଇଥିଲା ।

ମନୋଜ କୁମାର ସାହାରା, ଚାନ୍ଦ, ହନିମୁନ୍, ପୁରବ୍ ଔର ପଶ୍ଚିମ, ନସିବ, ମେରୀ ଆୱାଜ୍ ସୁନୋ, ନୀଲ କମଲ, ଉପକାର ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି । ଭାରତୀୟ ସିନେମାରେ ଅବଦାନ ପାଇଁ ମନୋଜ କୁମାରଙ୍କୁ ୧୯୯୨ ମସିହାରେ ପଦ୍ମଶ୍ରୀ ଓ ୨୦୧୫ ମସିହାରେ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.